ନୂଆ ପ୍ରଣାଳୀରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର ଯୁବ ଚାଷୀ ମନୋରଞ୍ଜନ । ଧିଙ୍ଗିରି ଛତୁ, ପାଳ ଛତୁ, ମିଲ୍କ ମସରୁମ୍ ଚାଷକରି ହେଉଛନ୍ତି ଲାଭବାନ

197

କନକ ବ୍ୟୁରୋ : ନୂଆ ପ୍ରଣାଳୀରେ ଛତୁ ଚାଷ । ବାପା କରୁଣାକରଙ୍କ ସହ ମିଶି ସେମି କମ୍ପୋଷ୍ଟ ଜରିଆରେ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ବାଲେଶ୍ୱର ରେମୁଣା ବ୍ଲକ ମଙ୍ଗଳପୁର ଗାଁର ମନୋରଞ୍ଜନ । ୨୦୨୦ରୁ ବିଏ ପାସ୍ କରିବା ପରେ ଏହି କାମରେ ଲାଗିପଡ଼ିଛନ୍ତି ମନୋରଞ୍ଜନ । ନୂଆ ପ୍ରଣାଳୀରେ ଚାଷ କରିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ଏଥିପାଇଁ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି । କିନ୍ତୁ ଏବେ ଏଥିରେ ସଫଳ ହୋଇ ସେ ଭଲ ରୋଜଗାର କରୁଛନ୍ତି । ଧିଙ୍ଗିରି ଛତୁ, ପାଳ ଛତୁ, ମିଲ୍କ ମସରୁମ୍ ଭଳି ବିଭିନ୍ନ ପ୍ରକାରର ଛତୁ ଚାଷ କରୁଛନ୍ତି ମନୋରଞ୍ଜନ ଓ ତାଙ୍କ ବାପା ।

ଡି-କମ୍ପୋଷ୍ଟ ପ୍ରଣାଳୀରେ ବର୍ଷ ସାରା ଛତୁ ଅମଳ ହୋଇଥାଏ । କମ୍ ଖର୍ଚ୍ଚରେ ଅଧିକ ଅମଳ ମିଳିଥାଏ । ଅତ୍ୟାଧୁନିକ ପ୍ରଣାଳୀରେ ଛତୁ ଚାଷ ପାଇଁ ମନୋରଞ୍ଜନ ସ୍ୱତନ୍ତ୍ର କୋଠରୀ କରିଛନ୍ତି । ଯେଉଁଥିରେ ବାୟୁମଣ୍ଡଳର ଆଦ୍ରତା ଓ ତାପମାତ୍ରା ସ୍ଥିର ରଖିବାକୁ ପଡ଼ୁଛି । ପାଳ ଛତୁ ଚାଷ ପାଇଁ ୩୦ରୁ ୩୨ ଡିଗ୍ରୀ ତାପମାତ୍ରା ଓ ଆଦ୍ରତା ୯୫ରୁ ୧୦୦ ରହିବା ଦରକାର । ଯାହାଦ୍ୱାରା ଭଲ ଛତୁ ଅମଳ ହୋଇଥାଏ ବୋଲି କହିଛନ୍ତି ମନୋରଞ୍ଜନ । ଏହି ପ୍ରଣାଳିରେ ଛତୁ ଚାଷ କଲେ ଖୁବ୍ କମ୍ ନଡ଼ାରେ ଭଲ ଅମଳ ହୋଇଥାଏ । ପ୍ରଥମେ ସମାନ ପରିମାଣର ନଡ଼ା ଓ ତୁଳା ବତୁରାଯାଏ  । ଏହା ପରେ ସେଥିରେ କୁଣ୍ଡା, ଚୂନ, ଖତ ଗୋଳାଇ ଦିଆଯାଏ । ଆମୋନିଆ ଗ୍ୟାସ ବାହାରିଯିବା ପରେ ଚାମ୍ବରରେ ବାମ୍ଫ ଦେଇ ବେଡ ପକାଇବାକୁ ପଡ଼ିଥାଏ । ଏହାର ୯ ଦିନ ପରେ ମଞ୍ଜିରୁ କଢ଼ ଆସେ । ୧୨ ଦିନରେ ଅମଳ ହୋଇଥାଏ ବୋଲି କହିଛନ୍ତି ଯୁବ ଚାଷୀ ।

ଗୋଟିଏ ଗୋଟିଏ ବେଡ଼ରୁ ଦୁଇ କିଲୋ ଛତୁ ଅମଳ ହେଉଥିବା ବେଳେ ଦିନକୁ ୮ରୁ ୧୦ କିଲୋ ଛତୁ ଅମଳ ହେଉଛି । ଏହାକୁ ୨୫୦ରୁ ୩୦୦ ଟଙ୍କାରେ ବିକ୍ରୀ କରି ଲାଭବାନ ହେଉଛନ୍ତି ଯୁବ ଚାଷୀ । ମନୋରଞ୍ଜନଙ୍କ ବାପା କରୁଣାକର ଆଜକୁ ପ୍ରାୟ ୨୫ ବର୍ଷ ହେଲା ପାରମ୍ପରିକ ପ୍ରଣାଳିରେ ଛତୁ ଚାଷ କରୁଛନ୍ତି । ତେବେ ନୂଆ ପ୍ରଣାଳୀରେ ଚାଷ କରି ସଫଳ ହେବା ପରେ ସେ ବେଶ ଖୁସି ପ୍ରକାଶ କରିଛନ୍ତି ।