କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : କାମ କରିବାକୁ ସକ୍ଷମ ଥିଲେ, ମହିଳାମାନେ ବେକାର ରହିପାରିବେ ନାହିଁ; ଛାଡ଼ପତ୍ର ପରେ ସ୍ୱାମୀଙ୍କ ଠାରୁ ଦାବି କରିପାରିବେନି କ୍ଷତିପୂରଣ

286

କନକ ବ୍ୟୁରୋ : ଜଣେ ବିବାହିତ ମହିଳା ଯଦି କାମ କରିବାକୁ ସକ୍ଷମ, ତେବେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ଆଶା କରିପାରିବେ ନାହିଁ । ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ଏପରି କିଛି ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ବିଚାରପତି ରାଜେନ୍ଦ୍ର ବଦାମିକରଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଖଣ୍ଡପୀଠ ଛାଡ଼ପତ୍ର ପାଇ ସାରିଥିବା ମହିଳାଙ୍କ ପକ୍ଷରୁ କରାଯାଇଥିବା ଅପରାଧିକ ସମୀକ୍ଷା ଆବେଦନ ଉପରେ ବିଚାର କରି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ, ସେସନ୍ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ଯେଉଁଥିରେ ମାସିକ ଭରଣପୋଷଣ ପାଇଁ ୧୦ହଜାରରୁ ହ୍ରାସ କରି ୫ହଜାର ଟଙ୍କା କରିଥିବା ବେଳେ କ୍ଷତିପୂରଣ ରାଶି ୩ଲକ୍ଷରୁ ହ୍ରାସ କରି ୨ଲକ୍ଷ ଟଙ୍କା କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ବିବାହ ପୂର୍ବରୁ କାମ କରୁଥିବା ମହିଳାଙ୍କ ପାଇଁ ବିବାହ ପରେ ଘର ବସିବା ପର୍ଯ୍ୟାପ୍ତ ନୁହେଁ ।

ଯଦି ମହିଳାମାନେ କାମ କରିବାକୁ ସକ୍ଷମ, ତେବେ ସେମାନେ ବେକାର ବସିବା ଠିକ୍ ନୁହେଁ । ଏହାସହ ନିଜ ସ୍ୱାମୀଙ୍କୁ କ୍ଷତିପୂରଣ ଦାବି ମଧ୍ୟ କରିପାରିବେ ନାହିଁ । ପତ୍ନୀ କେବଳ ଜୀବିକା ମେଣ୍ଟାଇବା ପାଇଁ ଭତ୍ତା ମାଗିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି । ଆବେଦନକାରୀଙ୍କ ପୂର୍ବ ସ୍ୱାମୀ ଏକ ଷ୍ଟୋର ଚଳାନ୍ତି ଏବଂ ନିଜ ମା’ ଓ ଅବିବାହିତ ଭଉଣୀଙ୍କ ଯତ୍ନ ନେଉଛନ୍ତି ।