ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ବଢ଼ିଲା ବାତ୍ୟା ଆଶଙ୍କା : ୨୪ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

314

କନକ ବ୍ୟୁରୋ : ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ବଢିଲା ବାତ୍ୟା ଆଶଙ୍କା । ଘୂର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୂତ ହୋଇ ୨୦ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ଅନ୍ତାର୍ଜାତୀୟ ପାଣିପାଗ ମଡେଲର ଆକଳନ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ଅଧିକାଂଶ ମଡେଲର ଆକଳନ ବାତ୍ୟା ନିଶ୍ଚିତ ହେବ ।

ଇସିଏମ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡି ୨୬ତାରିଖରେ ବାତ୍ୟା ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଦର୍ଶାଇଛି । ସେହିପରି ଜିଏଫଏସ ମଡେଲ ଅନୁସାରେ ବାତ୍ୟା ଉତର ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଇଛି । କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନାହିଁ । ତେବେ ବାତ୍ୟାର ପ୍ରଭାବ କେତେ ରହିବ ଓ ଏହା କେତେ ଶକ୍ତିଶାଳୀ ହେବ ସେ ନେଇ ସଠିକ୍‌ ଆକଳନ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଦୀପାବଳି ବର୍ଷାରେ ଭିଜିବ ବୋଲି ଏକ ପ୍ରକ‌ା‌ର ସ୍ପଷ୍ଟ ହୋଇଯାଇଛି । ଆସନ୍ତା ୨୪ରୁ ୨୬ ତାରିଖ ଯାଏ ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ ।

ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ଆକଳନ ଅନୁଯାୟୀ ୨୦ ତାରିଖରେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ପରେ ଏହା ଅଧିକ ଘନୀଭୂତ ହେବ । ଯଦିଓ ଏବେଠାରୁ ବାତ୍ୟା ଆକଳନ ସଠିକ୍‌ ହେବ ନାହିଁ ତଥାପି ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ଏହା ବାତ୍ୟାର ରୂପ ନେବ ବୋଲି ସୂଚନା ମିଳିଛି । ୨୨ ତାରିଖ ଆଡ଼କୁ ସ୍ପଷ୍ଟ ଚିତ୍ର ଆସିଯିବ ।

ଲଘୁଚାପଟି ଅଧିକ ଘନୀଭୂତ ହୋଇ କେଉଁ ଦିଗରେ ଗତି କରିବ, ତାହା ବାତ୍ୟା ସୃଷ୍ଟିକୁ ସ୍ପଷ୍ଟ କରିବ ବୋଲି ସେ କହିଛନ୍ତି । କିନ୍ତୁ ଓଡ଼ିଶାରେ ୨୪ରୁ ୨୬ ତାରିଖ ଯାଏ ପ୍ରବଳ ବର୍ଷିବ। ୨୩ ତାରିଖ ଅପରାହ୍ନରୁ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ମଧ୍ୟ ଆରମ୍ଭ ହୋଇଯିବ । ଅନ୍ୟପଟେ ରାଜ୍ୟରୁ ମଧ୍ୟ ମୌସୁମୀ ଅପସାରଣ ନେଇ ବାତାବରଣ ଅନୁକୂଳ ହୋଇସାରିଛି। ଗତ ୨ ଦିନ ହେଲା ରାଜ୍ୟରେ ବର୍ଷା ହୋଇନଥିବା ବେଳେ ପାଗ ଶୁଖିଲା ରହିଛି ।