ଓଡିଶା ଉପରେ ‘ଆପ୍’ର ନଜର । ବିଜେଡି-ବିଜେପିର ବିକଳ୍ପ ହେବ କି ‘ଆପ୍’?

210

କନକ ବ୍ୟୁରୋ: ଦିଲ୍ଲୀ, ପଞ୍ଜାବରେ ସରକାର ଗଢିବା ପରେ ଏବେ ସାରା ଦେଶରେ ପାଦ ଥାପିବାକୁ ଲକ୍ଷ୍ୟ ରଖିଛି ଆମ୍ ଆଦମୀ ପାର୍ଟି । ଓଡିଶାରେ ବିଜେଡି-ବିଜେପି ଗୋଟିଏ ଦଳ କହି ବିକଳ୍ପ ଦଳ ହେବାକୁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍ । ଏଥିପାଇଁ ଆରମ୍ଭ କରିଛି ପ୍ରସ୍ତୁତି । ପ୍ରଭାରୀ ବୀରେନ୍ଦ୍ର ସିଂହ କାଡିୱାନା ଏବଂ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ସମେତ ଅନ୍ୟ ଶୀର୍ଷ ନେତା ବୈଠକ କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । କିଭଳି ଦଳ ତୃଣମୂଳ ସ୍ତରରୁ ମଜବୁତ ହେବ, ସଦସ୍ୟ ସଂଖ୍ୟା ବଢିବେ ସେ ନେଇ ଆରମ୍ଭ ହୋଇଛି ରଣନୀତି ।

ଆଗକୁ ଅନେକ ଦଳର ନେତା ଆପ୍ ସହ ଯୋଡି ହେବେ ବୋଲି ଦଳ କହିଛି । ଦୀର୍ଘ ଦିନ ଧରି ଓଡିଶାରେ ବିଜେଡି କ୍ଷମତାରେ ରହିଛି । ହେଲେ ଏଯାବତ ଲୋକଙ୍କ ସମସ୍ୟା ଦୂର କରିବାରେ ବିଜେଡି ବିଫଳ ହୋଇଛି ବୋଲି ଆମ୍ ଆଦମୀ ପାର୍ଟି କହିଛି । ସେପଟେ ବିଜେଡି ମଧ୍ୟ କହିଛି ବିଜେଡି ରାଜ୍ୟରେ ଏକ ଦଳ ନୁହେଁ ବରଂ ଜନ ଆନ୍ଦୋଳନରେ ପରିଣତ ହୋଇଛି ।

  • ଓଡିଶାରେ ନାହିଁ ବିଜେପିର ବିକଳ୍ପ !
  • ଆନ୍ନାଙ୍କ କଥା କହି ଟାର୍ଗେଟ କଲା କଂଗ୍ରେସ

ଦୁର୍ନୀତି ବିରୋଧୀ ନାରା ଦେଇ କ୍ଷମତାକୁ ଆସିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏବେ କିନ୍ତୁ ସମାନ ଦୁର୍ନୀତି ମାମଲାରେ ସେ ଛନ୍ଦି ହୋଇଯାଇଛନ୍ତି । ରାଜନୈତିକ ଆକ୍ରୋଶରୁ ସିବିଆଇ ରେଡ୍ ହେଉଛି ବୋଲି ଦଳ କହିଛି । କିନ୍ତୁ ଅବକାରୀ ନୀତି କେଉଁ କାରଣରୁ ହଠାତ୍ ପ୍ରତ୍ୟାହାର କଲେ ତାହା ଅନେକ ପ୍ରଶ୍ନକୁ ଉଜାଗର କରିଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି । ସେହିପରି କଂଗ୍ରେସ ବିଧାୟକ ଉଭୟ ଆମ୍ ଆଦମୀ ପାର୍ଟି ଓ ବିଜେପିକୁ କଡା ସମାଲୋଚନା କରିଛନ୍ତି ।

ସାଧାରଣ ନିର୍ବାଚନକୁ ଯଥେଷ୍ଟ ସମୟ ରହିଛି । ଏହା ପୂର୍ବରୁ କିନ୍ତୁ ଆପ୍ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ବୋଲି କହିଛି । ଯଦିଓ ଗୋଆ, ୟୁପିରେ ଦଳ ନିର୍ବାଚନରେ ମାଟି କାମୁଡିଛି । ହେଲେ ସାଧାରଣ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଶ୍ୱାସ ରଖିଛି ।