ଇଣ୍ଡିଆ ମେଣ୍ଟ: ମିଶୁନି କି ମନ ? ୨୦୨୪ ନିର୍ବାଚନ ପୂର୍ବରୁ ମେଣ୍ଟରେ ଫାଟ ! କଂଗ୍ରେସକୁ ଟାର୍ଗେଟ କଲେ ସପା ମୁଖ୍ୟ ।

159

କନକ ବ୍ୟୁରୋ: କଂଗ୍ରେସକୁ ଅଖିଳେଶଙ୍କ ଜୋରଦାର ଟାର୍ଗେଟ । ଜାତିଗଣନା ପ୍ରସଙ୍ଗ ବାହାନାରେ ବର୍ଷିଲେ ଅଖିଳେଶ ଯାଦବ । ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ମତାନ୍ତର, ମନାନ୍ତର ଦିନକୁ ଦିନ ବଢି ଚାଲିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତିଗତ ଜନଗଣନାକୁ ପ୍ରାଧାନ୍ୟ ଦେଉଥିବାବେଳେ ଏହାକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏକ ପ୍ରଚାର କାର୍ଯ୍ୟକ୍ରମରେ ଅଖିଳେଶ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ଯେଉଁ ସମୟରେ ଦଳକୁ ଦାୟିତ୍ୱ ନେବାର ଥିଲା ସେତେବେଳେ ସେମାନେ ପଛଘୁଞ୍ଚା ଦେଇଥିଲେ । ସ୍ୱାଧୀନତା ପରଠାରୁ ଜାତିଗତ ଜନଗଣନା ପାଇଁ ଦାବି ହୋଇ ଆସୁଥିବା ବେଳେ କଂଗ୍ରେସ ସେତେବେଳେ ଏହାକୁ ଗୁରୁତ୍ୱ ଦେଇ ନଥିଲା । ହେଲେ ଏବେ କଂଗ୍ରେସ ପାରମ୍ପରିକ ଭୋଟ ହାତେଇବା ପାଇଁ ଦଳିତ ଓ ପଛୁଆ ବର୍ଗଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ବୋଲି ଅଖିଳେଶ ଯାଦବ କହିଛନ୍ତି ।

କଂଗ୍ରେସକୁ ଅଖିଳେଶ ଏଭଳି ଖୁଲମଖୁଲ୍ଲା ଟାର୍ଗେଟକୁ ନେଇ ରାଜନୀତି ଜୋର ହୋଇଛି । ସପା ଓ କଂଗ୍ରେସ କଳିକୁ ନେଇ ବିଜେପି ପ୍ରତିକ୍ରିୟା ରଖି କହିଛି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଙ୍ଗିଯିବ ଇଣ୍ଡିଆ ମେଣ୍ଟ । ଦୁର୍ନୀତିଗସ୍ତ ଦଳ ନିଜ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏକାଠି ହୋଇଥିଲେ । କିନ୍ତୁ ଇଏ ମତଲବର ମେଣ୍ଟ ମନର ନୁହେଁ । ତେଣୁ ଖୁବଶୀଘ୍ର ମେଣ୍ଟ ଭାଙ୍ଗିବ ବୋଲି ବିଜେପି କହିଛି ।

ଅଖିଳେଶଙ୍କ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଥିଲେ । ନୀତୀଶ କହିଥିଲେ ୫ ରାଜ୍ୟର ନିର୍ବାଚନ ପାଇଁ କଂଗ୍ରେସ ବ୍ୟସ୍ତ ରହୁଛି କିନ୍ତୁ ମେଣ୍ଟ ପାଇଁ ସମୟ ଦେଉନି । ଏଭଳି ସ୍ଥିତିରେ କିଭଳି ମେଣ୍ଟ ଆଗକୁ ବଢ଼ିବ ବୋଲି ପ୍ରଶ୍ନ କରିଥିଲେ ନୀତୀଶ କୁମାର । ଯାହାକୁ ନେଇ ରାଜନୀତିର ଗଳିରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା । ମେଣ୍ଟରେ କଂଗ୍ରେସ ଭୂମିକାକୁ ନେଇ ଅନ୍ୟ ବିରୋଧୀ ଦଳ ଅସନ୍ତୋଷ ଅଛନ୍ତି । ଏହାର ସିଧା ପ୍ରଭାବ ମେଂଟରେ ପଡୁଛି । ବିଜେପିର ଗତିରୋଧ ପାଇଁ ବିରୋଧୀ ଏକାଠି ହାତ ମିଶାଇ ଯେଉଁ ମେଂଟ ଗଠନ କରିଥିଲେ ତାହା ଦୁର୍ବଳ ହେଉଥିବା ଏଭଳି ବୟାନବାଜୀରୁ ଆଭାସ ମିଳିଛି ।