୨୪ ଘଣ୍ଟା ଭିତରେ ପୁଣି ଥରିଲା ତୁର୍କୀ । ମୃତ୍ୟୁସଂଖ୍ୟା ୫ ହଜାର୍ ପାର୍ । ୧୫ ହଜାରରୁ ଅଧିକ ଲୋକ ଆହତ

207

କନକ ବ୍ୟୁରୋ: ୨୪ ଘଣ୍ଟା ଭିତରେ ପୁଣି ଥରିଲା ତୁର୍କୀ । ଭୂକମ୍ପର ତୀବ୍ରତା ୫.୬ ରହିଛି । ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୫ ହଜାର ପାର କରିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ଆଶଙ୍କା କରାଯାଉଛି । ଭୂକମ୍ପ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ଏଠାରେ ପାଖାପାଖି ୩ ହଜାରରୁ ଲୋକଙ୍କ ଜୀବନ ଯାଇଛି ।

ସିରିୟା ସୀମାକୁ ଲାଗିଥିବା ଏହି ଦେଶରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ସିରିୟାରେ ମଧ୍ୟ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ତୁର୍କୀରେ ପ୍ରଥମ ଝଟକା ଯୋଗୁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକ ଚାପି ହୋଇ ରହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ଏହି ଘଟଣା ପରେ ସାରା ଦେଶରେ ସ୍କୁଲ ଗୁଡ଼ିକୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

ଅନ୍ୟପଟେ ଦେଶରେ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି । ପ୍ରଭାବିତ ହୋଇଛି ମୋବାଇଲ୍ ନେଟୱର୍କ । ଆର୍ଥିକ ସ୍ଥିତି ଭୁଶୁଡିବା ଆଶଙ୍କା କରାଯାଉଛି । ୮୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କୁହାଯାଉଛି । ଏହି ପ୍ରାକୃତିକ ବିପର୍ଯ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି । ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକା ଧ୍ୱଂସସ୍ତୁପରେ ପରିଣତ ହୋଇଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚଓ ବଡ଼ ଭବିଷ୍ୟବାଣୀ କରିଛି । ଡବ୍ଲ୍ୟୁଏଚଓ ତଥ୍ୟ ଅନୁସାରେ, ତୁର୍କୀ ଭୂମିକମ୍ପରେ ୨୦ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇପାରେ । ଡବ୍ଲ୍ୟୁଏଚର ଏହି ଭବିଷ୍ୟବାଣୀ ଅଗଷ୍ଟ ମାସ ୧୯୯୯ରେ ଆସିଥିବା ଭୂକମ୍ପକୁ ତାଜା କରିଛି । ଯେଉଁଥିରେ ୧୮ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା ।