କାର୍ତିକରେ ଶ୍ରାବଣ ଛତୁ । ଗ୍ରାହକଙ୍କ ପାଇଁ ସାଜିଛି ଆକର୍ଷଣ

171

କନକ ବ୍ୟୁରୋ : ଚଳିତ ବର୍ଷ ବିଳମ୍ବିତ ମୌସୁମୀ ଯୋଗୁଁ ବଜାରରେ ମଧ୍ୟ ବିଳମ୍ବରେ ସୁଆଦିଆ ଶ୍ରାବଣ ଛତୁ ଉପଲବ୍ଧ ହୋଇଛି । ଆଉ କାର୍ତିକ ମାସରେ ଆମିଷ ଉପରୁ ମୁହଁ ଫେରେଇ ଥିବା ଖାଦ୍ୟ ପ୍ରେମୀଙ୍କ ପାଇଁ ଏବେ ଶ୍ରାବଣ ଛତୁ ପ୍ରଥମ ପସନ୍ଦ ପାଲଟିଛି । ବିଶେଷ କରି ଜନଜାତୀ ସମ୍ପ୍ରଦାୟର ଲୋକେ ଜଙ୍ଗଲରୁ ଶ୍ରାବଣ ଛତୁ ସଂଗ୍ରହ କରି ବେଶ ଲାଭବାନ ହୋଉଥିବା ବେଳେ ବ୍ୟବସାୟୀ ମାନେ ମଧ୍ୟ ଏହି ସମୟରେ ଦୁଇ ପଇସା ରୋଜଗାର କରନ୍ତି ।

କାର୍ତିକରେ ଶ୍ରାବଣ ଛତୁ । ବିଳମ୍ବରେ ହେଲେ ବି ଏବେ କାର୍ତିକ ମାସରେ ବଜାରକୁ ଆସିଛି ସୁଆଦିଆ ଶ୍ରବାଣ ଛତୁ । ମାଲକାନଗିରିର ରାସ୍ତାକଡ଼ରେ ଶ୍ରାବଣ ଛତୁର ପସରା ମେଲାଇ ବସିଛନ୍ତି ବ୍ୟବସାୟୀ । ଆଉ ବର୍ଷକ ଭିତରେ ଖୁବ୍ କମ୍ ସମୟ ଏହି ଛତୁ ମିଳୁଥିବାରୁ ଗ୍ରାହକ ଏହାକୁ କିଣି ନେଉଛନ୍ତି । ଶ୍ରାବଣ ମାସରେ ଲଗାଣ ବର୍ଷା ପରେ ପରେ ଜଙ୍ଗଲ ଭିତରେ ନରମ ମାଟିରୁ ବାହାରି ଥାଏ ଶ୍ରାବଣ କଡ ଛତୁ । ମାତ୍ର ୨ ରୁ ତିନି ସପ୍ତାହ ଯାଏଁ ବଜାରକୁ ଏହା ଆସିଥାଏ । ପ୍ରକୃତିରୁ ମିଳୁଥିବା ଏହି ଛତୁ ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ମଧ୍ୟ ସ୍ୱ୍ୟାସ୍ଥ୍ୟକର । ତେଣୁ ଏହି ଛତୁ ମାର୍କେଟକୁ ଆସିବା ମାତ୍ରେ ଲୋକେ ଏହାକୁ ଆଗ୍ରହର ସହ କିଣି ନେଇଥାଆନ୍ତି ।

ବର୍ଷସାରା ପ୍ରାୟ ସବୁ ସମୟରେ ବଜାରରେ ପାଳଛତୁ କିମ୍ବା ବଟନ ଛତୁ ଉପଲବ୍ଧ ହୋଇଥାଏ । କିନ୍ତୁ ଶ୍ରାବଣ ଛତୁ ମାତ୍ର ବର୍ଷା ରୁତୁରେ ଅଳ୍ପ ଦିନ ପାଇଁ ମିଳିଥାଏ । ଆଦିବାସୀ ସମ୍ପ୍ରଦାୟର ଲୋକେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ୩୦୦ ରୁ ୩୫୦ ଟଙ୍କା ଦରରେ ବିକ୍ରି କରନ୍ତି । ଆଉ ବ୍ୟବସାୟୀ ମାନେ ଏହାକୁ ବଜାରକୁ ଆଣି ୪୦୦ କିମ୍ବା ଚାହିଦା ଅନୁସାରେ ୪୫୦ ରୁ ୫୦୦ ଟଙ୍କାରେ ବିକ୍ରୀ କରନ୍ତି । ଆଉ ଏହି ଜଂଗଲଜାତ ସାମଗ୍ରୀକୁ ବିକ୍ରୀ କରି ଲାଭବାନ ହୁଅନ୍ତି ଉଭୟ ବ୍ୟବସାୟୀ ଏବଂ ଜନଜାତୀ ସମ୍ପ୍ରଦାୟର ଲୋକେ ।

ବିଶେଷକରି ମାଲକାନଗିରି, ନବରଂଗପୁର, କୋରାପୁଟ, ରାୟଗଡା ଭଳି ପାହାଡ଼ ଜଙ୍ଗଲ ଘେରା ଅଂଚଳରେ ଏହି ଛତୁ ପ୍ରଚୁର ପରିମାଣର ମିଳିଥାଏ । ଚଳିତ ବର୍ଷ ବିଳମ୍ବିତ ଓ ଅସ୍ୱାଭାବିକ ମୌସୁମୀ ଯୋଗୁ ବିଳମ୍ବରେ ମାର୍କେଟକୁ ଆସିଛି ଶ୍ରାବଣ ଛତୁ ।