‘ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ନିସ୍ତେଜ ହୋଇ ପଡିଛି, ଲୋକେ ବିଜେପିକୁ ନେଇ ଆଶ୍ୱସ୍ତ ଅଛନ୍ତି’ : ବ୍ରହ୍ମପୁରରେ ଗର୍ଜିଲେ ମୋଦୀ

169

କନକ ବ୍ୟୁରୋ: ଓଡିଶାକୁ କେନ୍ଦ୍ର ପକ୍ଷରୁ ଯଥେଷ୍ଟ ଅନୁଦାନ ଆସୁଛି । ଲୋକଙ୍କ ସବୁ ଆବଶ୍ୟତାକୁ ମେଣ୍ଟାଇବାକୁ ମୋଦୀ ସରକାର ଯୋଜନା କରିଛି । ହେଲେ ଆସୁଥିବା ଟଙ୍କାକୁ ନା ବିଜେଡି ସରକାର ଠିକଭାବେ ଖର୍ଚ୍ଚ କରିପାରୁଛନ୍ତି ନା ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକ୍ଷମ କରିପାରୁଛନ୍ତି । ଓଲଟି କେନ୍ଦ୍ରର ଯୋଜନା ଉପରେ ନିଜର ଷ୍ଟିକର ଲଗାଇ ବାହାବା ବିଜେଡି ସରକାର ବାହାବା ନେଉଛି ବୋଲି କହିଛନ୍ତି ମୋଦୀ ।
ପ୍ରଧାନମନ୍ତ୍ରୀ ସଡକ ଯୋଜନା ଠାରୁ ଆରମ୍ଭ କରି , ଜନଜୀବନ ଯୋଜନା, ସ୍ୱାସ୍ଥ୍ୟ ଯୋଜନା , ମାଗଣା ଚାଉଳ ଯୋଜନା ସବୁ ଯୋଗାଇଛି । ହେଲେ ଏହାକୁ ନିଜର ବୋଲି କହୁଛନ୍ତି ବିଜେଡି ସରକାର । ଆଗକୁ ରାଜ୍ୟରେ ବିଜେପି ସରକାର ଆସିଲେ ଆଉ ସବୁ ପ୍ରତିଶ୍ରୁତି ପୂରଣ ହେବ । ଲୋକଙ୍କ ଦୁଃଖ ଯିବ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ନିସ୍ତେଜ ହୋଇ ପଡିଛି, ଲୋକେ ବିଜେପିକୁ ନେଇ ଆଶ୍ୱସ୍ତ ଅଛନ୍ତି । ବିଜେପି ଆଶାର ନୂଆ କିରଣ ସାଜି ଉଭା ହୋଇଛି । ଓଡ଼ିଶା ପାଖରେ ପ୍ରଚୁର ଜଳ, ଖଣିଜ ସମ୍ପଦ, ଲମ୍ବା ସମୁଦ୍ର ତଟ ରହିଛି, ବ୍ରହ୍ମପୁର ଭଳି ଟ୍ରେଡ ସେଣ୍ଟର ରହିଛି । ଭଗବାନ ଓଡ଼ିଶାକୁ ବହୁତ କିଛି ଦେଇଛନ୍ତି । କିନ୍ତୁ ଏତେ ସମ୍ପଦ ଥିବା ଓଡ଼ିଶାର ଜନତା କାହିଁକି ଗରିବ । ଓଡ଼ିଶା ଧନୀ, କିନ୍ତୁ ଜନତା ଗରିବ । ଏ ପାପ ପୂର୍ବରୁ କଂଗ୍ରେସ କରୁଥିଲା, ପରେ ବିଜେଡି ନେତା କରିଛି । ହେଲେ ବିଜେପି ସରକାର ହେଲେ ରାଜ୍ୟବାସୀଙ୍କ ଦୁଃଖ ଦୂରେଇବ । ଥରେ ସୁଯୋଗ ଦେବାକୁ ଅପିଲ କରିଛନ୍ତି ମୋଦୀ । କହିଛନ୍ତି, ଥରେ ଓଡିଶାବାସୀଙ୍କ ସେବା କରିବାକୁ ସୁଯୋଗ ଦିଅନ୍ତୁ । ୫ ବର୍ଷରେ ଓଡିଶାକୁ ନମ୍ବର ୧ ରାଜ୍ୟ କରିଦେବେ । ଏହି ଗ୍ୟାରେଣ୍ଟି ଦେଉଛନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ ।