ଦୁର୍ଘଟଣାରେ ଚାଲିଗଲେ ସ୍ୱାମୀ: ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ, ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

803

କନକ ବ୍ୟୁରୋ: ଦୀପାବଳିରେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ଅକାଳରେ ସ୍ୱାମୀଙ୍କ ମୃତ୍ୟୁ, ସହି ନପାରି ସ୍ତ୍ରୀ କଲେ ଆତ୍ମହତ୍ୟା । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବେଣାଗାଡିଆ ଗାଁରୁ । ଆଉ ବାପା-ମାଆ ଚାଲିଯିବା ପରେ ଅନାଥ ହୋଇ ଯାଇଛନ୍ତି ଦୁଇ ଝିଅ । ଏହି ଘଟଣା ଏବେ ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ଝିଅଙ୍କ ଭବିଷ୍ୟତ କଣ ହେବ ସେନେଇ ଚିନ୍ତାରେ ପରିବାର ଲୋକେ ।

କୁନି କୁନି ଏହି ଦୁଇ ଝିଅର କ’ଣ ହେବ? ମୁଣ୍ଡ ଉପରୁ ବାପାଙ୍କ ଆର୍ଶୀବାଦର ହାତ ହଟିଯାଇଛି । ମା’ର ସ୍ନେହ ସବୁଦିନ ପାଇଁ ସରିଯାଇଛି । ଦୁନିଆ କ’ଣ ଜାଣିବା ଆଗରୁ ଅନାଥ ହୋଇଯାଇଛନ୍ତି ଦୁଇ ନାବାଳିକା ଶିଶୁ । ମାତ୍ର ଦୁଇ ଦିନ ପୂର୍ବରୁ ଯେଉଁ ପରିବାରରେ ଖୁସି ଥିଲା, ଉତ୍ସାହ ଥିଲା । ସେହି ପରିବାରର ସବୁ କିଛି ଉଜୁଡ଼ି ଯାଇଛି ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବେଣାଗାଡ଼ିଆ ଗାଁରେ ଘଟିଛି ଏଭଳି ଏକ ହୃଦୟ ବିଦାରଣ ଘଟଣା । ଗାଁର ଗୋକୁଳ ସାହୁଙ୍କ ପତ୍ନୀ ଅନିନ୍ଦତା, ସ୍ୱାମୀଙ୍କ ମୃତ୍ୟୁରେ ଏତେ ମର୍ମାହତ ହୋଇଯାଇଥିଲେ ଯେ, ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବା ଭଳି ନିଷ୍ପତି ନେଇଛନ୍ତି । ବାପା-ମା’ ଚାଲି ଯିବା ପରେ ଏବେ ଦୁଇ ଝିଅଙ୍କ ଭାଗ୍ୟଙ୍କ ଭାଗ୍ୟ ଅନ୍ଧାରକୁ ଚାଲିଯାଇଛି ।

୧୨ ତାରିଖ ରବିବାର
ସମୟ ରାତି ପ୍ରାୟ ସାଢ଼େ ୭ଟା
ଦୀପାବଳିର ଉତ୍ସାହ ଭିତରେ ରାଜସୁନାଖଳାରେ ଥିବା ନିଜ ଦୋକାନକୁ ଯାଉଥିଲେ ଗୋକୂଳ ସାହୁ । ହେଲେ ରାସ୍ତରେ ଘଟିଗଲା ଦୁର୍ଘଟଣା । ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜି ଦେଇଥିଲେ ଗୋକୂଳ । ଆଉ ଏହାର ଦୁଇ ଦିନ ପରେ, ସ୍ୱାମୀଙ୍କ ପଛରେ ପଛରେ ଚାଲିଯାଇଛନ୍ତି ସ୍ତ୍ରୀ ।

ଖୋର୍ଦ୍ଧାର ଏହି ଅଘଟଣା, ସାରା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଥିବା ବେଳେ, ସମସ୍ତଙ୍କ ମୁହଁରେ ଗୋଟିଏ କଥା କ’ଣ ହେବ କୁନି କୁନି ଏହ ଦୁଇ ଝିଅଙ୍କର ଭବିଷ୍ୟତ?