ଗାଙ୍ଗୁଲିଙ୍କ ଥଟ୍ଟା, ମୋତେ ରାତି ସାରା ଶୁଆଇ ଦେଇନଥିଲା । ଯୁବରାଜ କଲେ ଖୁଲାସା ।

246

କନକ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ପୁଣି ଏକ ନୂଆ ଖୁଲାସା କରିଛନ୍ତି । ଆଉ ତାହା ବି ପୁଣି ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ । ଯୁବରାଜ ଦୀର୍ଘ ୨୨ ବର୍ଷ ତଳର ଏକ ଘଟଣା ମନେ ପକାଇ କହିଛନ୍ତି ଆଇସିସିର ଏକ ନକଆଉଟ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଗାଙ୍ଗୁଲି ଯେଉଁ ଥଟ୍ଟା କରିଥିଲେ ସେଥିପାଇଁ ମୋତେ ରାତି ସାରା ଅନିଦ୍ରା ରହିବାକୁ ପଡିଥିଲା ।

ନିଜର ଡେବ୍ୟୁ ମ୍ୟାଚରେ ହିଁ ଯୁବରାଜ ସିଂ ଦମଦାର ପ୍ରଦର୍ଶନ କରିଥିଲେ । ଗ୍ଲେନ ମ୍ୟାକଗ୍ରାଥ ଓ ବ୍ରେଟ ଲି’ଙ୍କ ଭଳି ଘାତକ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିବା ସହ ୮୪ ବଲରୁ ୮୦ ରନର ଇନିଂସ ଖେଳିଥିଲେ ଯୁବରାଜ । ଆଉ ନିର୍ଦ୍ଧାରିତ ଓଭରରେ ଭାରତ ୨୬୫ ରନର ଏକ ବିଶାଳ ସ୍କୋର ଛିଡା କରିଥିଲା । ତେବେ ମ୍ୟାଚର ପୂର୍ବ ଦିନ ରାତିରେ ଯୁବରାଜଙ୍କୁ ଗାଙ୍ଗୁଲି କହିଥିଲେ , ଆଗାମୀ ମ୍ୟାଚରେ ତୁମେ ଓପନିଂ କରିବ । ଆଉ ସେତେବେଳେ ମୁଁ କହିଥିଲି, ଯଦି ତୁମେ ଚାହୁଁଛ ମୁଁ ଓପନିଂ କରେ ତେବେ ମୁଁ କରିବି । ଆଉ ସେତେବେଳେ ମୁଁ ସାରାରାତି ଶୋଇ ପାରିନଥିଲି ।

ତେବେ ମ୍ୟାଚ୍ ଦିନ ଅଧିନାୟକ ସୌରଭ ଗାଙ୍ଗୁଲି କହିଥିଲେ, ମୁଁ ଥଟ୍ଟା କରୁଥିଲି । ଆଉ ନିଜେ ଗାଙ୍ଗୁଲି ମ୍ୟାଚରେ ଓପନିଂ କରିଥିଲେ । ଆଉ ମୋତେ ୫ ନମ୍ବରରେ ବ୍ୟାଟିଂ କରିବାକୁ ପଡିଥିଲା । କିନ୍ତୁ ଡେବ୍ୟୁ ମ୍ୟାଚରେ ମୋତେ ଯେଉଁ ଜୀବନଦାନ ମିଳିଥିଲା ତାହା ବଳରେ ମୁଁ ୮୦ ରନର ଇନିଂସ ଖେଳିବାକୁ ସକ୍ଷମ ହୋଇଥିଲି । ମୁଁ କିଛି ଭାବୁନଥିଲି ବାସ୍ ବଲକୁ ଦେଖି ମାରି ଚାଲୁଥିଲି । ଆଉ ଏହା ମୋ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ ଥିଲା । ସବୁଠୁ ବଡ କଥା ହେଲା ସେହି ମ୍ୟାଚରେ ହିଁ ମ୍ୟାନ୍ ଅଫ୍ ଦ ମ୍ୟାଚର ପୁରସ୍କାର ଯୁବରାଜଙ୍କୁ ମିଳିଥିଲା ।

କେବଳ ବ୍ୟାଟିଂ ନୁହେଁ ଫିଲ୍ଡିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ଯୁବରାଜ । ଅଷ୍ଟ୍ରେଲିଆର ବିସ୍ଫୋରକ ଖେଳାଳୀ ଇଆନ ହାର୍ବେଙ୍କ ଆକର୍ଷଣୀୟ କ୍ୟାଚ୍ ନେବା ସହ ମାଇକେଲ ବେଭାନଙ୍କୁ ରନ୍ ଆଉଟ କରି ଟିମ୍ ଇଣ୍ଡିଆରେ ନିଜର ସ୍ଥାନକୁ ପକ୍କା କରିଥିଲେ ଯୁବରାଜ ।