କାହିଁକି ଖେଳ ହୁଏ ବକ୍ସିଂ ଡେ’ ଟେଷ୍ଟ: ଜାଣନ୍ତୁ, ଏହାର ପୂରା ଇତିହାସ…

271

କନକ ବ୍ୟୁରୋ: କ୍ରିକେଟ୍ ସହିତ ବକ୍ସିଂ ଡେ’ର ନିବିଡ଼ ସମ୍ପର୍କ ରହିଛି। ପ୍ରତିବର୍ଷ ବକ୍ସିଂ ଡେ’ ଟେଷ୍ଟ୍କୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବି ଦେଖା ଦେଇଥାଏ। ତେବେ ସାଧାରଣ କ୍ରିକେଟ୍ ପ୍ରେମୀଙ୍କୁ ଏହା ଅଜଣା ବକ୍ସିଂ ଡେ’ କ’ଣ ଏବଂ ଏଭଳି ନାମ କରଣ କାହିଁକି ହୋଇଛି। କ୍ରିକେଟକୁ ଉପଭୋଗ କରିବା ଭିତରେ ଅନେକ ବି ଏହାକୁ ଗୁରୁତ୍ବ ଦେଇନଥାନ୍ତି। ତେବେ ଆସନ୍ତୁ ଜାଣିବା ବକ୍ସିଂ ଡେ’ କଣ?

ଖ୍ରୀଷ୍ଟମାସ ପରବର୍ତୀ ଦିନକୁ ବକ୍ସିଂ ଡେ’ କୁହାଯାଇଥାଏ। ବ୍ରିଟେନ୍ରୁ ଏହାର ଆରମ୍ଭ। ପୂର୍ବରୁ ବ୍ରିଟିସ୍ ଶାସନାଧୀନ ରହିଥିବା ଦେଶଗୁଡ଼ିକରେ ଏହା ଏକ ପର୍ବ ଭଳି ପାଳିତ ହୋଇ ଆସିଥାଏ। ଡିସେମ୍ବର ୨୫ ତାରିଖରେ ଯୀଶୁଙ୍କ ଜନ୍ମଦିନକୁ ବିଶ୍ବବ୍ୟାପୀ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପାଳନ କରିଥାନ୍ତି। କିନ୍ତୁ ପରବର୍ତୀ ଦିନ (ଡିସେମ୍ବର ୨୬)ଟିକୁ ଏସବୁ ଦେଶଗୁଡ଼ିକରେ ବ୍ୟାଙ୍କ୍ ଓ ସାଧାରଣ ଛୁଟି ଦିବସ ଭାବେ ମଧ୍ୟ ଉପଲବ୍ଧ କରାଯାଏ। ଦ୍ବିତୀୟ ଖ୍ରୀଷ୍ଟମାସ ଦିବସ ଏବଂ କେଉଁଠି କେଉଁଠି ଏହାକୁ ସେଣ୍ଟ୍ ଷ୍ଟିଫେନ୍ସ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଆୟର୍ଲାଣ୍ଡ୍ ଏବଂ ସ୍ପେନ୍ର କାଟାଲୋନିଆ ଅଞ୍ଚଳରେ ଏହି ଦିବସ ବିଶେଷ ଗୁରୁତ୍ବ ବହନ କରିଥାଏ।

ବକିଂ ଡେ’ ସହିତ ବକ୍ସିଂ ଖେଳର କିଛି ସମ୍ପର୍କ ନାହିଁ। କିନ୍ତୁ ବହୁ ପୁରୁଣା ଦିନରୁ ଏଭଳି ନାମ କରଣ ରହି ଆସିଛି। ୧୮୩୦ ମସିହା ପ୍ରାରମ୍ଭରୁ ହିଁ ଅକ୍ସଫୋର୍ଡ ଡିକ୍ସିନାରିରେ ଏହାର ଅର୍ଥ ‘ଖ୍ରୀଷ୍ଟମାସ ଦିବସର ପରବର୍ତୀ ସପ୍ତାହ’ ଭାବେ ବୁଝାଯାଇଛି। ଛୁଟିଦିନରେ ବିଭିନ୍ନ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ଡାକପିଅନ ତଥା ଚପରାସୀ କାମରେ ଲିପ୍ତ ବ୍ୟକ୍ତିମାନଙ୍କୁ ଦିଆଯାଉଥିବା ଖ୍ରୀଷ୍ଟମାସ ବକ୍ସିସ୍ରୁ ଏହାର ଉତ୍ପତ୍ତି। ସପ୍ତଦଶ ଶତାବ୍ଦୀରୁ ଧନିକ ଶ୍ରେଣୀର ବ୍ୟାକ୍ତିମାନେ ଖ୍ରୀଷ୍ଟମାସ ଛୁଟି ଲାଗି ସେମାନଙ୍କ ସେବକ ତଥା ଚାକରମାନଙ୍କୁ ଏକ ଖ୍ରୀଷ୍ଟମାସ ବକ୍ସରେ ଉପହାର, ଅର୍ଥ, ବୋନସ, ବଳକା ଖାଦ୍ୟ ପ୍ରଦାନ କରିଥାନ୍ତି। ସେବେଠାରୁ ଖ୍ରୀଷ୍ଟମାସ ପରଦିନକୁ ବକ୍ସିଂ ଡେ’ର ନାମ କରଣ କରାଯାଇଛି।

‘ବକ୍ସିଂ ଡେ ଟେଷ୍ଟ୍’ ଏକ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ ଯାହାକି ଏହି ସ୍ବତନ୍ତ୍ର ଛୁଟି ଦିବସରୁ ଆରମ୍ଭ ହୋଇଥାଏ। ଅଷ୍ଟ୍ରେଲିଆର ଭିକ୍ଟୋରିଆ ଅନ୍ତର୍ଗତ ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମସିଜି)ରେ ଖେଳାଯାଇଥାଏ। ଘରୋଇ ଅଷ୍ଟ୍ରେଲିଆ ଭ୍ରମଣକାରୀ ଦଳ ସହିତ ଟେଷ୍ଟ୍ କ୍ରିକେଟ୍ ଖେଳିଥାଏ। ଏହାର ଏକ ଲମ୍ବା ଇତିହାସ ରହିଛି। ଅତୀତରେ ଏକ ଭିକ୍ଟୋରିଆ ବନାମ ନ୍ୟୁ ସାଉଥ୍ ୱେଲ୍ସ ମ୍ୟାଚ୍ ମଝିରେ ବକ୍ସିଂ ଡେ’ ପଡ଼ିଥିବାରୁ ଖେଳାଳିମାନେ ଖ୍ରୀଷ୍ଟମାସକୁ ନିଜ ପରିବାର ସହ ପାଳନ କରିପାରିନଥିଲେ। ପୂର୍ବରୁ ମେଲବର୍ନ ଟେଷ୍ଟ୍ ମଧ୍ୟ ନୂଆ ବର୍ଷ (ଜାନୁଆରି ୧)ରୁ ଆରମ୍ଭ ହେଉଥିଲା। ଯାହାକୁ ପରବର୍ତୀ ସମୟରେ ଡିସେମ୍ବର ୨୬ରୁ ନିୟମିତ ଖେଳାଯାଉଛି। ୧୯୫୦-୫୧ ମସିହାରେ ମେଲବର୍ନ ଟେଷ୍ଟରେ ଆସେସ୍ ସିରିଜର ଏକ ମ୍ୟାଚ୍ ଡିସେମ୍ବର ୨୨-୨୭ ପର୍ୟ୍ୟନ୍ତ ଖେଳାଯାଇଥିଲା। ଚତୁର୍ଥ ଦିନ ବକ୍ସିଂ ଡେ’ ପଡ଼ିଥିଲା। ମୋଟ ପ୍ରଶଂସକ ୧ ଲକ୍ଷ ୯୧ ହଜାର ୧୯୭ ଜଣ ଆସିଥିଲେ ମଧ୍ୟ ଉକ୍ତଦିନ ମାତ୍ର ୬୦,୪୮୬ ଜଣ ଉପସ୍ଥିତ ଥିଲେ। ଏହା ମଧ୍ୟ ଅନ୍ୟତମ କାରଣ। ଏଭଳି ସ୍ଥିତି ପରେ ୧୯୮୦ ମସିହାରୁ ନିୟମିତ ଭାବେ ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍ ଖେଳି ଆସୁଛି।

କେବଳ ଟେଷ୍ଟ୍ ମ୍ୟାଚ୍ ନୁହେଁ ୧୯୮୯ ମସିହାରେ ମେଲବର୍ନରେ ମଧ୍ୟ ଏକ ଅନ୍ତର୍ଜାତୀୟ ଦିନିକିଆ ଖେଳାଯାଇଥିଲା। ସେହିଭଳି ନ୍ୟୁଜିଲାଣ୍ଡରେ ମଧ୍ୟ ବକ୍ସିଂ ଡେ’ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଛି। ୱେଲିଂଟନରେ ଏହା ଖେଳାଯାଉଥିଲା। ବିଗତ କିଛି ବର୍ଷରେ ଏଠାରେ ନ୍ୟୁଜିଲାଣ୍ଡ୍ ଏବଂ ଭ୍ରମଣକାରୀ ଦଳ ମଧ୍ୟରେ ଦିନିକିଆ ଅନ୍ତର୍ଜାତୀୟ କିମ୍ବା ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଛି। ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହି ଖ୍ରୀଷ୍ଟିୟ ଛୁଟି ଦିବସରୁ ଟେଷ୍ଟ୍ ଖେଳାଯାଇଛି। ଚଳିତ ବର୍ଷ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ ଟେଷ୍ଟ ଖେଳାଯାଉଛି । ଏହି ମ୍ୟାଚ ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ଭାରତ ମୋଟ ୩ଟି ବକ୍ସିଂ ଟେଷ୍ଟରେ ବିଜୟ ହାସଲ କରିଛି । ଯାହାର ଅଧିନାୟକ ରହିଥିଲେ ବିରାଟ କୋହଲି ।