ଗାଁରେ ମାଙ୍କଡ ପଲଙ୍କ ଦୌରାତ୍ମ୍ୟ । ଲୋକଙ୍କୁ ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ । ବାଲେଶ୍ୱର ରଘୁନାଥପୁର ପଂଚାୟତର ବିଭିନ୍ନ ଗାଁରେ ୧୫ରୁ ଅଧିକ ଆହତ ।

38

କନକବ୍ୟୁରୋ : ଗାଁରେ କୋକୁଆ ଭୟ । କାମଧନ୍ଦାକୁ ଯାଇ ହେଉନି, ପିଲାମାନେ ପାଠ ପଢିବାକୁ ଯାଇ ପାରୁନାହାନ୍ତି । ଘରୁ ବାହାରିବାକୁ ଡର ଲାଗୁଛି । ଯଦି ବି ବାହାରୁଛନ୍ତି ତେବେ, ହାତରେ ଠେଙ୍ଗା ଧରି ଏକାଧିକ ଲୋକ ଏକାଠି ହୋଇ ବାହାରୁଛନ୍ତି । ଏ ଭୟ ଚୋରି, ଡକାୟତି କି ବାଘ ଭାଲୁଙ୍କ ପାଇଁ ନୁହେଁ । ଲୋକଙ୍କ ଭିତରେ ମାଙ୍କଡ଼ ଡର । ରଘୁନାଥପୁର ପଂଚାୟତର ସାନଅସ୍ତୀ, କୁଙ୍କୁଡି, ମଠକୁଙ୍କୁଡି ଓ ପାଳସାହି ଗାଁରେ ୫୦ରୁ ଅଧିକ ମାଙ୍କଡ ଆତଙ୍କ ଖେଳାଇଛନ୍ତି । ଲୋକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରୁଛନ୍ତି । ମାଙ୍କଡ ଆକ୍ରମଣର ଶିକାର ହୋଇ ଲୋକମାନେ ଡାକ୍ତରକାନାରେ ଭର୍ତି ହୋଇଛନ୍ତି ।

କାହାର ହାତ ଭାଙ୍ଗି ଯାଇଛି ତ ପୁଣି କିଏ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକ ଓ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଛନ୍ତି । ଏନେଇ ଗ୍ରାମବାସୀ ବନ ବିଭାଗରେ ଅଭିଯୋଗ କରିବା ପରେ ମାଙ୍କଡକୁ କାବୁ କରି ଅନ୍ୟତ୍ର ଛାଡିବା ଉଦ୍ୟମ ଆରମ୍ଭ ହୋଇଛି । ଶିମିଳିପାଳରୁ ଆସିଥିବା ସ୍ୱତନ୍ତ୍ର ଟିମ୍ କିଛି ମାଙ୍କଡଙ୍କୁ ଧରିଥିବା ବେଳେ ଅନ୍ୟ ମାଙ୍କଡଙ୍କୁ ଧରିବା ଉଦ୍ୟମ ଜାରି ରହିଛି ।