ଗାଡ଼ି ନେଇ ବନ୍ୟା ପାଣିକୁ ଓହ୍ଲାଉଥିଲେ ସାବଧାନ୍! ରାଜ୍ୟର ଯୁବବର୍ଗଙ୍କୁ ସତର୍କ କରାଇଲେ ଏସଆରସି ।

101

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡିଛି । ବନ୍ୟା ପାଣିକୁ ହାଲୁକାରେ ନେଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଖବର ସାମ୍ନାକୁ ଆସିଛି । ଏପରି ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ଏହାଛଡା ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସତର୍କତା ଗ୍ରହଣ କରିବାକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୁଖ ଖବରକାଗଜ ଗୁଡିକରେ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି ।

ଗତ କିଛିଦିନ ହେଲା ବନ୍ୟାପାଣିରେ ବିଭିନ୍ନ ସ୍ଥାନରେ ଗାଡି ଭାସିଯାଇ ଲୋକଙ୍କ ପ୍ରାଣହାନୀ ହେଉଥିବା ଖବରସବୁ ସାମ୍ନାକୁ ଆସୁଛି । ଆଉ ଏହି ଦୁଃସାହସିକ ଯାତ୍ରା କାରଣରୁ ଚାହୁଁ ଚାହୁଁ ବନ୍ୟା ପାଣିରେ ଭାସିଯାଉଛି ବାଇକ ଆଉ କାର୍ । ସେଇଥିପାଇଁ ସତର୍କ କରାଇ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ସମ୍ବଲପୁର କୁଚିଣ୍ଡାରେ କାର ଭାସିଯାଇ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ କିଛିଦିନ ତଳେ ଆଠଗଡରେ ମଧ୍ୟ ଗୋଟିଏ କାରସହ ଭାସିଯାଇଥିଲେ ପୁରା ପରିବାର । ବିଳମ୍ବିତ ରାତିରେ ଆଠଗଡ଼ ଘଣ୍ଟିଖାଲ ରାସ୍ତାରେ କାର ସହ ଭାସିଯାଉଥିବା ୪ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ତେଣୁ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ବନ୍ୟା ପାଣିରେ ଏଭଳି ଦୁଃସାହସିକ ଯାତ୍ରା କରିବାକୁ ବାରଣ କରିଛନ୍ତି ଏସଆରସି ।

ସେହିପରି ବନ୍ୟା ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ତେଣୁ ବନ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସତର୍କତା ଗ୍ରହଣ କରିବାକୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୁଖ ଖବରକାଗଜ ଗୁଡିକରେ ସତର୍କ କରାଇ ଦିଆଯାଇଛି ।

ବନ୍ୟା ପରବର୍ତୀ ସ୍ୱାସ୍ଥ୍ୟ ସତର୍କତା

– ନଦୀ, ନାଳର ଦୂଷିତ ପାଣି ପିଅନ୍ତୁ ନାହିଁ
– ବିଶୋଧିତ ପାଇପ ପାଣି କିମ୍ବା ହାଲୋଜିନ ବଟିକା ପକାଇ ଅଧଘଂଟା ପରେ ପିଅନ୍ତୁ
– ବିଶୋଧିତ ପାଣିକୁ ଭାତ ପଖାଳିବା କିମ୍ବା ଚୁଡା, ମୁଢି ଖାଇବାରେ ବ୍ୟବହାର କରନ୍ତୁ
– ବାସି, ପଚାଷଢା କିମ୍ବା ମାଛି ବସିଥିବା ଖାଦ୍ୟକୁ ଖାଆନ୍ତୁ ନାହିଁ
– ଖାଦ୍ୟ ପରଷିବା ଓ ଖାଇବା ପୂର୍ବରୁ ଏବଂ ଶୌଚ ହେବା ପରେ ହାତ ସାବୁନରେ ଧୁଅନ୍ତୁ
– ତରଳ ଝାଡା ହେଲେ ଓଆରସ ଦ୍ରବଣ ପିଇବାକୁ ଦିଅନ୍ତୁ
– ବାହାରେ ଜମି ରହିଥିବା ପାଣିରେ ହାତ, ମୁହଁ କିମ୍ବା ବାସନକୁସନ ଧୁଅନ୍ତୁ ନାହିଁ
– ସାପ କାମୁଡା ରୋଗୀକୁ ତୁରନ୍ତ ଡାକ୍ତରଖାନାକୁ ନେଇ ଚିକିତ୍ସା କରାନ୍ତୁ