ଆସନ୍ତାକାଲିଠାରୁ ଶୀତକାଳୀନ ସଂସଦୀୟ ଅଧିବେଶନ । ସ୍ମସିତ କହିଲେ, ପର୍ଯ୍ୟଟନ ଠାରୁ ପୋଲାଭରମ୍, ପାର୍ଲାମେଣ୍ଟରେ ସବୁ ପ୍ରସଙ୍ଗ ଉଠାଇବ ବିଜେଡି ।

423

କନକ ବ୍ୟୁରୋ: ସଂସଦରେ ଉଠିବ ସବୁକଥା । ପର୍ଯ୍ୟଟନ ଠାରୁ ଆରମ୍ଭ କରି ପୋଲାଭରମ ଶୀତକାଳୀନ ସଂସଦୀୟ ଅଧିବେଶନରେ ସବୁ ପ୍ରସଙ୍ଗ ଉଠାଇବ ବିଜେଡି । ଆସନ୍ତାକାଲି ଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସସ୍ମିତ ପାତ୍ର ।

ଦେଶର ୧୭ଟି ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାରୁ ଗୋଟିଏ ବି ନଥିବାରୁ ବିଜେଡ଼ି ସାଂସଦମାନେ ପାର୍ଲାମେଣ୍ଟରେ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଏବାବଦରେ କହିବେ । ସେହିପରି କଟକ ବାଲିଯାତ୍ରାକୁ ଜାତୀୟସ୍ତର ହେରିଟେଜ୍‌ ମାନ୍ୟତା, ଡିଷ୍ଟ୍ରିକ୍‌ ମିନେରାଲ ଫଣ୍ଡ ଉପରୁ ଆୟକର ଉଚ୍ଛେଦ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଫି ବୃଦ୍ଧି, ପୋଲାଭରମ ପ୍ରକଳ୍ପ, ଆବାସ ଯୋଜନାରେ ବକେୟା ରାଶି ପ୍ରସଙ୍ଗ ଏହି ଶୀତକାଳୀନ ସଂସଦୀୟ ଅଧଇବେଶନରେ ଉଠାଇବ ବିଜେଡି ବୋଲି କହିଛନ୍ତି ସ୍ମସିତ ।

ତେବେ ଆଗାମୀ ଡିସେମ୍ବର ୩୧ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର ପୂର୍ବରୁ ବିଜୁ ଜନତା ଦଳ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛି । ଅଧିବେଶନ ପୂର୍ବରୁ ଗୃହ ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ହୋଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ । ଏଥିରେ ଯୋଗ ଦେଇ ବିଜେଡି ସାଂସଦ ପିନାକୀ ମିଶ୍ର ଓଡ଼ିଶାରେ ବିଧାନ ପରିଷଦ ଗଠନ ବିଲକୁ ସଂସଦର ଶୀତ ଅଧିବେଶନରେ ଆଗତ କରିବାକୁ ଦାବି ଜଣାଇଛନ୍ତି ।