ଯୁଦ୍ଧକାଳୀନଭିତିରେ ଚାଲିଛି ଅଯୋଧ୍ୟା ଶ୍ରୀରାମ ମନ୍ଦିର କାମ । ୨୦୨୪ ମକର ସଂକ୍ରାନ୍ତିରେ ଗର୍ଭଗୃହରେ ହେବ ରାମଲଲାଙ୍କ ପ୍ରତିଷ୍ଠା

100

କନକ ବ୍ୟୁରୋ : ଗୋଟିଏ ବର୍ଷର ଅପେକ୍ଷା । ଦେଖିବାକୁ ମିଳିବ ଅଯୋଧ୍ୟାର ଭବ୍ୟ ଶ୍ରୀରାମଙ୍କ ମନ୍ଦିର । ରାମଜନ୍ମଭୂମିରେ ଜୋରସୋରରେ ଚାଲିଛି ମନ୍ଦିରର ନିର୍ମାଣ କାମ । ପ୍ରାୟ ୬୦ ପ୍ରତିଶତ ସରିଲାଣି ମନ୍ଦିର ନିର୍ମାଣ କାମ । ଏହା ଭିତରେ ଶ୍ରୀରାମଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ନିର୍ମାଣ କାମକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ମହାସଚିବ ଚମ୍ପତ ରାୟ ମନ୍ଦିର ନିର୍ମାଣ କାମକୁ ନେଇ କିଛି ବିଶେଷ ସୂଚନା ଦେଇଛନ୍ତି । ୨୦୨୪ ଜାନୁଆରୀ ମାସ ସୁଦ୍ଧା ଭକ୍ତଙ୍କ ପାଇଁ ଶ୍ରୀରାମଙ୍କ ମନ୍ଦିର ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ହୋଇଯିବ ବୋଲି ଚମ୍ପତ ରାୟ କହିଛନ୍ତି ।

୨୦୨୪ ମକର ସଂକ୍ରାନ୍ତୀରେ ମନ୍ଦିର ଗର୍ଭଗୃହର ପ୍ରାଣ ପ୍ରତିଷ୍ଠା କରାଯିବ । ଏଠାରେ ପ୍ରଭୁ ଶ୍ରୀରାମଙ୍କ ବାଳ ସୂରୁପ ଅର୍ଥାତ ୫ରୁ ୭ବର୍ଷ ବୟସର ପ୍ରତିମୂତିକୁ ସ୍ଥାପନ କରାଯିବ । ଗର୍ଭଗୃହରେ ପ୍ରଭୁ ଶ୍ରୀରାମ ଯେଉଁ ମୂର୍ତି ପ୍ରତିଷ୍ଠା କରାଯିବ ଏହା ପାଇଁ ସ୍ୱତନ୍ତ୍ର ମୂର୍ତି କାରିଗରଙ୍କୁ ଦାୟିତ୍ୱ ଦିଆଯାଇଛି । ମୂର୍ତି ପାଇଁ ଆକାଶୀ ରଙ୍ଗର ପଥରର ବ୍ୟବହାର କରାଯିବ ଯାହା ଓଡିଶା ଓ ମହାରାଷ୍ଟ୍ରରୁ ଅଣାଯିବ । ଓଡିଶା, କର୍ଣ୍ଣାଟକ, ମହାରାଷ୍ଟ୍ରର କିଛି ଖ୍ୟାତାନାମ ମୂର୍ତିକାରିଗର ଶ୍ରୀରାମଙ୍କ ମୂର୍ତି ନିର୍ମାଣ କାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଳାଇବେ ।

ବର୍ତମାନ ଏମାନେ ମୂର୍ତ୍ତିର ଡ୍ରାଇଗ୍ରାମ ପ୍ରସ୍ତୁତ କରୁଛନ୍ତି । ଓଡିଶାର ପଦ୍ମ ବିଭୁଷଣ ଶ୍ରୀ ସୁଦର୍ଶନ ସାହୁ , କର୍ଣ୍ଣାଟକର କେ.ବି ମାନିଆ, ଓ ମହାରାଷ୍ଟ୍ରର ଶାସ୍ତ୍ରୟଜ୍ଞ ଦେଓଲକରଙ୍କ ପରି ଦେଶର ନାଁକାର ମୂର୍ତିକାର ସାମିଲ ଅଛନ୍ତି । ମୂର୍ତି ନିର୍ମାଣ ପାଇଁ ପ୍ରାୟ ୬ମାସର ସମୟ ଲାଗିବ । ନିର୍ଦ୍ଦାରିତ ସମୟ ପୂର୍ବରୁ ମନ୍ଦିର ନିର୍ମାଣ କାମ ଶେଷ ହେବ । ଟ୍ରଷ୍ଠର ସୂଚନା ମୁତାବକ ରାମମନ୍ଦିର ୩ମହଲା ବିଶିଷ୍ଠ ହେବ । ପ୍ରଥମ ମହଲାରେ ମନ୍ଦିରର ଗଭଗୃହ, ୨ୟ ମହଲାରରେ ଶ୍ରୀରାମ ଦରବାର ରହିବ । ରାଜସ୍ଥାନରୁ ମଧ୍ୟ ସ୍ୱତନ୍ତ୍ର ପଥର ଅଣାଯାଇ ବିଭିନ୍ନ ଆର୍କଷଣୀୟ ଡିଜାଇନରେ ମନ୍ଦିର ନିର୍ମିତ ହେଉଛି । ରାଜ୍ୟ ଓ ରାଜ୍ୟବାହାର ଶହ ଶହ ଶ୍ରମିକ ଦିନ ରାତି ଏକ କରି ନିର୍ମାଣ କାମ କରୁଛନ୍ତି । ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ମନ୍ଦିରର କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ମନ୍ଦିର କମିଟି ।