ନୟାଗଡ଼ରେ ବି ବର୍ଷିଲେ ଶାହା । ରତ୍ନଭଣ୍ଡାର କଥା ଉଠାଇଲେ, ବିଜେପିକୁ ଭୋଟ୍ ଦେବାକୁ କହିଲେ ।

121

କନକ ବ୍ୟୁରୋ: ନୟାଗଡ଼ରେ ବି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଲେ ଅମିତ ଶାହା । କହିଲେ ଯେଉଁମାନେ ରତ୍ନଭଣ୍ଡାର ଲୁଟିଛନ୍ତି ୧୦୦ ଦିନ ଭିତରେ ତାଙ୍କୁ ଓଲଟା ଟଙ୍ଗେଇ ସିଧା କରିଦେବ ବିଜେପି । ଥରେ ସୁଯୋଗ ଦିଅନ୍ତୁ ଓଡ଼ିଶାକୁ ଏକ ନମ୍ବର କରିଦେବୁ । ବିଜେଡିକୁ ୨୫ ବର୍ଷ ଦେଇଛନ୍ତି ତାହା ଦେଶର ମାନଚିତ୍ରରେ ଓଡ଼ିଶାକୁ ପଛକୁ ନେଇଯାଇଛି । ନବୀନ ବାବୁଙ୍କ ଶାସନରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ବିକାଶ ଯେମିତି ପୂରା ଭୁଶୁଡ଼ି ପଡ଼ିଛି । ଏବେ ଓଡ଼ିଶାର ବିକାଶର ଗାଡ଼ିକୁ କେବଳ ନରେନ୍ଦ୍ର ମୋଦି ହିଁ ଠିକ୍ କରିପାରିବେ । ଦେଶର ସବୁଠାରୁ ସମୃଦ୍ଧ ରାଜ୍ୟ ହେଉଛି ଓଡ଼ିଶା କିନ୍ତୁ ଏବେ ସେହି ରାଜ୍ୟ ପଛୁଆ ।

ବିଜେପି କ୍ଷମତାକୁ ଆସିବାର ମାତ୍ର ୧୦ ଦିନରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବୁ । ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଇ କିଣିବୁ, ୩ ମାସ ମଧ୍ୟରେ ଚିନି କଳ ମଧ୍ୟ ଚାଲୁ କରିବୁ । ଓଡ଼ିଶାର ପ୍ରତି ମହିଳାଙ୍କୁ ସୁଭଦ୍ରା ଭାବି ୫୦ ହଜାର ଟଙ୍କାର ଭାଉଚର ଦେବୁ, ଆପଣ ସେଥିରେ ଫ୍ୟାନ୍ କିଣନ୍ତୁ, କୁଲର କିଣନ୍ତୁ, ଛୁଆଙ୍କ ଡ୍ରେସ୍ କିଣନ୍ତୁ ସବୁର ଖର୍ଚ୍ଚ ମୋଦି ସରକାର କରିବେ । ଥରେ ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ ।

ଓଡ଼ିଶାର ଶାସନ ଏବେ ନବୀନ ବାବୁ ନୁହେଁ ଜଣେ ବାବୁ ଚଳାଉଛନ୍ତି । ସବୁବର୍ଷ ବୁଥ୍ ରିଗିଙ୍ଗ୍ କରି ବିଜେଡି ଜିତିଯାଉଥିବା ଅଭିଯୋଗ ଆଣିଲେ ଅମିତ ଶାହା । କହିଲେ, ଏଥର ସେସବୁକୁ କରିପାରିବେନି କାରଣ ନିର୍ବାଚନ ଆୟୋଗ କଡ଼ା ବ୍ୟବସ୍ଥା କରିଛନ୍ତି, ଯଦି ଏମିତି କିଛି କରିବେ ତାହାହେଲେ ବହୁତ ଅସୁବିଧାରେ ବିଜେଡି ପଡ଼ିବ ବୋଲି ଶାହା ଚେତାବନୀ ଦେଇଛନ୍ତି । ନୟାଗଡ଼ବାସୀ ଆପଣ ମନପସନ୍ଦରେ ଭୋଟ୍ ଦିଅନ୍ତୁ କାହାକୁ ଡ଼ରନ୍ତୁ ନାହିଁ । ସାରା ଦେଶ ଯେବେ ରାମମୟ ହେଉଥିଲା ସେତେବେଳେ ଓଡ଼ିଶାର ଜଣେ ବାବୁ ରାମଭକ୍ତଙ୍କ ଉପରେ ଅତ୍ୟାଚାର କରୁଥିଲେ । ଏଭଳି ଦଳକୁ ଭୋଟ୍ ଦେବା ଉଚିତ୍ କି? ମୋଦି ଏଥର ସଂକଳ୍ପ ନେଇଛନ୍ତି ସମୃଦ୍ଧ ଓଡ଼ିଶା, ସ୍ୱାଭିମାନୀ ଓଡ଼ିଶା ଏବଂ ସବୁଠୁ ଆଗରେ ଓଡ଼ିଶା ରହିବ ।