ଅର୍ଚ୍ଚନାଙ୍କୁ ବେଲ୍ ମିଳିବ ନା ଜେଲ୍ ? ଆସନ୍ତାକାଲି ରାୟ ପ୍ରକାଶ କରିପାରନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ

85

କନକ ବ୍ୟୁରୋ: ଅର୍ଚ୍ଚନା ନାଗଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିଲେ ବି ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । କିନ୍ତୁ ସମାନ ଅଭିଯୋଗ ଥାଇ ମଧ୍ୟ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ପ୍ରଶ୍ନ ଉଠୁଛି, ସମାନ ଏତଲା ହୋଇଥିଲେ ପୋଲିସ କାହିଁକି ସେମାନଙ୍କୁ ଅନୁକମ୍ପା ଦେଖାଉଛି? କାହାର ରହିଛି କି ଚାପ?

  • ଚାପି ହୋଇଯାଉଛି କି ଅର୍ଚ୍ଚନା ନାଗ ମାମଲା?
  • ଜଗବନ୍ଧୁ ଓ ଖଗେଶ୍ୱର ବୁଲୁଛନ୍ତି ଖୁଲମଖୁଲ୍ଲା!

ମାମଲା ଏକ, ଅଭିଯୁକ୍ତ ଅନେକ । ରାଜ୍ୟର ସବୁଠୁ ବଡ ହନିଟ୍ରାପ ଓ ବ୍ଲାକମେଲର କାହାଣୀ ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ଜଣେ ଯୁବତୀ ଅର୍ଚ୍ଚନାର ନାଗଫାଶର ଖୁଲାସା କରି ଥାନାର ଦ୍ୱାରସ୍ଥ ହୋଇଥିଲେ । ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଦେଇଥିବା ଏଫଆଇଆରରେ ରହିଛି ତିନି ଅଭିଯୁକ୍ତଙ୍କ ନାଁ । ଆଇପିସିର ଦଫା ୩୭୦ ଅର୍ଥାତ୍ ବେଆଇନ ମାନବ ଚାଲାଣ ଭଳି ୧୬ଟି ଦଫାରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ । ସେହି ଏତଲାରେ ଅର୍ଚ୍ଚନା ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ନାଁ ମଧ୍ୟ ରହିଛି । ଯୁବତୀ ଦେଇଥିବା ଏତଲାରେ ସ୍ପଷ୍ଟ ଭାବେ ଲେଖାଯାଇଛି, ଜଗବନ୍ଧୁ ଓ ଖଗେଶ୍ୱର ଧନୀ, ବ୍ୟବସାୟୀଙ୍କ ତାଲିକା ପ୍ରସ୍ତୁତ କରି ଅର୍ଚ୍ଚନାଙ୍କୁ ଦେଉଥିଲେ । ଅର୍ଚ୍ଚନାଙ୍କ କାରନାମାରେ ଏମାନେ ସଂପୃକ୍ତ ବୋଲି ଯୁବତୀ ଲେଖିଥିଲେ । କିନ୍ତୁ ପ୍ରଶ୍ନ ଉଠୁଛି ଏହି ମାମଲାରେ ଅର୍ଚ୍ଚନାଙ୍କୁ ବାଦ ଦେଲେ ଅନ୍ୟ ଦୁଇ ଅଭିଯୁକ୍ତ ଖୁଲମ ଖୁଲ୍ଲା ବାହାରେ ବୁଲୁଛନ୍ତି ।

ସେପଟେ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା କହିଛନ୍ତି ଅର୍ଚ୍ଚନାର ନାଗଫାଶରେ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀ ସଂପୃକ୍ତ ଅଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପୁଲିସ ତଦନ୍ତ କଲେ ତଦନ୍ତ ଠିକ ହେବ ନାହିଁ । ନିରପେକ୍ଷ ତଦନ୍ତ ପାଇଁ ଏହି ମାମଲା ସିବିଆଇକୁ ଦିଆଯାଉ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର । ତେବେ ରାଜ୍ୟର ସବୁଠୁ ବଡ ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଗିରଫ ପରେ ତଦନ୍ତ ଟିକେ ଧିମେଇ ଯାଇଥିବା ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନର ରାୟ ସୋମବାର ଆସିବାକୁ ଯାଉଛି ।