ମନ୍ତ୍ରୀଙ୍କୁ କେମିତି ଗୁଳି ମାରିଥିଲା ଗୋପାଳ? ହାତରେ ବନ୍ଧୁକ ଧରି କ୍ରାଇମ୍ ସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ

685

କନକ ବ୍ୟୁରୋ: ସେହି ଛାତିଥରା ଅପରାଧର ଡେମୋ, ଯାହା କେବଳ ଓଡ଼ିଶା ନୁହେଁ ସାରା ଦେଶକୁ ଚହଲାଇ ଦେଇଥିଲା । ଜାନୁଆରୀ ୨୯ ତାରିଖ ଦିନ କଣ ଘଟିଥିଲା, କେମିତି ମନ୍ତ୍ରୀ ନବ ଦାସଙ୍କ ଛାତିକୁ ଅତି ପାଖରୁ ଗୁଳି ମାରି କିପରି ଏପଟ ସେପଟ ପାର୍ କରି ଦେଇଥିଲା, ଡେମୋ କରି ପୂରା ଘଟଣାକ୍ରମକୁ ଦେଖାଇଛି ଅଭିଯୁକ୍ତ ଗୋପାଳ ଦାସ । ଅପରାଧର ଏହି କାହାଣୀ ରାଜ୍ୟ ରାଜନୀତିରେ ଯେମିତି ବିରଳ ଥିଲା, ସିନ୍ ରିକ୍ରିଏସନ୍ ମଧ୍ୟ ପୁଲିସ ଇତିହାସରେ ଥିଲା ସେମତି ରୋମାଂଚକର । କାରଣ ଏପରି ସିନ୍ ରିକ୍ରିଏସନ୍ର ଟିକିନିକି ଲାଇଭ୍ ଫୁଟେଜ୍ ପୂର୍ବରୁ କ୍ୱଚିତ ଦେଖିବାକୁ ମିଳିଛି । ସେଦିନର ଘଟଣାକୁ ସଂପୂର୍ଣ୍ଣ ଭାବେ ଚତ୍ରଣ କରିବାକୁ ପ୍ରୟାସ କରିଥିଲା କ୍ରାଇମ୍ବ୍ରାଂଚ । ନଜର ପକାଇବା ପୂରା ଘଟଣାକ୍ରମ ଉପରେ ।

ମନ୍ତ୍ରୀ ନବ ଦାସଙ୍କ ଗାଡ଼ି ଅଟକିଲା
ପୂରା ଘଟଣାକୁ ଅବିକଳ ଉତାରିବାକୁ ଉଦ୍ୟମ କରିଥିଲା କ୍ରାଇମବ୍ରାଂଚ । ପ୍ରଥମ ଦୃଶ୍ୟରେ ନବ ଦାସଙ୍କ ଗାଡ଼ି ଘଟଣା ସ୍ଥଳରେ ଅଟକିଥିଲା । ଦୁଇଟି ଗାଡ଼ି ଆଗପଛ ହୋଇ ଅଟକି ଥିଲା । ଲୋକଙ୍କ ଗହଳିଠାରୁ ପୂରା ପରିବେଶକୁ ସମାନ ରଖିବାକୁ ଚେଷ୍ଟା କରାଯାଇଥିଲା ।

କ୍ରାଇମସ୍ପଟ୍ରେ ଗୋପାଳ
କଡ଼ା ସୁରକ୍ଷା ବଳୟ ଭିତରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଘଟଣା ସ୍ଥଳକୁ ଆଣିଥିଲା ପୁଲିସ । ଗୋପାଳ ମୁଣ୍ଡରେ ଗାମୁଛା ଗୁଡାଇଥିଲା । କ୍ରାଇମବ୍ରାଂଚ ଅଧିକାରୀଙ୍କୁ ପୂରା ଘଟଣା ବର୍ଣ୍ଣନା କରିଥିଲା ଅଭିଯୁକ୍ତ । କ୍ରାଇମ୍ ସିନ୍ ପାଇଁ ଗୋପାଳକୁ ପ୍ରସ୍ତୁତ କରିବା ପରେ ଆରମ୍ଭ ହୋଇଥିଲା ସିନ୍ ରିକ୍ରିଏସନ୍ । ବନ୍ଧୁକ ଧରି ସୁଯୋଗକୁ ଅପେକ୍ଷା କଲା ଗୋପାଳ ।

ଗାଡ଼ିର ଡୋର ଖୋଲିଲା
ଗୋଟିଏ ଡେମୋ, ଅନ୍ୟଟି ସେଦିନ ଯାହା ସତରେ ଘଟିଥିଲା । ମନ୍ତ୍ରୀ ଘଟଣା ସ୍ଥଳରେ ପହଁଚିବା ପରେ ଗାଡ଼ି ଡୋର ଖୋଲିଲା । ସିନ୍ ରିକ୍ରିଏସନ୍ ବେଳେ ମନ୍ତ୍ରୀ ନବ ଦାସଙ୍କ ଭୂମିକାରେ ଥିଲେ ଜଣେ ପୁଲିସ ଅଧିକାରୀ ।

ମନ୍ତ୍ରୀଙ୍କୁ ଫୁଲମାଳ, ଗୋପାଳ ମାରିଲା ଗୁଳି
ଏହିଠାରେ ଘଟିଥିଲା ସାଂଘାତିକ ଅପରାଧ । ସମର୍ଥକ ଫୁଲମାଳ ପିନ୍ଧାଉଥିବା ବେଳେ ଗୁଳିମାଡ଼ରେ ଟଳି ପଡିଥିଲେ ମନ୍ତ୍ରୀ ନବ ଦାସ ।କିପରି ଭିଡ଼ ଆଡ଼େଇ ମନ୍ତ୍ରୀଙ୍କ ପାଖରେ ପହଁଚି ଗୁଳିମାଡ଼ କଲା, ପୂରା ଘଟଣାକୁ ଅଭିନୟ କରି ଦେଖାଇଛି ଗୋପାଳ । କୁହାଯାଉଛି ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ପୂରା ପ୍ରସ୍ତୁତିର ସହ ଆସିଥିଲା ଅଭିଯୁକ୍ତ । ଗୁଳି ମାଡ଼ କରିବା ସହ ଅପରାଧର ପୂରା କାହାଣୀ କ୍ରାଇମବ୍ରାଂଚ ଅଧିକାରୀଙ୍କୁ ଗୋଟି ଗୋଟି ବୁଝାଇଥିଲା ।

ଲୋକଙ୍କୁ ପିସ୍ତଲ ଦେଖାଇ ଡରାଇଲା
ଗୁଳିମାଡ଼ କରିବା ପରେ ଲୋକଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବାକୁ ଉଦ୍ୟମ କରିଥିଲା ଗୋପାଳ । ବ୍ଲାକ ଫାୟାରିଂ କରିବା ସହ ଭିଡ଼ ଭିତରୁ ଖସିବାକୁ ଚେଷ୍ଟା କରିଥିଲା ହତ୍ୟାକାରୀ । ସେତେବେଳେ ଚାରିଆଡେ ହଇଚଇ ଖେଳି ଯାଇଥିଲା । ଗୋପାଳକୁ ଘେରି ଯାଇଥିଲେ ପୁଲିସ ଓ ଜନତା । ଏବଂ ହାତରୁ ଛଡ଼ାଇ ନେଇଥିଲେ ବନ୍ଧୁକ । ତେବେ ଏହା ପୂର୍ବରୁ ନିଜ ବର୍ବର ଉଦ୍ଦେଶ୍ୟକୁ ପୂରଣ କରି ସାରିଥିଲା ଗୋପାଳ । ସେଦିନ ଘଟଣା ସ୍ଥଳରେ ଆହତ ହୋଇଥିବା ଜୀବନ ନାୟକ ମଧ୍ୟ କହିଛନ୍ତି ହତ୍ୟାକାଣ୍ଡର କାହାଣୀ ଜାନୁଆରୀ ୨୯ ତାରିଖ ଦିନ ଯାହା ଘଟିଥିଲା, ପୁଣିଥରେ ଅଭିନୟ କରି ଦେଖାଇଛି ଅଭିଯୁକ୍ତ । ଅବଶ୍ୟ ସେହି ଘଟଣାର ମୁଖ୍ୟ ଦୃଶ୍ୟକୁ ଟେଲିଭିଜନରେ ସମସ୍ତେ ଦେଖିଛନ୍ତି । ଘଟଣା କେମିତି ଘଟିଥିଲା, ତାହା ତ ଡେମୋ କରି ଦେଖାଇଲା ଗୋପାଳ, କିନ୍ତୁ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କଲା, ସେହିପ୍ରଶ୍ନର ଉତର ଖୋଜୁଛନ୍ତି ଓଡ଼ିଶାବାସୀ ।