ସରକାରଙ୍କ ସ୍କାନରରେ ଖଣି ମାଲିକ: ୨୦୨୦ ସୁଦ୍ଧା ବନ୍ଦ ହେବ ୨୪ଟି ଖଣି, ୨ ଖଣି ମାଲିକଙ୍କ ସଂପତି ଜବତ ନେଇ ନୋଟିସ୍ ଜାରି କଲେ କେନ୍ଦୁଝର ଜିଲ୍ଳାପାଳ

445

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ୭ ଖଣି ମାଲିକଙ୍କୁ ହାଜର ହେବା ପାଇଁ ନୋଟିସ ହୋଇଥିବା ବେଳେ ୬ ଖଣି ଲିଜ ଧାରୀ ହାଜର ହୋଇଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଜରିମାନା ଦେଇନଥିବା ୩୧ଟି ଖଣିର ୨୩ ଜଣ ଖଣି ମାଲିକଙ୍କ ମଧ୍ୟରୁ ୬ହଜାର ୩୫୦ କୋଟି ଟଙ୍କାର ଜରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା । ତେବେ କୋର୍ଟ ଆଜି ଶୁଣାଣୀ କରି ୨ଟି ଖଣି ମାଲିକଙ୍କ ସଂପତି ଜବତ ନେଇ ଜିଲ୍ଳାପାଳ ୱାରେଂଟ ଜାରି କରିଛନ୍ତି । ବିଧିବଦ୍ଧ ପ୍ରକିୟା ଆରମ୍ଭ ହୋଇଥିବା କେନ୍ଦୁଝର ଜିଲ୍ଲାପାଳ କହିଛନ୍ତି ।

ସେପଟେ, ୨୦୨୦ ସୁଦ୍ଧା ରାଜ୍ୟରେ ୨୪ଟି ଖଣି ବନ୍ଦ ହେବାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଏହା ପୂର୍ବରୁ ଖଣି ଗୁଡିକର ନିଲାମ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ । ଜୁଲାଇ ମାସରେ ୫ରୁ ୧୦ଟି ଖଣି ନିଲାମ ହେବ । ଏହା ସହିତ କୋଇଲା ରୟାଲଟି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଉଛି କିନ୍ତୁ ସେମାନେ ଶୁଣୁନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ଏଥିପାଇଁ ଓଡିଶାର ରାଜସ୍ୱ ହାନୀ ହେଉଥିବା କହିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ।