ପନିପରିବା ସାଙ୍ଗକୁ ଚିନ୍ତା ବଢ଼ାଇଲା ଚାଉଳ : ୧୧ ବର୍ଷରେ ସର୍ବୋଚ୍ଚ ସ୍ତରରେ ଚାଉଳ ଦର

1,705

କନକ ବ୍ୟୁରୋ : ଦେଶରେ ପରିବା ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ଥିବା ବେଳେ ଏବେ ଚାଉଳ ଦର ବୃଦ୍ଧି ବୋଝକୁ ଦ୍ୱିଗୁଣିତ କରିଦେଇଛି । ଭାରତ ସମେତ ବିଶ୍ୱର ୬ଟି ଚାଉଳ ଉତ୍ପାଦନକାରୀ ଦେଶରେ ରେକର୍ଡ ଉତ୍ପାଦନ ହେବା ନେଇ ଅନୁମାନ କରିଛି ଆମେରିକାର କୃଷି ବିଭାଗ ।

ଭାରତ, ବାଂଲାଦେଶ, ଚୀନ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ଭିଏତନାମ ଆଦି ଦେଶ ବିଶ୍ୱର ୬ ପ୍ରମୁଖ ଚାଉଳ ଉତ୍ପାଦନକାରୀ । ଉତ୍ପାଦନ ରେକର୍ଡ ହେବା ସତ୍ୱେ ଚାଉଳ ଦର ୧୧ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । ଆଗକୁ ମଧ୍ୟ ଚାଉଳ ଦର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏଲ୍ ନିନୋ ଯୋଗୁଁ ମୌସୁମୀ ପ୍ରଭାବିତ ହେବା ଦ୍ୱାରା ଚାଉଳ ଦର ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି ।

ସେହିପରି ଗତବର୍ଷ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ଓ ଦୁର୍ବଳ ମୌସୁମୀ ଯୋଗୁଁ ମଧ୍ୟ ଚାଉଳର ଯୋଗାଣ କମିଥିବା ଜଣାପଡ଼ିଛି । ଓଡ଼ିଶାରେ ମଧ୍ୟ ଚାଉଳ ଦଳ ଗତ ମାସକ ଭିତରେ କ୍ୱିଣ୍ଟାଲ ପିଛା ପ୍ରାୟ ୮୦୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ମୋଟା ଉସୁନା ଚାଉଳ ଦର କ୍ୱିଣ୍ଟାଲ ପିଛା ପାଖାପାଖି ସାଢ଼େ ୩ହଜାର ଟଙ୍କାରେ ପହଞ୍ଚିଛି । ଆଗକୁ ଯଦି ଦରଦାମ ନିୟନ୍ତ୍ରଣକୁ ନଆସେ, ତେବେ ଖାଉଟିଙ୍କ ପାଇଁ ବୋଝ ଦୁଇଗୁଣା ହୋଇଯିବ ।