‘ଓଡିଶା ପାଇଁ ମୋଦୀ ଦିଲ୍ଲୀରୁ ଟଙ୍କା ପଠାଉଛି । ହେଲେ ଏଠି ବିଜେଡି ସରକାର ତା’ ଉପରେ ନିଜର ଷ୍ଟିକର ଲଗାଇ ବାହାବା ନେଉଛି” : ବ୍ରହ୍ମପୁରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ମୋଦୀ

170

କନକ ବ୍ୟୁରୋ: ବ୍ରହ୍ମପୁର କନିଷି ଜନସଭାରେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ନାରା ଦେଇ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରେ ପରେ ଲୋକଙ୍କୁ କେନ୍ଦ୍ରର ସବୁ ଯୋଜନାକୁ ଗୋଟି ଗୋଟି କରି ଗଣାଇବା ସହ ବିଜେଡି ସରକାର ଉପରେ ବର୍ଷିଛନ୍ତି ।

କହିଛନ୍ତି ଓଡିଶା ପାଇଁ ଦିଲ୍ଲୀରୁ ଟଙ୍କା ପଠାଉଛି ମୋଦୀ ସରକାର । ହେଲେ ଏହାକୁ ନିଜର ଯୋଜନା କହି ଏହା ଉପରେ ନିଜ ଷ୍ଟିକର ଲଗାଇ ବାହାବା ନେଉଛି ବିଜେଡି ସରକାର । ପ୍ରଧାନମନ୍ତ୍ରୀ ସଡକ ଯୋଜନା , ଜଳଜୀବନ ଯୋଜନା ପାଇଁ ଯଥେଷ୍ଟ ଟଙ୍କା ପଠାଇଛି ମୋଦୀ ସରକାରୀ । ହେଲେ ଏହାକୁ ଖର୍ଚ୍ଚ କରିପାରିଲାନି ବିଜେଡି ସରକାର । ଏପରିକି କେନ୍ଦ୍ର କରିଥିବା ଆୟୁଷ୍ମାନ ଯୋଜନାକୁ ତ ବିଜେଡି ସରକାର ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଦେଲେନି । ହେଲେ ଲେଖିରଖ .. ଜୁନ୍ ୧୦ରେ ଯେଉଁଦିନ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ସେହିଦିନ ହିଁ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁହେବ । କାହାରି ଘରେ ବୟସ୍କଙ୍କ ପାଇଁ ନିଜ ହାତରୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି ।

ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଦେଶରେ ଉପା ସରକାର ଥିଲା ୧୦ ବର୍ଷରେ ଓଡିଶାକୁ ମାତ୍ର ୧ ଲକ୍ଷ କୋଟି ଟଙ୍କା ମିଳିଥିଲା । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ୧୦ ବର୍ଷରେ ମୋଦୀ ସରକାର ଓଡିଶାକୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଦେଇଛି ।ଏଥିରୁ ଜାଣିପାରୁଥିବେ ବିଜେପି ସରକାର ଆସିଲେ ଓଡିଶା ପାଇଁ କ’ଣ କରିବ । ଓଡିଶାରେ ବିଜେପି ସରକାର ଆସିଲେ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବ, ଏହି ମୋଦୀ ଗ୍ୟାରେଣ୍ଟି ଦେଉଛି ବୋଲି କହିଛନ୍ତି ମୋଦୀ ।