କାହିଁକି ଭରାଯାଏ ମୃତ ବ୍ୟକ୍ତିଙ୍କ ଆୟକର? ଆୟକର ନଭରିଲେ କଣ ହୋଇଥାଏ ଅସୁବିଧା ? ଜାଣନ୍ତୁ ମୃତ ବ୍ୟକ୍ତିଙ୍କ ନାମରେ କିଏ ଭରିଥାଏ ଆୟକର

548

କନକ ବ୍ୟୁରୋ : କୁହାଯାଏ ମଣିଷ ମରିଯିବା ପରେ ସବୁ ସରିଯାଏ । କିନ୍ତୁ ଇଂରାଜୀରେ ଗୋଟେ କଥା ଅଛି, ନଥିଙ୍ଗ କ୍ୟାନ ବି ସେଡ୍ ଟୁ ବି କ୍ରିଏସନ, ଏକସେପ୍ଟ ଡେଥ୍ ଆଣ୍ଡ ଟ୍ୟାକ୍ସେସ । ଏହାର ଅର୍ଥ ହେଉଛି ମୃତ୍ୟୁ ଏବଂ କର ବ୍ୟତିତ ଅନ୍ୟ କିଛି ନିଶ୍ଚିତ ନୁହେଁ । ଏବେ ଦେଶରେ ଆୟକର ରିଟର୍ଣ୍ଣ ଭରିବାର ସମୟ ଚାଲିଛି । ଜୁଲାଇ ୩୧ ଶେଷ ସମୟ ସୀମା ରହିଛି । ତେବେ ଆପଣ ଜାଣିଛନ୍ତି କି, ମୃତ ବ୍ୟକ୍ତିଙ୍କର ମଧ୍ୟ ଇନକମ ଟ୍ୟାକ୍ସ ଭରିବାକୁ ପଡ଼ିଥାଏ । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ନିରାଟ ସତ । ମୃତ୍ୟୁ ଯେଭଳି ସତ ସେଭଳି ଟ୍ୟାକ୍ସ ଭରିବା ମଧ୍ୟ ନିଶ୍ଚିତ ।

ନିୟମ କହୁଛି ଯଦି ତୁମେ ଦୁନିଆକୁ ଆସିଛ, ତେବେ ଯିବାକୁ ପଡ଼ିବ । ସେହିଭଳି ଯଦି ଆପଣ ଯଦି ରୋଜଗାର କରିଛନ୍ତି ତାହେଲେ ନିୟମ ଅନୁଯାୟୀ ଟ୍ୟାକ୍ସ ଭରିବାକୁ ପଡ଼ିବ । ମୃତ୍ୟୁର ଗୋଟିଏ ବର୍ଷ ମଧ୍ୟରେ ଏହି ଟ୍ୟାକ୍ସ ଭରିବାକୁ ପଡ଼ିଥାଏ । କିନ୍ତୁ କେତେ କ୍ଷେତ୍ରରେ ଏହା ଆବଶ୍ୟକ ହୋଇନଥାଏ । ଯଦି ଭରିବା ନିଶ୍ଚିତ ଥାଏ ଏବଂ ପରିବାର ଲୋକେ ନଭରନ୍ତି ତାହେଲେ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।

ମୃତ ବ୍ୟକ୍ତିଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ମାମଲାରେ ପ୍ରଥମେ ସେହି ବ୍ୟକ୍ତିଙ୍କ ଆୟ କଣ ତାହା ଦେଖିବା ଆବଶ୍ୟକ । ଯଦି ମୃତ ବ୍ୟକ୍ତି ପୂର୍ବ ଆର୍ଥିକ ବର୍ଷରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଜିତ ପରିମାଣ ଟିକସ ଯୋଗ୍ୟ ଆୟ ମଧ୍ୟରେ ରହିଥାଏ ତାହେଲେ ଟ୍ୟାକ୍ସ ଭରିବା ଜରୁରୀ । କିନ୍ତୁ ମୌଳିକ ନିୟମ ଅନୁସାରେ କିଛି ଛାଡ଼ ହୋଇଥାଏ ।

ପୁରୁଣା ଟିକସ ବ୍ୟବସ୍ଥାରେ ସୁପର ସିନିୟର ସିଟିଜେନଙ୍କ ପାଇଁ ୫ ଲକ୍ଷ ଟଙ୍କା, ସିନିୟର ସିଟିଜେନଙ୍କ ପାଇଁ ୩ ଲକ୍ଷ ଟଙ୍କା ଏବଂ ସାଧାରଣ ଟିକସଦାତାଙ୍କ ପାଇଁ ୨.୫ ଲକ୍ଷ ଟଙ୍କା ରହିଛି । ନୂଆ ଟିକସ ବ୍ୟବସ୍ଥାରେ ଆର୍ଥିକ ବର୍ଷ ୨୦୨୩-୨୪ ମୌଳିକ ଛାଡ଼ ସୀମା ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ମୃତ ବ୍ୟକ୍ତିଙ୍କ ବୟସ ଅନୁସାରେ ତାଙ୍କ ମୋଟ ରୋଜଗାରରୁ ମୌଳିତ ରିହାତି କାଟ କରି ଟିକସଯୋଗ୍ୟ ଆୟ ଜାଣିପାରିବେ ।

ମୃତ ବ୍ୟକ୍ତିଙ୍କ ଆଇନଗତ ଉତରାଧିକାରୀ ଅଥବା ଲିଗାଲ ହେୟାର ଏହି ଟ୍ୟାକ୍ସ ଭରିବେ । ଯଦି କେହି ସେମିତି ନଥିବେ ତାହେଲେ ସ୍ୱାମୀ,ସ୍ତ୍ରୀ କିମ୍ବା ପୁଅ ଭରିବେ । ଅନ୍ୟପଟେ ଯଦି ମୃତ ବ୍ୟକ୍ତିଙ୍କ କେହି ସେମିତି ସମ୍ପର୍କୀୟ ନଥାନ୍ତି ତାହେଲେ ଯିଏ ତାଙ୍କ ସମ୍ପତିର ମାଲିକ ସେ ଟ୍ୟାକ୍ସ ଭରିବାକୁ ବାଧ୍ୟ । ଆର୍ଥିକ ବର୍ଷ ଆରମ୍ଭରୁ ମୃତ୍ୟୁ ଦିନ ପର୍ଯ୍ୟନ୍ତ ମୃତକଙ୍କ ନାମରେ ରିଟର୍ଣ୍ଣ ଦାଖଲ କରାଯିବ । ଧରାଯାଉ ୩୦ ନଭେମ୍ବର ୨୦୨୨ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତାହେଲେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ ଏପ୍ରିଲରୁ ୩୦ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଦାଖଲ କରାଯିବ ।

ରିଟର୍ଣ୍ଣ ପାଇଲ ଦାଖଲ କରିବାକୁ ହେଲେ ଆୟକର’ଇ-ଫିଲିଙ୍ଗ ପୋଟାଲକୁ ଯାଇ ଆଇନଗତ ଉତରାଧିକାରୀଭାବେ ପଞ୍ଜିକରଣ କରିବାକୁ ପଡ଼ିବ । ଆପଣ ଉପଭୋକ୍ତା ଆଇଇଡି ଏବଂ ପାସୱାର୍ଡ ସହିତ ଇ-ଫାଇଲ ପୋଟାର୍ଲକୁ ଲଗଇନ କରନ୍ତୁ । ତାପରେ ଅଥରାଇଜଡ୍ ପାର୍ଟନରରେ ରେଜିଷ୍ଟରରେ ରେଜିଷ୍ଟର ଆଜ୍ ରିପ୍ରେଜେଣ୍ଟିଭ୍ ଯାଆନ୍ତୁ ଏବଂ କ୍ରିଏଟ ନ୍ୟୁ ରିକ୍ୟୁଏଷ୍ଟକୁ କ୍ଲିକ କରିବାକୁ ପଡ଼ିବ । ତେବେ ମୃତ ବ୍ୟକ୍ତିଙ୍କ ଟ୍ୟାକ୍ସ ଭରିବା ପାଇଁ ମୃତଙ୍କ ପ୍ୟାନ କାର୍ଡ, ମୃତ୍ୟ ପ୍ରମାଣପତ୍ର, ଭରୁଥିବା ଲୋକଙ୍କ ପ୍ୟାନ କାର୍ଡ, ରିଫଣ୍ଡ ପାଇଁ ବ୍ୟାଙ୍କ ଆକାଉଂଟ, ଆଇନଗତ ଉତରାଧିକାରୀଙ୍କ ପ୍ରମାଣ, ଇତ୍ପିମିଟି ଲେଟର ଭଳି କାଗଜପତ୍ର ନେଇ ପଞ୍ଜିକରଣ କରିବାକୁ ପଡ଼ିବ । ଆୟକର ବିଭାଗରୁ ଅନୁମୋଦନ ପରେ ଆଇନଗତ ଉତରାଧିକାରୀ ମୃତ ବ୍ୟକ୍ତିଙ୍କ ରିଟର୍ଣ୍ଣ ଫାଇଲ ଦାଖଲ କରିପାରିବେ ।

ସବୁଠାରୁ ବଡ଼ କଥା ହେଉଛି କି, ଯଦି କେହି ଏହି ଟ୍ୟାକ୍ସ ନଭରନ୍ତି ତାହେଲେ ପେନାଲ୍ଟି ଦେବାକୁ ପଡ଼ିଥାଏ । ଫାଇନ ସହ ଟ୍ୟାକ୍ସ ନଭରିଲେ ପରେ ଅଧିକ ଶୁଳ୍କ ସହ ଜେଲ ଦଣ୍ଡ ମଧ୍ୟ ରହିଛି । ଯଦି ୨୫ ଲକ୍ଷରୁ ଅଧିକ ଟଙ୍କାର ଟ୍ୟାକ୍ସ ନଭରନ୍ତି ତାହେଲେ ୬ରୁ ୭ ବର୍ଷ ଜେଲ ଦଣ୍ଡ ହୋଇପାରେ ।