ରାହୁଲ ଗାନ୍ଧୀଙ୍କୁ ଭେଟିଲେ ବୋଲି ଚାଲିଗଲା ଚାକିରି, ଚର୍ଚ୍ଚାରେ ମଧ୍ୟପ୍ରଦେଶର ଏହି ଶିକ୍ଷକ

603

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ଭେଟିଲେ ବୋଲି ଶିକ୍ଷକଙ୍କୁ ହରାଇବାକୁ ପଡିଲା ଚାକିରି । ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ବଡବାନୀ ଜିଲ୍ଲାର ପ୍ରାଥମିକ ଶାଲାକୁଜରୀ ବିଦ୍ୟାଳୟର ଶିକ୍ଷକଙ୍କ ସହ । ଏହି ଘଟଣାକୁ ନେଇ ଏବେ ସେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସୂଚନା ମୁତାବକ, ଶିକ୍ଷକ ରାଜେଶ କନୋଜେ ନଭେମ୍ବର ୨୪ ତାରିଖରେ ଆଦିବାସୀଙ୍କ ସମସ୍ୟା ନେଇ ପଦଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଜଳ, ଜଙ୍ଗଲ, ଜମି କମ୍ପାନୀ ହାତକୁ ଚାଲିଯାଉଛି । ଗରିବ ଆଦିବାସୀଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରାଯାଉଛି ଏକଥା ରାହୁଲ ଗାନ୍ଧୀଙ୍କୁ ଜଣାଇଥିଲେ । ପରଦିନ ତାଙ୍କ ଚାକିରି ଆଉ ନାହିଁ । ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ନିର୍ଦ୍ଦେଶନାମା ପଠାଇଥିଲେ ।

ନିଲମ୍ବନ ପତ୍ରରେ ଉଲ୍ଲେଖ ଥିଲା ଯେ, ‘ ରାଜନୈତିକ ଦଳର ରାଲିରେ ସାମିଲ ହୋଇ ସେ ରାଜ୍ୟର ସିଭିଲ ସେବା ଆଚରଣ ବିଧି-୧୯୬୫ ନିୟମ-୫କୁ ଉଲଙ୍ଘନ କରିଛନ୍ତି । ଏହି କାରଣରୁ ତାଙ୍କୁ ତତ୍କାଳ ନିଲମ୍ବନ କରାଯାଉଛି’ ।

ଏହି ଘଟଣା ଚାହୁଁଚାହୁଁ ଚାରିଆଡେ ପ୍ରଘଟ ହୋଇଗଲା । ଆଉ ଏହାକୁ ଏହାକୁ ନେଇ ରାଜନୀତି ବି ଉଷ୍ମ ହେବାରେ ଲାଗିଛି । କଂଗ୍ରେସ ବିଧାୟକ ଓ ମଧ୍ୟପ୍ରଦେଶ ପୂର୍ବ ଗୃହମନ୍ତ୍ରୀ ବିଜେପିକୁ ଟାର୍ଗେଟ କରିଛନ୍ତି । ପ୍ରକୃତରେ ରାହୁଲ ଗାନ୍ଧୀଙ୍କ ପଦଯାତ୍ରାରେ ବିଜେପି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଭୟଭୀତ ହୋଇପଡିଛନ୍ତି । ତେଣୁ ରାହୁଲଙ୍କୁ ଯିଏ ଭେଟୁଛନ୍ତି ତା’ ଉପରେ ଆକ୍ରୋଶ ରଖୁଛନ୍ତି । ତେବେ ସମୟ ଆସିଲେ ଏହାର ହିସାବନିକାଶ ହେବ ବୋଲି ଉଭୟ କଂଗ୍ରେସ ନେତା କହିଛନ୍ତି । ଅନ୍ୟପଟେ ଶିକ୍ଷକଙ୍କ ବିରୋଧରେ ହୋଇଥିବା ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ସମ୍ପୃକ୍ତ ଶିକ୍ଷାଧିକାରୀ କିଛି କହିବାକୁ ମନା କରିଛନ୍ତି ।