ମ୍ୟାଚ ପରେ କାହିଁକି କାନ୍ଦି ପକାଇଲେ ପାଣ୍ଡ୍ୟା? ବିରାଟଙ୍କ ସହ ଭାବବିହ୍ୱଳ ଫଟୋ ଭାଇରାଲ

180

କନକ ବ୍ୟୁରୋ: ଗତକାଲିର ଭାରତ-ପାକିସ୍ତାନ ମ୍ୟାଚ ସମସ୍ତଙ୍କ ଆଖିରେ ଲୁହ ନେଇ ଆସିଥିଲା । ଏହି ମ୍ୟାଚ ପରେ କେଉଁଠି ଫ୍ୟାନମାନେ ଖୁସିରେ ଝୁମି ଉଠିଥଲେ ତ କେଉଁଠି ଭାବବିହ୍ୱଳ ହୋଇ ପଡିଥିଲେ । କେବଳ ସେତିକି ନୁହେଁ ମ୍ୟାଚ ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା କାନ୍ଦୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏହାସହ ବିରାଟ କୋହଲି ମଧ୍ୟ ଭାବବିହ୍ୱଳ ହୋଇପଡିଥିଲେ । କାରଣ ଭାରତ-ପାକିସ୍ତାନର ମ୍ୟାଚ ହିଁ ସେମିତି । ଏହାର ବିଜୟର ଅର୍ଥ ଦୁଇ ଦେଶର ସମ୍ମାନର କଥା । ସେଥିପାଇଁ ଏହି ମ୍ୟାଚ ଦୁଇ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ପାକିସ୍ତାନ ବିପକ୍ଷ ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରମୁଖ ଭୂମିକା ବହନ କରିଥିଲେ । ପ୍ରଥମେ ବୋଲିଂରେ ୩ ୱିକେଟ୍ ଏବଂ ପରେ ବ୍ୟାଟରେ ୪୦ ରନର ନିର୍ଣ୍ଣାୟକ ଯୋଗଦାନ କରିଥିଲେ । ହାର୍ଦ୍ଦିକ ଓ କୋହଲିଙ୍କ ମଧ୍ୟରେ ପଂଚମ ୱିକେଟ୍ ପାଇଁ ୧୧୩ ରନର ଭାଗିଦାରୀ ହୋଇଥିଲା । ମ୍ୟାଚ୍ ଜିତିବା ପରେ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ହାର୍ଦ୍ଦିକ । ଲାଇଭ୍ ଇଂଟରଭ୍ୟୁରେ ନିଜ ଦିବଙ୍ଗତ ପିତାଙ୍କୁ ମନେ ପକାଇ ଭୋ ଭୋ ହୋଇ କାନ୍ଦି ପକାଇଥିଲେ ହାର୍ଦ୍ଦିକ । ତାଙ୍କ ଆଖିରୁ ଧାର ଧାର ଲୁହ ଝରି ଆସିଥିଲା ।

ହାର୍ଦ୍ଦିକ ଭାବବିହ୍ୱଳ ହୋଇ କହିଥିଲେ, ଆଜି ମୁଁ ଯାହା କିଛି ବି ଅଛି, ତାହା କେବଳ ମୋ ପିତାଙ୍କ ପାଇଁ । ମୋ ବାପା ମୋ ପାଇଁ ବହୁତ ତ୍ୟାଗ କରିଛନ୍ତି । ଯଦି ସେ ଆଜି ଥାନ୍ତେ ବହୁତ ଖୁସି ହୋଇଥାନ୍ତେ । ଆମ ଦୁଇ ଭାଇ ପାଇଁ ସହର ମଧ୍ୟ ଛାଡି ଦେଇଥିଲେ । ମୁଁ ମୋ ବାପାଙ୍କ ପାଖରେ ସବୁବେଳେ ଋଣି ହୋଇ ରହିବି । ଗତବର୍ଷ ଜାନୁଆରୀରେ ହାର୍ଦ୍ଦିକଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କର ଦେହାନ୍ତ ହୋଇଥିଲା ।

ସେପଟେ ଏହି ମ୍ୟାଚ ଶେଷ ହେବା ପରେ ବିରାଟ କୋହଲି ମଧ୍ୟ ଭାବବିହ୍ୱଳ ହେବାର ଦେଖିବାକୁ ମିଳିଥିଲା । ତାଙ୍କର ଫଟୋ ମଧ୍ୟ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି । ଦୀର୍ଘ ୨ ବର୍ଷ ହେବ ବିରାଟ ଖରାପ ଫର୍ମରେ ଗତି କରୁଛନ୍ତି । ଆଉ ଏଭଳି ପରିସ୍ଥିତିରେ ସେ ଏକାକୀ ସଂଘର୍ଷ କରି ଭାରତକୁ ବଡ ବିଜୟ ଦେଇଛନ୍ତି । ଆଉ ଯେଉଁଥିପାଇଁ ସେ ଭାବବିହ୍ୱଳ ହୋଇପଡିଥିଲେ । ଖରାପ ଫର୍ମ ଯୋଗୁଁ ସେ ଅନେକ ଥର ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି । ହେଲେ ଏବେ ସେ ଭାରତକୁ ଏଭଳି ଏକ ବିଜୟ ଦେଇ ସମସ୍ତଙ୍କୁ ଚୁପ କରି ଦେଇଛନ୍ତି ।

କିଙ୍ଗ କୋହଲିଙ୍କ ବ୍ୟାଟିଂ କରିସ୍ମାରେ ପାକିସ୍ତାନର ବିଜୟର ସ୍ୱପ୍ନ ଧୂଳିସାତ ହୋଇଯାଇଛି । ସାରା ଭାରତରୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କ ପାଇଁ ଲେଖିଛନ୍ତି ଭାବବିହ୍ୱଳ ଇନଷ୍ଟାଗ୍ରାମ ପୋଷ୍ଟ । କୋହଲିଙ୍କ ଚମକ୍ରାର ପ୍ରଦର୍ଶନ ଓ ଭାରତର ବିଜୟରେ ଆତ୍ମହରା ହୋଇପଡ଼ିଛନ୍ତି ଅନୁଷ୍କା । ସେ ନିଜ ଇନଷ୍ଟାଗ୍ରାମ ଆକାଉଂଟରେ ପେଜରେ ଲେଖିଛନ୍ତି ଯେ, ଯେତେବେଳେ ବିରାଟ ଗୋଟିଏ ପରେ ଗୋଟିଏ ଛକା ଓ ଚୌକା ମାରିଚାଲିଥିଲେ, ଆଉ ଯେତେବେଳେ ଭାରତ ବିଜୟ ହାସଲ କଲା, ସେ ସେତେବେଳେ ଖୁସିରେ ନାଚି ଉଠିଥିଲେ । ଖୁସିରେ ପାଟି କରି ଉଠିଥିଲେ । ଆଖିରୁ ଖୁସିର ଲୁହ ଝରିପଡିିଥିଲା । ବିରାଟଙ୍କ ପ୍ରଦର୍ଶନକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଅନୁଷ୍କା । କୋହଲିଙ୍କ ଉତ୍ସର୍ଗକୃତ ମନୋଭାବ, ଦୃଢ଼ ମନୋବଳ, ନିଜ ଉପରେ ବିଶ୍ୱାସ ଓ ଅଧ୍ୟବସାୟ ପାଇଁ ସେ ଏପରି ପ୍ରଦର୍ଶନ କରିପାରିଛନ୍ତି ବୋଲି ଲେଖିଛନ୍ତି ଅନୁଷ୍କା । ସେ ଲେଖିଛନ୍ତି ଯେ, ତାଙ୍କ ଜୀବନରେ ଦେଖିଥିବା ମ୍ୟାଚ୍ ମଧ୍ୟରୁ ଏହା ଶ୍ରେଷ୍ଠ ମ୍ୟାଚ୍ । ପୂର୍ବରୁ ଯେତେବେଳେ କୋହଲି ଖରାପ ଫର୍ମରେ ଚାଲୁଥିଲେ, ତାଙ୍କୁ ଅନେକ ସମାଲୋଚନା କରାଯାଉଥିଲା । ହେଲେ ତାଙ୍କୁ ଦୃଢ଼ ଭାବେ ସମର୍ଥନ ଓ ସାହସ ଯୋଗାଇଆସୁଥିଲେ ଅନୁଷ୍କା । ଆଉ ଏବେ କିଙ୍ଗ କୋହଲିଙ୍କ ବ୍ୟାଟିଂ ଯାଦୁରେ ସାରା ଭାରତ ଝୁମି ଉଠିଛି ।