ଥମୁନି କୁସ୍ତିଯୋଦ୍ଧାଙ୍କ କଳି । ପଦ୍ମଶ୍ରୀ ଫେରାଇଲେ ପୁନିଆ, ସାକ୍ଷୀଙ୍କ ସନ୍ନ୍ୟାସ ଘୋଷଣା

191

କନକ ବ୍ୟୁରୋ : ଦୀର୍ଘଦିନ ହେବ ଚାଲିଥିବା ବିବାଦ ଥମିବା ବଦଳରେ ଦିନକୁ ଦିନ ଉଗ୍ର ହେଉଛି । ସଂଜୟ ସିଂଙ୍କୁ କୁସ୍ତି ମହାସଂଘର ସଭାପତି କରାଯିବା ପରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମର୍ମର୍ାହତ ହୋଇ ପ୍ରଥମେ ସାକ୍ଷୀ ମଲ୍ଲିକ କୁସ୍ତିରୁ  ସନ୍ନ୍ୟାସ ଘୋଷଣା କରିବା ପରେ ସାମ୍ବାଦିକ ସମ୍ମିଳନୀରେ କାନ୍ଦି କାନ୍ଦି ନିଜ ଦୁଃଖ ଜଣାଇଥିଲେ ଭିନେଶ ଫୋଗଟ । ଆଉ ଏବେ ଚାମ୍ପିୟନ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇଛନ୍ତି । କର୍ତବ୍ୟବଥ ଫୁଟପାଥରେ ପଦ୍ମଶ୍ରୀ ପଦକକୁ ରଖି ଚାଲିଯାଇଥିବା ଜଣାପଡିଛି । ପୁନିଆ କହିଛନ୍ତି—ପ୍ରଧାନମନ୍ତ୍ରୀ ବ୍ୟସ୍ତ ଥିବାରୁ ତାଙ୍କୁ ସାକ୍ଷାତ କରିପାରିଲିନି । ପଦ୍ମଶ୍ରୀ ମେଡ଼ାଲକୁ ଘରକୁ ଆଉ ଫେରାଇ ନେବିନି ।  ଝିଅ ଓ ମାଙ୍କ ପାଇଁ ଆମ ଲଢେଇ ଜାରି ରହିବ । ଆମକୁ ନ୍ୟାୟ ଦେଇପାରିଲେନି ସରକାର । ତେଣୁ ମୁଁ ନିଜକୁ ପଦ୍ମଶ୍ରୀ ସମ୍ମାନର ଯୋଗ୍ୟ ଭାବୁନି । ଚିଠି ସହ ପଦ୍ମଶ୍ରୀକୁ ଛାଡିଯାଉଛି ।

କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଅନେକ ରାଜନେତାଙ୍କଠୁ ନେଇ କ୍ରୀଡାବିତ ଏବଂ ସେଲିବ୍ରେଟି ଆଗକୁ ଆସିଛନ୍ତି । ବକ୍ସର ବିଜେନ୍ଦ୍ର ସିଂ କହିଛନ୍ତି ଯାହା ସବୁ ଘଟୁଛି ଏହା ଅତ୍ୟନ୍ତ ନିନ୍ଦଦୀୟ । ସରକାର ଏହା ଉପରେ ଦୃଷ୍ଟି ଦେବା ଜରୁରୀ । ଅନ୍ୟପଟେ ଶୁକ୍ରବାର କୁସ୍ତିଯୋଦ୍ଧାଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ଦଳ କହିଛି କୁସ୍ତିଯୋଦ୍ଧା ସହ ଶେଷ ପର୍ଯ୍ୟନ୍ତ ଏକାଠି ମିଶି ଲଢେଇ ଜାରି ରଖିବ ।

କୁସ୍ତିମହାସଂଘର ସଭାପତି ଭାବେ ସଂଜୟ ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ସଂଜୟ ହେଉଛନ୍ତି ପୂର୍ବତନ ସଭାପତି ତଥା ବିବାଦର ମୁଖ୍ୟ କାରଣ କୁହାଯାଉଥିବା ବ୍ରିଜଭୂଷଣଙ୍କ ଘନିଷ୍ଟ ସହଯୋଗୀ । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗ ଆସିବା ପରେ ଏକାଧିକ କୁସ୍ତିଯୋଦ୍ଧା ଆନ୍ଦୋଳନ କରିଥିଲେ । ବ୍ରିଜଭୂଷଣଙ୍କ ଇସ୍ତଫା ଦାବି ମଧ୍ୟ କରିଥିଲେ । କିନ୍ତୁ ଇସ୍ତଫା ଦେବେନି ବୋଲି ସଫା ସଫା କହିଥିଲେ ବ୍ରିଜ ଭୂଷଣ । ଏବେ ତାଙ୍କ କାର୍ଯ୍ୟକାଳ ସରିବା ପରେ ଯେଉଁ ନିର୍ବାଚନେ ହୋଇଛି ସେଥଇରେ ସଂଜୟ ସିଂଙ୍କୁ କୁସ୍ତି ମହାସଂଘର ସଭାପତି କରାଯାଇଛି ।ଯାହାକୁ ଜୋରଦାର ବିରୋଧ କରୁଛନ୍ତି କୁସ୍ତିଯୋଦ୍ଧା ।