ଜଙ୍ଗଲରେ କାହିଁକି ଝୁଲି ପଡିଲେ ରାଜଶ୍ରୀ? ସନ୍ଦେହରେ ମହିଳା କ୍ରିକେଟରଙ୍କ ମୃତ୍ୟୁ

149

କନକ ବ୍ୟୁରୋ: ୨୦୧୪ରୁ ଓଡିଶା ସିନିୟର ମହିଳା କ୍ରିକେଟ୍ ଟିମ ପାଇଁ ଖେଳି ଆସୁଥିଲେ ରାଜଶ୍ରୀ ସ୍ୱାଇଁ । ଜଣେ କ୍ରୀଡାବିତ ଭାବେ କେତେବେଳେ ସଫଳତା, ତ ପୁଣିକେବେ ବିଫଳତା ବି ପାଇଥିବେ । ପୁଡୁଚେରୀରେ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍ର ପ୍ରଥମ ୩ଟି ମ୍ୟାଚ୍ ପାଇଁ ହେବାକୁ ଥିବା ଚୟନ ଶିବିରରେ ସେ ଯୋଗ ଦେଇଥିଲେ । କଟକ ବଜ୍ରକବାଟୀ ରୋଡରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ଭାଗନେଇ ଶୀର୍ଷ ୨୫ ଜଣରେ ସାମିଲ ହେଲେ । କିନ୍ତୁ ଚୂଡାନ୍ତ ୧୬ ଜଣିଆ ଖେଳାଳି ତାଲିକାରୁ ବାଦ୍ ପଡିଗଲେ ରାଜଶ୍ରୀ । ଯେଉଁଥିପାଇଁ ସେ ମାନସିକ ଭାରସାମ୍ୟ ହରାଇ, ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ହେଲେ ତାଙ୍କ ମୃତ୍ୟୁ ପାଇଁ ଓଡିଶା କ୍ରିକେଟ ଆସୋସିଏସନକୁ ଦାୟୀ କରିଛନ୍ତି ପରିବାର ସଦସ୍ୟ ।

କଟକ ମଙ୍ଗଳାବାଗ ଥାନାରେ ଓଡିଶା କ୍ରିକେଟ ଆସୋସିଏସର କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ଏକ ଏତଲା ଦେଇଥିଲେ । ଏଥିରେ ଉଲ୍ଲେଖ ଅଛି ଯେ, ୧୦ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା । ୧୧ ତାରିଖ ସକାଳୁ ଟାଙ୍ଗୀ ଡ୍ରିମସ ପଡିଆରେ କୋଚଙ୍କ ସହ ଅଭ୍ୟାସ ପାଇଁ ବାହାରିଥିଲେ ଚୂଡାନ୍ତ ତାଲିକାରେ ଥିବା ଖେଳାଳି । ଆଉ ବାପାଙ୍କୁ ଭେଟିବାକୁ ଯିବେ କହି ଘରକୁ ବାହାରିଥିଲେ ରାଜଶ୍ରୀ । ତାଙ୍କ ମୋବାଇଲ ଫୋନ୍ ନଲାଗିବାରୁ କୋଚଙ୍କ ସହ କଥା ହୋଇଥିଲେ ଭଉଣୀ ଜୟଶ୍ରୀ । ଅନେକ ଖୋଜାଖୋଜି ପରେ ଥାନାରେ ନିଖୋଜ ମାମଲା ଦାୟର କରିଥିଲେ କୋଚ୍ ।

ଅନ୍ୟପଟେ ଗୁରୁଡିଝାଟିଆ ନିକଟ ବ୍ରାହ୍ମଣବସ୍ତ- କପୁରସିଂହ ଜଙ୍ଗଲ ରାସ୍ତାରୁ ଗୁରୁବାର ତାଙ୍କ ସ୍କୁଟି ଉଦ୍ଧାର ହୋଇଥିଲା । ଆଖପାଖ ଅଞ୍ଚଳରେ ପୋଲିସ ଖୋଜାଖୋଜି ଚଳାଇଥିବାବେଳେ ଶୁକ୍ରବାର ସକାଳୁ ବ୍ରାହ୍ମଣବସ୍ତ ଜଙ୍ଗଲରେ ତାଙ୍କର ମୃତଦେହ ଏକ ଗଛରେ ଝୁଲିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ହେଲେ ଝିଅ ଘରକୁ ନଫେରି ହୋଟେଲଠାରୁ ୩୦ କିଲୋମିଟର ଦୂରରେ ଥିବା ଜଙ୍ଗଲକୁ କାହିଁକି ଯିବ ବୋଲି ପ୍ରଶ୍ନ କରିଛନ୍ତି ରାଜଶ୍ରୀଙ୍କ ବାପା । ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ଝୁଲାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ ଅଭିଯୋଗ ଏବଂ ଓସିଏର ସଫେଇ ଭିତରେ ଏକାଧିକ ପ୍ରଶ୍ନ ଉଠୁଛି

  • ପୁରୀରେ ଘର ହୋଇଥିବାବେଳେ ବିପରୀତ ରାସ୍ତାରେ କାହିଁକି ଗଲେ ରାଜଶ୍ରୀ?
  • ଗୁରୁଡିଝାଟିଆରେ ଥିବା ସେହି ନିର୍ଦ୍ଦିଷ୍ଟ ଜଙ୍ଗଲକୁ କାହିଁକି ବାଛିଲେ?
  • ନିଜେ ଟ୍ରାକସୁଟ୍ ପିନ୍ଧିଥିବାବେଳେ ଝୁଲି ପଡିବା ପାଇଁ ଶାଢୀ ଆଣିଲେ କେଉଁଠୁ?
  • ଜଙ୍ଗଲରେ ଅତି ଯତ୍ନର ସହ ତାଙ୍କ ଚପଲ କେମିତି ଥୁଆହେଲା?
  • ଚୂଡାନ୍ତ ତାଲିକାରେ ସ୍ଥାନ ନପାଇବାରୁ ମାନସିକ ଚାପରେ ଥିଲେ କି ରାଜଶ୍ରୀ?
  • ନା ତାଙ୍କ ମୃତ୍ୟୁ ପଛରେ କିଛି ଅନ୍ୟ କାରଣ ରହିଛି?