ମା’ଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଆ କବିତା ଆବୃତି କରି ବର୍ଣ୍ଣନା କଲେ ମାତୃଶକ୍ତିର ମହିମା ।

244

କନକ ବ୍ୟୁରୋ: ରାଷ୍ଟ୍ରପତିଙ୍କ ମୁହଁରେ ଓଡ଼ିଆ କବିତା । ଗୋଟିଏ ପରେ ଗୋଟିଏ ଓଡ଼ିଆ କବିତାର ପଂକ୍ତି ଝରିଆସୁଥିଲା ମହାମହିମଙ୍କ ମୁହଁରୁ, ଆଉ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ଉପସ୍ଥିତ ଜନତା । ଉକ୍ରଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କବିତା ଛଳରେ ମାଆର ମହିମା ବର୍ଣ୍ଣନା କରିଥିଲେ ମହାମହିମ ।

ମାତୃକରୁଣା ଓ ମାତୃପ୍ରେରଣା, ଜଣେ ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିରେ ପରିଣତ କରି ଦେଇଥାଏ, ଏପରି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଅବସର ଥିଲା ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ । ଭୁବନେଶ୍ୱର ସ୍ଥିତ ଉକ୍ରଳ ମଣ୍ଡପରେ ଆୟୋଜିତ ସମାରୋହରେ ଯୋଗ ଦେଇଥିଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କବିତା ଛଳରେ ମାଆର ମହିମା ବର୍ଣ୍ଣନା କରିବା ସହ ରାଷ୍ଟ୍ରପତି କହିଛନ୍ତି, ଶିବାଜୀଙ୍କ ବୀରତ୍ୱ ପଛରେ ମାଆ ଜିଜାବାଈଙ୍କ ଅବଦାନ ଓ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ମାର୍ଗ ପଛରେ ରହିଥିଲା ମାଆ ପୁତଲିବାଈଙ୍କ ପ୍ରେରଣା । ସେ କହିଛନ୍ତି, ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ଯୋଗ ଜୀବନରେ ମାତା ଜ୍ଞାନପ୍ରଭାଙ୍କ ଆର୍ଶୀବାଦ ରହିଥିଲା ।

ଯୁବପିଢ଼ିଙ୍କୁ ପରାମର୍ଶ ଦେଇ ରାଷ୍ଟ୍ରପତି କହିଛନ୍ତି, ବାପାମାଆଙ୍କୁ ଦେବତା କହି ତାଙ୍କ ଫଟୋକୁ ପୂଜା କରିବା ଆଧ୍ୟାତ୍ମିକତା ନୁହେଁ, ବାର୍ଦ୍ଧକ୍ୟରେ ପିତାମାତାଙ୍କ ଯତ୍ନ ନେବା ଠାରୁ ଆଉ କିଛି ବଡ଼ ଧର୍ମ ନାହିଁ । ତେବେ ଆଧ୍ୟାତ୍ମିକତା ଓ ମାତୃଶକ୍ତିର ପ୍ରାସଙ୍ଗିକତା ସଂପର୍କରେ ମତବ୍ୟକ୍ତ କରିଥିଲେ ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦ । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସମସ୍ତ ବୈଜ୍ଞାନିକ ପ୍ରୟୋଗରେ ମୂଳ ପ୍ରୟୋଗଶାଳା ହେଉଛି ମାତୃଶକ୍ତି ।

ଗ୍ଲୋବାଲ୍ ୱାର୍ମିଂ ଭଳି ସମସ୍ୟାରୁ ମୁକୁଳିବାକୁ ହେଲେ ପ୍ରକୃତି ମାଆକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଛନ୍ତି ଆମ ପୂର୍ବଜମାନେ ମଣିଷ-ପଶୁ-ପକ୍ଷୀ-ପ୍ରକୃତିଙ୍କ ସହାବସ୍ଥାନକୁ ପ୍ରାଧାନ୍ୟ ଦେଉଥିଲେ । ଏହାକୁ ଆଧାର କରି ଏ ପୃଥିବୀରେ ଆମ ସମସ୍ତଙ୍କୁ ବଞ୍ଚିବାକୁ ପଡ଼ିବ ।