କଳାମୁଗୁନି ପଥର କାରିଗରି ପାଇଁ ଏହି ଗାଁର ରହିଛି ପ୍ରସିଦ୍ଧି । ବଜାର ବ୍ୟବସ୍ଥା ଓ ପ୍ରୋତ୍ସାହନ ଅଭାବରୁ ବେଉସା ହରାଇଲେଣି କାରିଗର

91

କନକ ବ୍ୟୁରୋ : ସଙ୍କଟରେ କନ୍ଦାଗଡ଼ର ପଥର ଶିଳ୍ପ । ନିର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ଅଲୋଡ଼ା । ଉପଯୁକ୍ତ ବଜାର ଓ ପ୍ରୋତ୍ସାହନ ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଥର ଶିଳ୍ପୀ । କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ ଥିବା ପଥର ଶିଳ୍ପୀଙ୍କ ଗାଁ ହେଉଛି କନ୍ଦାଗଡ଼ । ପଥର କଳା ପାଇଁ ଗାଁର ରହିଛି ସ୍ୱତନ୍ତ୍ର ପରିଚୟ । ଏଠାକାର କାରିଗରଙ୍କ ହାତରେ କଥା କହେ ପଥର ମୂର୍ତି । ଗ୍ରାହକଙ୍କ ଚାହିଦା ମୁତାବକ କଳାମୁଗୁନି ପଥରରେ ବିଭିନ୍ନ ଦେବା ଦେବୀଙ୍କ ମୂର୍ତି ଗଢ଼ନ୍ତି କାରିଗର । ବର୍ତମାନ ବ୍ୟବସାୟ ନଥିବାରୁ ଏହି ବୃତି ଏବେ ଦିଗହରା ହୋଇପଡ଼ିଛି । ଶିଳ୍ପୀ ମାନେ ପରିବାର ପ୍ରତିପୋଷଣ ପାଇଁ କିଏ ଦାଦନ ଖଟୁଛନ୍ତି ତ ପୁଣି କିଏ ଦିନ ମଜୁରିଆ କାମ କରୁଛନ୍ତି ।

ପିଢ଼ି ପରେ ପଢ଼ି ଏହି ପଥର ଶିଳ୍ପ କାମ କରୁଛନ୍ତି କଳାକାର । କାଳକ୍ରମେ ଯୁବ ପିଢ଼ି ମଧ୍ୟ ଏହି କଳାକୁ ଆପଣାଇ ବେଶ ପ୍ରସିଦ୍ଧି ଲାଭ କରିଥିଲେ । କିନ୍ତୁ ଏବେ ପଥର କାମ କରିବା ପାଇଁ ଘର କିମ୍ବା ବିକ୍ରି ପାଇଁ ବଜାର ନଥିବାକୁ ଏହି ବେଉସା ହରାଇଲେଣି କାରିଗର । ପୂର୍ବରୁ ଗାଁର ବହୁ କାରିଗର ଜୀବନ ଜୀବିକା ପାଇଁ ଏହି କାମ କରୁଥିଲେ । ଏବେ କିଛି ହାତ ଗଣତି କାରିଗର ଅନ୍ୟ କୌଣସି କାମ ଧନ୍ଦା ନଥିବାରୁ ମୂର୍ତି କାମରେ ଲାଗିଛନ୍ତି ।