ଓମିକ୍ରନକୁ ନେଇ ଆଶ୍ୱସ୍ତିବାଣୀ…ଆମେରିକାର ହୃଦରୋଗ ବିଶେଷଜ୍ଞ କହିଲେ, ଏହା ସାଧାରଣ ଥଣ୍ଡା ଜ୍ୱର। ମହାମାରୀର ଅନ୍ତ କରିବାରେ ହେବ ସହାୟକ

1,207

କନକ ବ୍ୟୁରୋ: ଓମିକ୍ରନ ଭୂତାଣୁ ହେବ ପ୍ରାକୃତିକ ଟିକା । ଯେଉଁ ଓମିକ୍ରନ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି, ତାକୁ ନେଇ ଆମେରିକାର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହି ଦାବି କରିଛନ୍ତି । କହିଛନ୍ତି, ଆସନ୍ତା କିଛି ସପ୍ତାହରେ ପ୍ରାୟ ସମସ୍ତେ ଓମିକ୍ରନ ଭୂତାଣୁରେ ସଂକ୍ରମିତ ହେବେ । କିନ୍ତୁ ଅଧିକାଂଶ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବ ନାହିଁ । କ୍ରମେ ଡେଲଟାର ସ୍ଥାନ ଓମିକ୍ରନ ନେଇ ଯିବ ଓ ଏହି ମହାମାରୀର ଅନ୍ତହେବ ।

ଆମେରିକା କାର୍ଲିଫର୍ଣ୍ଣିଆର ଲସଆଞ୍ଜେଲେସ୍ କାର୍ଡିଓଲୋଜି ହସ୍ପିଟାଲର ଜଣେ ବିଶିଷ୍ଟ କାର୍ଡିଓଲୋଜିଷ୍ଟ ହେଉଛନ୍ତି ଆଫସିନ୍ ଇମରାନି । ହାର୍ଟ ସ୍ପେଶାଲିଷ୍ଟ ଭାବରେ ବେଶ ଜଣାଶୁଣା ଏହି ୫୩ ବର୍ଷୀୟ ଡାକ୍ତର ଓମିକ୍ରନକୁ ନେଇ ଯେଉଁ ତଥ୍ୟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡାକ୍ତର ଆଫସିନ୍ ଓମିକ୍ରନକୁ ନେଇ ସିରିଜ୍ ଟୁଇଟ୍ କରିଛନ୍ତି । ଯେଉଁଥିରେ ଏହି ଭାଇରସର ମାରକ କ୍ଷମତା ଓ ଏହାର ପ୍ରଭାବ ଉପରେ ତଥ୍ୟ ଦେଇଛନ୍ତି ।

  • ଆଗାମୀ କିଛି ସପ୍ତାହ ଭିତରେ ସମସ୍ତେ ଓମିକ୍ରନ ଭାଇରସ୍ ସଂସ୍ପର୍ଶରେ ନିଶ୍ଚିତ ଆସିବେ ।
  • ଅଧିକାଂଶଙ୍କୁ ଅଳ୍ପ ପରିମାଣର ଥଣ୍ଡା ହେବ, ଖୁବ୍ କମ୍ ଲୋକ ହସ୍ପିଟାଲ୍ ଯିବେ, ଖୁବ୍ କମ ଲୋକଙ୍କୁ ଅମ୍ଳଜାନର ଆବଶ୍ୟକତା ପଡିବ ।
  • ଡେଲଟା ଭୂତାଣୁର ସ୍ଥାନ ନେଇଯିବ ଓମିକ୍ରନ ।
  • ଓମିକ୍ରନ୍ ପ୍ରାକୃତିକ ଭାକ୍ସିନ୍ ଭାବରେ କାମ କରିବ ଏବଂ ଲୋକମାନଙ୍କ ମଧ୍ୟରେ ହାର୍ଡ ଇମ୍ୟୁନିଟି ତିଆରି କରିବ ।
  • ଏହି ମହାମାରୀର ଅନ୍ତ ହେବ ।

 ଏକ ଟୁଇଟ୍ କରି ଡାକ୍ତର ଆଫସିନ୍ ଇମରାନି କହିଛନ୍ତି, ଓମିକ୍ରନ ଏକ ଖୁସି ଖବର । ଏହା ଏକ ମୃଦୁ ଥଣ୍ଡା ଏବଂ ଏହି ଭାଇରସ୍ ସମ୍ପୂର୍ଣ୍ଣ ଭାବରେ ଡେଲଟା ଭାଇରସକୁ ହଟାଇ ଦେବ । ଏଥିରେ ହସ୍ପିଟାଲ ଯିବାର ଆବଶ୍ୟକତା ପଡିବନି, ଭେଣ୍ଟିଲେଟରର ଆବଶ୍ୟକତା ପଡିବନି ଏବଂ କେହି ମୃତ୍ୟୁ ବରଣ କରିବେ ନାହିଁ ।

ଆଉ ଏକ ଟୁଇଟରେ ଡାକ୍ତର ଆଫସିନ୍ ଇମରାନି କହିଛନ୍ତି, ତାଙ୍କ ମତରେ ସରକାର ଏବଂ ସରକାରୀ ଏଜେନ୍ସି ଅଧିକ ପ୍ରତିକ୍ରିୟାଶୀଳ ହେବା ବେଶୀ ବିପଦପୂର୍ଣ୍ଣ । ଏହାଦ୍ୱାରା ପାନିକ ଅର୍ଥାତ୍ ଭୟର ବାତାବରଣ ସୃଷ୍ଟି ହେବ, ଲୋକଙ୍କ ପାଖକୁ ଭୁଲ୍ ସୂଚନା ଯିବ । ସେ ଆହୁରି ମଧ୍ୟ କହିଛନ୍ତି, ହସ୍ପିଟାଲରେ ଓମିକ୍ରନ ଆକ୍ରାନ୍ତ ହୋଇ ୩୦ରୁ ୭୦ ପ୍ରତିଶତ କର୍ମଚାରୀ କ୍ୱାରେଣ୍ଟିନରେ ଯିବାଦ୍ୱାରା ଅନ୍ୟ ରୋଗୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବ । ଆମେ ଲୋକଙ୍କୁ ଆଶା, ମାନସିକ ସହାୟତା ଦେବା ଦରକାର । ଏଥିସହ ଡାଏଟ୍, ଏକ୍ସସରସାଇଜ୍, ସୂର୍ଯ୍ୟ କିରଣର ଉପକାରିତା ଓ ଭଲ ଶୋଇବା ଉପରେ ଶିିକ୍ଷା ଦେବା ଦରକାର ।

ଲସଆଞ୍ଜେଲେସ୍ କାର୍ଡିଓଲୋଜି ହସ୍ପିଟାଲର ଏହି ବିଶିଷ୍ଟ କାର୍ଡିଓଲୋଜିଷ୍ଟ କହିଛନ୍ତି, ଏହି ଭାରିଆଣ୍ଟ୍ ଅଜାଣତରେ ଆମ ପାଇଁ ଆଶୀର୍ବାଦ ଭଳି କାମ କରିବ । କିନ୍ତୁ ସରକାରମାନଙ୍କର ଅତ୍ୟଧିକ ପ୍ରତିକ୍ରିୟା କ୍ଷତି କରିବ ।