ଆସିକା ବିଜେଡିରେ ପୁଣି ଅନ୍ତଃକନ୍ଦଳ: ବିଧାୟିକାଙ୍କ ପୁଅଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆଣିଲେ ଦଳୀୟ କର୍ମୀ

212

କମକ ବ୍ୟୁରୋ: ଆସିକା ବିଜେଡିରେ ପୁଣି ଅନ୍ତଃକନ୍ଦଳ । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସ୍ଲୋଗାନ ଦେଇ ଏକାଠି ହୋଇଛନ୍ତି ଶତାଧିକ ଦଳୀୟ କର୍ମୀ । ମାଆ-ପୁଅ ହଟାଅ ଅଭିଯାନରେ ସାମିଲ ହୋଇ ବିଧାୟିକାଙ୍କୁ ବିରୋଧ କରିଛନ୍ତି । ଗୋଟିଏ ପଟେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରି ନିଜର ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପଟେ ଆସିକାରେ ଏକାଠି ହୋଇଥିଲେ ବିଜୁ ଜନତା ଦଳର କିଛି ଅସନ୍ତୁଷ୍ଟ କର୍ମୀ ଓ ଜନ ପ୍ରତିନିଧି । ବିଧାୟିକା ମଂଜୁଳା ସ୍ୱାଇଁ ଓ ତାଙ୍କ ପୁଅ ନଚିକେତା ସ୍ୱାଇଁଙ୍କୁ ବିରୋଧ କରାଯାଇଛି । ବିଧାୟିକା ଓ ତାଙ୍କ ପୁଅ ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ବିଭିନ୍ନ ଦୁର୍ନୀତିରେ ସାମିଲ ଥିବା ଅଭିଯୋଗ କରିଛନ୍ତି । ଏମାନେ ଦଳୀୟ ମଙ୍ଗ ସମ୍ଭାଳୁଥିବା ବେଳେ ଦୁର୍ନୀତି ଭ୍ରଷ୍ଟାଚାର ବଢିବାରେ ଲାଗିଛି । ଏପରିକି ଦଳୟୀ କର୍ମୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି ।

ଯାହାଫଳରେ ଆସିକାର ମାଳତୀ ପୀଠରେ ଶତାଧିକ କର୍ମୀ ଏକାଠି ହୋଇ ଭ୍ରଷ୍ଟାଚାର ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସମସ୍ତେ ନାରାବାଜି କରିଥିବା ବେଳେ ବିକଳ୍ପ ନେତୃତ୍ୱ ପାଇଁ ନେଇଥିଲେ ଶପଥ । ଠିକ୍ ୫ ବର୍ଷ ତଳେ ଦଳୀୟ କର୍ମୀଙ୍କୁ ଅଣଦେଖା ଅଭିଯୋଗରେ ମାଳତୀ ଗଡରୁ ଆରମ୍ଭ ହୋଇଥିଲା ଅଭିଯାନ । ଏବେ ପୁଣି ଏହିଭଳି ଅଭିଯାନର ପୁନରାବୃତି ହୋଇଛି । ମାଆ -ପୁଅ ହଟାଅ ‘ଅଭିଯାନରେ ମେଳି ବାନ୍ଧିଛନ୍ତି ଅସନ୍ତୁଷ୍ଟ । ରାଜନୀତିରେ ଦଳ ଓ କର୍ମୀ ଉଭୟେ ପରିପୂରକ । ଏଥିରୁ ବ୍ୟତିକ୍ରମ ହେଲେ କୌଣସି ହାଲରେ ବରଦାସ୍ତ କରାଯିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।