ସାମ୍ବାଦିକଙ୍କୁ ପ୍ରତିବନ୍ଧକ କାହିଁକି? କିଏ ଉପରୁ ଦେଉଛି ନିର୍ଦ୍ଦେଶ?

1,156

କନକ ବ୍ୟୁରୋ: ସାମ୍ବାଦିକଙ୍କ ପାଇଁ ଲକ୍ଷ୍ମଣରେଖା । ବିଭିନ୍ନ କାର୍ଯ୍ୟକ୍ରମରେ ଲଗାଇ ଦିଆଯାଉଛି କଟକଣା । ଆଦିବାସୀ ମେଳାକୁ ସାମ୍ବାଦିକଙ୍କୁ ବାରଣ କରି ଭିଡିଓ ପଠାଇ ଦେବ କହିଲା ସୂଚନା ଓ ଲୋକସମ୍ପର୍କ ବିଭାଗ । ସେପଟେ ବିଧାନସଭାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରବେଶ ବେଳେ ଦଉଡି ବାନ୍ଧି ସାମ୍ବାଦିକଙ୍କୁ ଅଟକାଇଛି ପୋଲିସ ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମକୁ ବିଭିନ୍ନ କାର୍ଯ୍ୟକ୍ରମରେ ମନା । ରାଜଧାନୀରେ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଉଦଘାଟନୀ ଉତ୍ସବରେ ଖବର ସଂଗ୍ରହ ପାଇଁ ସାମ୍ବାଦିକଙ୍କୁ ମନା କରାଯାଇଛି । ମୁଖ୍ୟମନ୍ତ୍ରୀ ମେଳାରେ ଥିଲା ବେଳେ ଭିତରକୁ ଛାଡିନଥିଲେ ସୁରକ୍ଷାକର୍ମୀ । କହିଲେ ଉପରୁ ଆଦେଶ ଅଛି ଆମେ ଛାଡି ପାରିବୁ ନାହିଁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ଭିଡିଓ ଫୁଟେଜ ସୂଚନା ଓ ଲୋକସମ୍ପର୍କ ବିଭାଗଠାରୁ ପାଇଯିବେ । ତେବେ ଖାଲି ଆଦିବାସୀ ମେଳା ନୁହେଁ ବିଧାନସଭାରେ ବଜେଟ ଅଧିବେଶନରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ବିଧାନସଭାକୁ ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦଉଡି ଟାଣି ଅଟକା ଯାଇଛି ।

ତେବେ ପ୍ରଶ୍ନ ଉଠୁଛି…

  • ସାମ୍ବାଦିକଙ୍କ ପାଇଁ ଏତେ କଟକଣା କାହିଁକି?
  • ଗଣମାଧ୍ୟମ ପ୍ରତିନିଧିଙ୍କୁ ରହିଛି କି ଭୟ?
  • କଣ ଲୁଚାଇବାକୁ ଚାହୁଁଛନ୍ତି ସରକାର?
  • ସାମ୍ବାଦିକଙ୍କୁ ମନା କରିବାକୁ କିଏ ଦେଉଛି ନିର୍ଦ୍ଦେଶ?

ସାମ୍ବାଦିକଙ୍କୁ ଖବର ସଂଗ୍ରହ କରିବାରେ ବାଧା ଦେବା କାହାଣୀ ଏତିକିରେ ସରିନାହିଁ । ସୋମବାର ବିଏମସିର ନୂତନ କୋଠା ଉଦଘାଟନ ବେଳେ ମିଡିଆକୁ ଛଡାଯାଇଥିଲା । ହେଲେ ବଜେଟ ବୈଠକ ଆରମ୍ଭ ହେବା ପରେ ସାମ୍ବାଦିକଙ୍କୁ ସେହିଠାରୁ ଚାଲିଯିବାକୁ କୁହାଗଲା । ଗତ ଫେବୃୟାରୀ ୧୦ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସି ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗଦେଇଥିଲେ । କିନ୍ତୁ ସେଠାରେ ଖବର ସଂଗ୍ରହ ପାଇଁ ସାମ୍ବାଦିକଙ୍କୁ ଛଡାଗଲା ନାହିଁ । ଫଳରେ ସାମ୍ବାଦିକମାନେ ଗେଟ ବାହାରେ ବସିରହିଥିଲେ । କର୍ତୃପକ୍ଷ କହିଥିଲେ ସାମ୍ୱାଦିକଙ୍କୁ ଦୁରେଇ ରଖିବା ପାଇଁ ଉପରୁ ନିର୍ଦ୍ଦେଶ ଅଛି ।

ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି କାମ କରିଥାଏ ଗଣମାଧ୍ୟମ । ଲୋକଙ୍କ ସମସ୍ୟା ସରକାରଙ୍କୁ ଜଣାଇବା ହେଉ କି ସରକାରଙ୍କ ଯୋଜନା ସଂପର୍କରେ ଲୋକଙ୍କୁ ଜଣାଇବା, ଗଣମାଧ୍ୟମ ହିଁ ତୁଳାଇଥାଏ । ହେଲେ ରାଜ୍ୟରେ ଗଣମାଧ୍ୟମର ଖବର ସଂଗ୍ରହ ଉପରେ କଟକଣା ଲଗାଇବା ଘଟଣାକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି ।