ଦିନ ଗଡୁଛି, ହେଲେ କମୁନି ଦୁର୍ଦ୍ଦଶା । ବନ୍ୟା ପାଣି କରୁଛି କଲବଲ । ଅସ୍ୱାସ୍ଥ୍ୟକର ପରିବେଶରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

55

କନକ ବ୍ୟୁରୋ: ମହାନଦୀର ଜଳସ୍ତର କମୁଛି । ହେଲେ ନଈକୂଳିଆ ଗାଁ ଏବେ ବି ବନ୍ୟା ପାଣିରେ ବୁଡି ରହିଛି । ଆଉ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଜଳବନ୍ଦୀ ହୋଇଥିବା ଗାଁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଲୋକଙ୍କୁ ଥଣ୍ଡା ଜ୍ୱର ଧରିଥିବା ବେଳେ ଗାଁରେ ମେଡିକାଲ ଟିମ ପହଞ୍ଚି ପାରିନାହିଁ । ସେପଟେ ଖୋର୍ଦ୍ଧାର ଶରଧାପୁର ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ପାଣି ଚାଲିଛି । ଏପରି ସ୍ଥିତିରେ ଗ୍ରାଉଣ୍ଡ ଜିରୋରୁ ବନ୍ୟାଞ୍ଚଳର ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ ।

  • ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ
  • ଅସ୍ୱାସ୍ଥ୍ୟକର ପରିବେଶରେ ବିଗୁଡିଛି ସ୍ୱାସ୍ଥ୍ୟ

ଗାଁ ଚାରିଆଡେ ପାଣି, ଘର ଭିତରେ ବି ପାଣି । ଏକ କୁନି ଝିଅକୁ କାନେ୍ଧଇ ମେଡିକାଲ ବାହାରିଛନ୍ତି ବାପା । କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ପୁରୀ ଜିଲ୍ଲା ଗୋପ ବ୍ଲକ ବିମାନକାନ୍ତିଆ ଗାଁର ଏହି ଦୁଃଖଦ ଚିତ୍ର । ପ୍ରାୟ ୬ ଦିନ ହେଲା ଗାଁରେ ଚୁଳି ଜଳିନି, ଯିବା ଆସିବା ପାଇଁ ଡଙ୍ଗା ନାହିଁ । ସ୍ୱାସ୍ଥ୍ୟ ବିଭାଗର ଟିମ ମଧ୍ୟ ଗାଁରେ ପହଞ୍ଚି ନାହାନ୍ତି । ପାଣି ଘେରର ଥିବା ଅଧିକାଂଶ ଗ୍ରାମବାସୀ ଏବେ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ।

  • ବନ୍ୟା ପାଣି କରୁଛି କଲବଲ
  • ଶେଷକୃତ୍ୟ ପାଇଁ ସଂପର୍କୀୟ ନାକେଦମ

ଅଣ୍ଟାଏ ପାଣିରେ କୋକେଇ ଧରି ନାଳ ପାରି ହୋଇ ଶ୍ମଶାନକୁ ଗଲେ ସଂପର୍କୀୟ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଚକାମାଳ ଗାଁରେ ଅନ୍ତିମ ସଂସ୍କାର ପାଇଁ ପରିବାର ଓ ବନ୍ଧୁବାନ୍ଧବ ହଇରାଣ ହୋଇଛନ୍ତି । ଗାଁ ଶ୍ମଶାନରେ ମଧ୍ୟ ପାଣି ଭର୍ତି ହୋଇଥିବାରୁ ବହୁକଷ୍ଟରେ ଅନ୍ତିମ ସଂସ୍କାର କରିଛନ୍ତି

  • ଗାଁ ଦାଣ୍ଡରେ ଅଣ୍ଟାଏ ପାଣି
  • ଛାତ ଉପରେ ବିତୁଛି ଦିନ

ମହାନଦୀରେ ପାଣି କମୁଥିବା ବେଳେ ରାଜୁଆ ନଦୀରେ କିନ୍ତୁ ପାଣି ବଢୁଛି । ଆଉ ରାଜୁଆ ନଦୀର ବନ୍ୟାପାଣିରେ ଜଳବନ୍ଦୀ ହୋଇପଡିଛି ଖୋର୍ଦ୍ଧାର ଶରଧାପୁର ଗାଁ । କେବଳ ଶରଧାପୁର ଗାଁ ନୁହେଁ ଆଖପାଖର ଅନେକ ଗାଁରେ ବନ୍ୟା ପାଣି ପଶିଛି । ସ୍ଥିତି ଏଭଳି ହୋଇଛି ଯେ ଗାଁର ଉଚ୍ଚ କୋଠା, ଘର ଓ ମନ୍ଦିର ଉପରେ ବସି ଜୀବନ ରକ୍ଷା କରୁଛନ୍ତି ବନ୍ୟା ବିପନ୍ନ ।

  • ଘାଇ ମୁହଁରେ ଖୁଦୁରୁକୁଣୀ ଓଷା
  • ଭୟ ଓ ଆଶଙ୍କା ଭିତରେ ପୂଜାର୍ଚ୍ଚନା

ଯାଜପୁରର କାଣୀ ନଦୀର ଘାଇ ନିକଟରେ ଖୁଦୁରୁକୁଣୀ ଓଷା କରିଛନ୍ତି ଗାଁର ବାଳିକା । ଦଶରଥପୁର ବ୍ଲକ୍ ବ୍ରହ୍ମଚାରୀପାଟଣା ଗାଁରେ କାଣୀ ନଦୀରେ ଶହେ ଫୁଟର ଘାଇ ହୋଇଛି । ଘାଇ ନିକଟରେ ଥିବା ଗ୍ରାମ ଦେବତୀଙ୍କ ମନ୍ଦିରରେ ଝିଆମାନଙ୍କର ଚାଲିଛି ଖୁଦୁରୁକୁଣୀ ଓଷା ।

  • ପାଣିରେ ଭାସୁଛି ସୁନାର ଫସଲ
  • ବନ୍ୟାରେ ବ୍ୟାପକ ପରିବା ନଷ୍ଟ

ପାଣିରେ ଭାସୁଛି ସୁନାର ଫସଲ । କଟକ ନିଆଳି ଅଞ୍ଚଳର ପରିପରିବା କ୍ଷେତ ପାଣିରେ ବୁଡ଼ିରହିବାରୁ ଫସଲ ନଷ୍ଟ ହୋଇଛି । ସେହିପରି ଜିଲ୍ଲାର କଣ୍ଟାପଡା ବ୍ଲକର ନଈକୁଳିଆ ଅଞ୍ଚଳର ପରିବା ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।