କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ? ଏତେ ବଡ଼ ଅପରାଧ ପଛରେ କ’ଣ ରହିଛି କାରଣ?

288

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି ମାରିଲା, ପୂରା ଘଟଣାକ୍ରମକୁ ଡେମୋ କରି ଦେଖାଇଛି ଅଭିଯୁକ୍ତ । କିନ୍ତୁ କାହିଁକି ଗୁଳି ମାରିଲା, ଏ ନେଇ ଚୁପ୍ ରହିଛି କ୍ରାଇମ୍ବ୍ରାଂଚ । ଦୁଇ ଦଫାରେ ରିମାଣ୍ଡରେ ନେଇ ତୁହାକୁ ତୁହା ଜେରା କରିବା ପରେ ବି କିଛି କହୁନାହାନ୍ତି ତଦନ୍ତକାରୀ ଅଧିକାରୀ । ଏପଟେ ବିଭିନ୍ନ ସୂତ୍ରକୁ ଆଧାର କରି ଭିନ୍ନ ଭିନ୍ନ ଥିଓରୀ ସାମ୍ନାକୁ ଆସୁଛି ।

ମନ୍ତ୍ରୀଙ୍କୁ ଦେଖିବା ମାତ୍ରେ ଚିଡ଼ି ଯାଉଥିଲା ଗୋପାଳ!
ହତ୍ୟା କରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲା ଅଭିଯୁକ୍ତ!

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ, ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବା ବେଳେ ହତ୍ୟାର ୯ ଦିନ ପରେ ବି ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ । ତେବେ ସୂଚନା ମିଳିଛି, ଜେରା ବେଳେ ହତ୍ୟା ପଛର ମୋଟିଭ୍ କ୍ରାଇମ୍ବ୍ରାଂଚକୁ କହିଛି ଗୋପାଳ । ସେ କୁଆଡ଼େ କହିଛି –

ଜେରା ବେଳେ କ’ଣ କହିଲା ଗୋପାଳ?
ରାଜ୍ୟ ସରକାରଙ୍କୁ କିଛି ନେତା ବଦନାମ କରୁଛନ୍ତି
ଲୋକଙ୍କ ଦୁଃଖର କାରଣ ପାଲଟୁଛନ୍ତି ନେତା
ଲୋକଙ୍କୁ ନେତା ଭୟଭୀତ କରୁଛନ୍ତି, ନିର୍ଯାତନା ଦେଉଛନ୍ତି
ମନ୍ତ୍ରୀ ନବ ଦାସ ମଧ୍ୟ ସେହି ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ
ମନ୍ତ୍ରୀଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା
ହତ୍ୟା କରିବା ପାଇଁ ଗତ ୪ ମାସ ହେଲା ସୁଯୋଗ ଅପେକ୍ଷାରେ ଥିଲା

ହତ୍ୟା ପଛର ଏହି ଥିଓରୀ ସତ କି ମିଛ, ସ୍ପଷ୍ଟ କରିନାହିଁ କ୍ରାଇମବ୍ରାଂଚ । ସେପଟେ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଜାଣିବା ପାଇଁ ଉଦ୍ୟମ କରୁଛି ତଦନ୍ତକାରୀ ଦଳ । କଟକ ବଡ଼ ମେଡିକାଲର ମାନସିକ ରୋଗ ବିଶେଷଜ୍ଞ ଓ ମନସ୍ତତ୍ୱବିତ୍ଙ୍କ ଏକ ଟିମ୍ ଯାଂଚ କରିବା ପରେ ଝାରୁସୁଗୁଡାରେ ପହଁଚିଛି ନିମହାନ୍ସ ଟିମ୍ । ଅଭିଯୁକ୍ତ ଗୋପାଳ ଦାସଙ୍କର ମାନସିକ ପରୀକ୍ଷା କରିବ ବେଙ୍ଗାଲୁରୁରୁ ଆସିଥିବା ଏହି ୪ ଜଣିଆ ଟିମ୍ । ଏହି ଟିମ୍ରେ ଦୁଇଜଣ ମାନସିକ ରୋଗ ବିଶେଷଜ୍ଞ ଥିବା ସୂଚନା ରହିଛି । ଗୋପାଳଙ୍କର ମାନସିକ ସ୍ଥିତି ଜାଣିବାକୁ ଏହି ଟିମ୍ ତାକୁ ପଚରାଉଚରା କରୁଛନ୍ତି । ଅଭିଯୁକ୍ତ ଗୁଳି କରିବା ପରେ ତାଙ୍କ ପରିବାର ଲୋକେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ରହୁନଥିବା କଥା କହିଥିଲେ । ଏମିତିକି ଗୋପାଳ ଚିକିତ୍ସିତ ହେଉଥିବା ଡାକ୍ତର ମଧ୍ୟ ତାଙ୍କର ମାନସିକ ଅବସ୍ଥା ଠିକ୍ ରହୁନଥିବା କଥା କହିଥିଲେ । ଏପଟେ ଅଭିଯୁକ୍ତ ଗୋପାଳ ଦାସର ସ୍ୱର ବିଶ୍ଳେଷଣ ବା (ଏଲଏଭି) ପରୀକ୍ଷା କରାଯାଉଛି । ଏହି ପଦ୍ଧତି ମାଧ୍ୟମରେ ଗୋପାଳଙ୍କ ସ୍ୱରକୁ ଅନୁଧ୍ୟାନ କରାଯାଉଛି ।