କଂଗ୍ରେସରେ ଇସ୍ତଫା ପର୍ବ : ଘାତକ ସାଜିଛି ଦଳୀୟ ଅନ୍ତକନ୍ଦଳ, ସାମ୍ନାକୁ ଆସିଲା ନୂଆ-ପୁରୁଣା ପୀଢ଼ିଙ୍କ ମତଭେଦ

258

କନକ ବ୍ୟୁରୋ : ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ । ବିପଦ ସମୟରେ ରାଜା ରାଜ୍ୟ ଛାଡ଼ି ଚାଲିଗଲେ ରାଜ୍ୟରେ ଅରାଜକତା ସୃଷ୍ଟି ହେବା ସ୍ୱାଭାବିକ । ୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଇସ୍ତଫା ଜିଦରେ ଅଟଳ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ । ବରିଷ୍ଠ ନେତାଙ୍କ ଅନୁରୋଧ ବି ରାହୁଲଙ୍କ କାନକୁ ଯାଉନି । ପରାଜୟ ପାଇଁ ନିଜକୁ ଦାୟୀ କରି ପଦ ଛାଡ଼ିବା ପାଇଁ ଜିଦ୍ ଧରି ବସିଛନ୍ତି । ମଜଭୁତ ନେତୃତ୍ୱ ଚାହୁଁଥିବା ଦଳ ଏବେ ମୂରବୀ ଶୂନ୍ୟ ହେବା ଉପରେ । ୨୦୧୯ କଂଗ୍ରେସ ପାଇଁ ଅଭିଶପ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ଦୀର୍ଘ ଦଶନ୍ଧି ଧରି ଦେଶରେ ରାଜ କରୁଥିବା ଅତି ପୁରୁଣା ଦଳର ଏବେ ସତ୍ତା ନାହିଁ । ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପରାଜୟ ପରେ ଦଳ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ବଡ଼ବାବୁ ଅଡ଼ି ବସିଛନ୍ତି, ଆଉ ଅନ୍ୟପଟେ ନେତାମାନେ ଦଳ ଛାଡ଼ିବା ଆରମ୍ଭ କରିଦେଲେଣି ।

କଂଗ୍ରେସ ପାଇଁ ଅଶୁଭ ବର୍ଷ, ଅଶୁଭ ସମୟ ଆସିଛି କହିଲେ ଅତ୍ୟୁକ୍ତ ହେବ ନାହିଁ । ବହୁ ସଂଖ୍ୟାରେ କଂଗ୍ରେସ ନେତା ନିଜ ପଦରୁ ଇସ୍ତଫା ଦେବା ଆରମ୍ଭ କରିଦେଇଛନ୍ତି । ଦଳୀୟ ସମସ୍ୟା ବଢ଼ିବାରେ ଲାଗିଛି । କଂଗ୍ରେସରେ ଏବେ ଚାଲିଛି ଇସ୍ତଫା ପର୍ବ । ଦିଲ୍ଲୀ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ ଲିଲୋଠିଆ, ଅନୀଲ ଚୌଧୁରୀ, ମହିଳା କଂଗ୍ରେସ ଅଧ୍ୟକ୍ଷା ସୁମିତ୍ରା ଚୌହାନ୍, ତେଲଙ୍ଗାନା ପ୍ରଭାରୀ ପୁନମ ପ୍ରଭାକର, ବିହାର ପ୍ରଭାରୀ ବୀରେନ୍ଦ୍ର ରାଥୋଡ଼, ଯୁବ କଂଗ୍ରେସ ଉପାଧ୍ୟକ୍ଷ ଶ୍ରୀନିବାସ, ମଧ୍ୟପ୍ରଦେଶ ପ୍ରଭାରି ଦୀବପ ବାବାରିଆ ଓ ଗୋଆ ପ୍ରଭାରୀ ଗିରିଶ ଚୌଧକରଣ ନିଜ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ସଂଗଠନର ସଚିବଙ୍କ ସହ ଏହି ନେତାମାନେ ଆଲୋଚନା କରିବେ ।

ଅନ୍ୟପଟେ ଦଳରେ ଅନ୍ତକନ୍ଦଳ ସୃଷ୍ଟି ହୋଇଯାଇଛି । ନେତୃତ୍ୱ ଅଭାବରେ ସମସ୍ୟା ସମାଧାନ ବଦଳରେ ଦଳ ପାଇଁ ବିପଦ ଘନେଇ ଆସୁଛି । ମହିଳା କଂଗ୍ରେସ ମହାସଚିବ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ରାଜନୀତି ଦକ୍ଷତା ନଥିବା ଲୋକଙ୍କୁ ଆଗକୁ ବଢ଼ୁଥିବାର ସୁଯୋଗ ମିଳୁଛି । କିନ୍ତୁ ଅଭିଜ୍ଞ ବ୍ୟକ୍ତିମାନେ ପଛରେ ରହିଯାଉଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ଭବିଷ୍ୟତ ରଣନୀତି ପାଇଁ ପଦରୁ ଇସ୍ତଫା ଦେଇଥିବା ନେତାମାନେ ଗତାକାଲି ରାତିରେ ମାରାଥନ ବୈଠକ କରିଛନ୍ତି । ଜାତୀୟ କଂଗ୍ରେସରେ ଏବେ ହଡ଼କମ୍ପ ସୃଷ୍ଟି ହୋଇଛି । କାରଣ କିଛି ଯୁବନେତା ହସ୍ତାକ୍ଷର ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏହି ଅଭିଯାନରେ ବରିଷ୍ଠେ ନତାମାନଙ୍କ ହସ୍ତାକ୍ଷର ଦେଖିବାକୁ ମିଳିନାହିଁ । କୁହାଯାଉଛି ଏହି ମୁଦ୍ଦାରେ ବରିଷ୍ଠ ଓ ଯୁବନେତାଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖିବାପାଇଁ ମିଳିଛି ।

ଇସ୍ତଫାକୁ ନେଇ ଅନେକ ନେତା ସହମତ ନାହାନ୍ତି । ପୁରୁଖା ନେତାମାନେ କଂଗ୍ରେସର ଇସ୍ତଫା ପର୍ବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ପଦରୁ ଏତେ ସଂଖ୍ୟକ ନେତାଙ୍କ ଇସ୍ତଫା କାରଣରୁ ଦଳରେ ଅରାଜକତା ସୃଷ୍ଟି ହେବ । ନିର୍ବାଚନରେ ବିପର୍ଯ୍ୟୟ ପରେ ସମସ୍ତ ରାଜ୍ୟରେ ତାଳୁରୁ ତଳିପା ଯାଏଁ ସଂଗଠନରେ ପରିବର୍ତ୍ତନ କରାଯାଉଛି । ନେତା ବଦଳୁଛନ୍ତି । ନୂଆ ନେତା ବଛାଯାଉଛି । ତୃଣମୂଳ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ଚେଷ୍ଟା କରାଯାଉଛି । ଏପରିସ୍ଥଳେ ନେତାଙ୍କ ଇସ୍ତଫା ଦ୍ୱାରା କଂଗ୍ରେସ ଶାସିତ ରାଜ୍ୟ ଗୁଡ଼ିକର ମୂଳଦୁଆ ଦୋହଲିଯିବ ବୋଲି ବରିଷ୍ଠ ନେତାମାନେ ଆଶଙ୍କା କରୁଛନ୍ତି ।

ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ବି ଶୋକରେ ବୁଡ଼ି ରହିଛି ଦେଶର ସବୁଠାରୁ ପୁରାତନ ଦଳ । ଗୋଟିଏ ପରେ ପରାଜୟର ସମୀକ୍ଷା ଚାଲିଛି, ହେଲେ ପରାଜୟ ଶୋକରୁ ବାହାରିବା ପାଇଁ ତଥା ସ୍ଥିର ହେବା ପାଇଁ ଦଳକୁ ଆହୁରି ସମୟ ଲାଗିବ । ପରାଜୟ ଦୁଃଖକୁ ଏଯାଏଁ ଭୁଲିପାରି ନାହାନ୍ତି ନିଜେ କଂଗ୍ରେସ ଅଧ୍ୟକ୍ଷ । କର୍ମୀଙ୍କୁ ଭରସା ଦେବା ବଦଳରେ ଶୋକ ସାଗରରେ ବୁଡ଼ି ରହିଛନ୍ତି । ଦଳର ଏପରି ଅବସ୍ଥା ଦେଖି ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଶୋକପର୍ବ ଅଧିକ ଦିନ ଚାଲିବା ଶୁଭଙ୍କର ନୁହେଁ । ପରାଜୟରୁ ବାହାରିବା ପାଇଁ ଅଧିକ ସମୟ ନେଲେ ଲୋକେ ଧୀରେ ଧୀରେ ଦେଶର ପୁରୁଣା ଦଳକୁ ଭୁଲିବାରେ ଲାଗିବେ । ଏଥିପାଇଁ ତୁରନ୍ତ ଶୀର୍ଷ ନେତୃତ୍ୱ ଉଚିତ ପଦକ୍ଷେପ ନେବା ଜରୁରୀ ।