ସମଲିଙ୍ଗୀ ବିବାହ ବଢାଇବ କି ସମସ୍ୟା? ଜାରି ରହିଛି ବିତର୍କ, ବିରୋଧ କରୁଛନ୍ତି କେନ୍ଦ୍ର ସରକାର ।

190

କନକ ବ୍ୟୁରୋ: ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତି ପାଇଁ ଜାରି ରହିଛି ବିତର୍କ । ତୃତୀୟ ଦିନରେ ବି ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦଚୂଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ୫ ଜଣିଆ ବେଞ୍ଚ ଏହି ପ୍ରସଙ୍ଗରେ ଶୁଣାଣି କରୁଛନ୍ତି । ସମଲିଙ୍ଗୀ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ହାଜର ହୋଇଥିବାବେଳେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରହତୋଗି ଯୁକ୍ତି ଉପସ୍ଥାପନ କରୁଛନ୍ତି ।

ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର ଜୋରଦାର ବିରୋଧ କରୁଛନ୍ତି । ଏ ପ୍ରସଙ୍ଗରେ ସମସ୍ତ ରାଜ୍ୟର ମତାମତ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସିଜେଆଇ ଡିୱାଇ ଚନ୍ଦ୍ରଚୂଡ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି, ସମଲିଙ୍ଗୀ ସମ୍ପର୍କ କେବଳ ଏକ ସହରୀ ଆଭିଜାତ୍ୟ ବିଚାର ନୁହେଁ । ସହାରାଞ୍ଚଳରେ ଲିଙ୍ଗଗତ ପରିଚୟ ନେଇ ଅନେକ ବ୍ୟକ୍ତି ସାମ୍ନାକୁ ଆସନ୍ତି । ଏହାର ଅର୍ଥ ନୁହେଁ ଯେ, ସମଲିଙ୍ଗୀ ସମ୍ପର୍କକୁ କେବଳ ଏକ ସହରୀ ବିଚାର ଭାବେ ଗ୍ରହଣ କରାଯିବ । ଏ ନେଇ ସରକାରଙ୍କ ପାଖରେ ସେଭଳି ତଥ୍ୟ ମଧ୍ୟ ନାହିଁ । ସୁପ୍ରିମକୋର୍ଟରେ ଶୁଣାଣି ବିତର୍କରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି ।

ସମଲିଙ୍ଗୀ ବିବାହ ବଢ଼ାଇବ କି ସମସ୍ୟା?

  • ସମଲିଙ୍ଗୀ ବିବାହରେ କିଏ ସ୍ୱାମୀ ଓ କିଏ ସ୍ତ୍ରୀ?
  • ଯଦି ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳେ, ତାହାଲେ ସାଥୀଙ୍କ ବୟସ କିପରି ନିର୍ଦ୍ଧାରଣ ହେବ?
  • ଝିଅ-ଝିଅ ବାହାହେଲେ ସେମାନଙ୍କ ବିବାହ ବୟସ କ’ଣ ୧୮ ରହିବ?
  • ସେହିପରି ପୁଅ-ପୁଅ ବିବାହ କଲେ ସେମାନଙ୍କ ବିବାହ ବୟସ କ’ଣ ୨୧ ରହିବ?
  • ବିବାହ ବିଚ୍ଛେଦ ହେଲେ କିଏ କାହାକୁ ଭରଣ-ପୋଷଣ ଦେବ?
  • ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଅନୁମତି ମିଳିବ କି ନାହିଁ?
  • ଛାଡପତ୍ର ପରେ ପୋଷ୍ୟ ସନ୍ତାନଙ୍କ ଦାୟିତ୍ୱ କିଏ ନିର୍ବାହ କରିବ?
  • ସମାଜ ଏହାକୁ ସହଜରେ ଗ୍ରହଣ କରିବ ତ?
  • କାହା ପୈତୃକ ସମ୍ପତ୍ତିର ଭାଗ କାହା ପାଖକୁ ଯିବ?
  • ପରମ୍ପରା ଅନୁସାରେ କେବଳ ପୁଅ ଓ ଝିଅଙ୍କ ମଧ୍ୟରେ ବିବାହ ହୁଏ
  • ସମଲିଙ୍ଗୀ ବିବାହକୁ ଅନୁମତି ଦେଲେ ଏହି ଧାରା ବଦଳିଯିବ ନାହିଁ ତ?
  • ଅନେକ ସ୍ଥାନରେ ଗଛ କିମ୍ବା ଗୃହପାଳିତ ପଶୁଙ୍କୁ ବିବାହ କରିବାର ପରମ୍ପରା ରହିଛି
  • ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଏଭଳି ଅନ୍ଧବିଶ୍ୱାସକୁ ବଢାଇବ ନାହିଁ ତ?