ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି : ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ, ପ୍ରଭାବରେ ୩ ଦିନ ଲଗାଣ ବର୍ଷା

621

କନକ ବ୍ୟୁରୋ : ଉତ୍ତରବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ଦିନ ଧରି ବର୍ଷା ଲାଗି ରହିବ । ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ିଘଡ଼ି ସହିତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହାର ପ୍ରଭାବରେ କୋରାପୁଟ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର ଓ କଟକ ଆଦି ଜିଲ୍ଲାର ବାସିନ୍ଦାଙ୍କୁ ସତର୍କ ରହିବାକୁ ଆଗୁଆ ସୂଚନା ଦିଆଯାଇଛି। ସେହିପରି ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରୁଥିବା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

 

ସେହିପରି ୩୦ରୁ ୧ ତାରିଖ ଭିତାର ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭବାନା ଥିବା ବେଳେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏତଦ୍ ବ୍ୟତୀତ ଉପକୂଳ ଓଡ଼ିଶା, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, କନ୍ଧମାଳ ଓ ମଲାକାନଗିରି ଆଦି ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରାଯାଇଛି ।

ଓଡିଶାରେ ସକ୍ରିୟ ହୋଇଛି ମୌସୁମୀ । ମୌସୁମୀ ପ୍ରଭାବ ଯୋଗୁଁ ଆରମ୍ଭ ହୋଇଯାଇଛି ବର୍ଷା । ତାହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡିଶା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ଗତ ରାତିରୁ ବର୍ଷା ହେବା ପରେ ପାଗ ବଦଳିଛି । ତାପମାତ୍ରା କମିବା ସହ ପାଗ ମେଘୁଆ ରହିଛି ।