ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ସବାଇ ଘାସ, ଉଲ ଓ ଝୋଟରେ ତିଆରି ହେଉଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

98

କନକ ବ୍ୟୁରୋ : ସବାଇ ଘାସରେ ତିଆରି ହେଉଛି ଚପଲ । ଏହି ଚପଲ ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହାକୁ ପସନ୍ଦ କରୁଛନ୍ତି ଗ୍ରାହକ । ବଜାରରେ ଦିନକୁ ଦିନ ଇକୋଫ୍ରେଣ୍ଡଲି ଜିନିଷର ଚାହିଦା ବଢ଼ୁଛି । ତେଣୁ ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ନାବରା ଗାଁର ମହିଳା ମାନେ ସବାଇ ଘାସ, ଝୋଟ ଓ ଉଲରେ ତିଆରି କରୁଛନ୍ତି ୨୦୦ରୁ ଅଧିକ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ । ଝୋଟରେ ବିଭିନ୍ନ ପ୍ରକାରର ରେଡିମେଡ୍ ବ୍ୟାଗ୍ ସହ ଭ୍ୟାନିଟ୍ ବ୍ୟାଗ୍ ଭଳି ସୌଖୀନ୍ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ସେହିପରି ସବାଇ ଘାସରେ ପାଛିଆ, ଫୁଲ ଚାଙ୍ଗୁଡ଼ି, ଡାଲା ବୁଣୁଛନ୍ତି । ଉଲ୍ରେ ମଧ୍ୟ ବିଭିନ୍ନ ପ୍ରକାରର ଘରସଜା ସାମଗ୍ରୀ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଗ୍ରୁପର ସଦସ୍ୟା ।

ସବୁଠାରୁ ବଡ଼ କଥା ହେଉଛି ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ମହିଳା ମାନେ କୌଣସି ତାଲିମ ନେଇନାହାନ୍ତି । ୟୁଟ୍ୟୁବ୍ ଦେଖି ପ୍ରସ୍ତୁତ କରୁଛନ୍ତି ହସ୍ତତନ୍ତ ସାମଗ୍ରୀ । କଣ୍ଢେଇ, ଫୁଲଷ୍ଟଣ୍ଡ, ସିନେରି, ଚାବିରିଙ୍ଗ, ଟୋପି, ଡୋରସ୍କ୍ରିନ ଭଳି ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ସ୍ଥାନୀୟ ବଜାର ସହ ବିଭିନ୍ନ ମେଳାରେ ଷ୍ଟଲ ପକାଇ ବିକ୍ରି କରୁଛନ୍ତି । ୨୦୧୭ ମସିହାରେ ଗ୍ରୁପ ଗଠନ କରି ପ୍ରଥମେ ୧୦ ଜଣ ସଦସ୍ୟା କାର୍ଯ୍ୟ ଅରମ୍ଭ କରିଥିଲେ । ବ୍ୟବସାୟ ବଢିବାରୁ ଏବେ ସେମାନେ ୪୪ ଜଣ ସ୍ଥାନୀୟ ମହିଳାଙ୍କୁ ଏଥିରେ ସାମିଲ କରିଛନ୍ତି । ପ୍ରତ୍ୟେକ ସଦସ୍ୟା ମାସକୁ ପାଖାପାଖି ୫ ରୁ ୭ ହଜାର ଟଙ୍କା ରୋଜଗାର କରୁଛନ୍ତି । ଯାହା ଫଳରେ ଏମାଙ୍କୁ କାହା ପାଖରେ ହାତ ପତାଇବାକୁ ପଡୁନାହିଁ ।

ଏଥିପାଇଁ ମହିଳାଙ୍କୁ ମୟୁରଭଞ୍ଜରୁ ସବାଇଘାସ, ବାଲିଆପାଳରୁ ଝୋଟ ଏବଂ ସ୍ଥାନୀୟ ବଜାରରୁ ଉଲ ସମେତ ଅବଶ୍ୟକ କଂଚାମାଲ ଆଣିବାକୁ ପଡ଼ୁଛି । ଗୋଟିଏ ଝୋଟ ପାପୋଛ ତିଆରି ପାଇଁ ୪୦ ରୁ ୫୦ ଟଙ୍କା ଖର୍ଚ୍ଚ ହେଉଛି । ଏହାକୁ ୮୦ ରୁ ୧୨୦ ଟଙ୍କାରେ ବିକ୍ରୀ କରାଯାଉଛି । ସେହିଭଳି ଚପଲ ତିଆରି ପାଇଁ ୨୦ ରୁ ୫୦ ଟଙ୍କା ଖର୍ଚ୍ଚ ହେଉଛି । ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି କରାଯାଉଛି । ଫୁଲଷ୍ଟାଣ୍ଡ ପାଇଁ ୫୦ ରୁ ୬୦ ଟଙ୍କା ଖର୍ଚ୍ଚ ହେଉଛି । ୧୦୦ ରୁ ୧୧୦ ଟଙ୍କାରେ ବିକ୍ରୀ କରୁଛନ୍ତି ମହିଳା । ସିନେରି ପାଇଁ ୧୫୦ ଖର୍ଚ୍ଚ ହେଉଥିବା ବେଳେ ୨୫୦ ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ସବାଇ ଘାସରୁ ତିଆରି ପାଛିଆ ପାଇଁ ୪୦ ରୁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୧୫୦ ରୁ ୨୦୦ ଟଙ୍କାରେ ବିକ୍ରୀ ହେଉଛି । ଉଲରେ ତିଆରି ଡୋର ସ୍କ୍ରୀନ ପାଇଁ ୭୦ରୁ ୮୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୦ ରୁ ୨୫୦ ଟଙ୍କାରେ ବିକ୍ରୀ କରୁଛନ୍ତି ମହିଳା ।