ଭଞ୍ଜନଗରରେ ସରୁନି ଦାଦନ ଦୁଃଖ । ନିର୍ବାଚନ ବେଳେ ଦାଦନ ସମସ୍ୟାକୁ ପ୍ରସଙ୍ଗ କରୁଛନ୍ତି ନେତା । ମାସେ ଭିତରେ ଗଲାଣି ୪ ଜୀବନ ।

42

କନକବ୍ୟୁରୋ : ନିର୍ବାଚନୀ ପ୍ରଚାର ବେଳେ ଗଂଜାମ ଜିଲ୍ଲାରେ ଦାଦନ ସମସ୍ୟାକୁ ମୁଦ୍ଦା କରୁଛନ୍ତି ନେତା । ମାଳମାଳ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ଦାଦନ ଶ୍ରମିକଙ୍କ ଦୁଃଖ ସରୁନି କି ମୃତ୍ୟୁର ପ୍ରକୃତ କାରଣ ଜଣାପଡୁନି । ରାଜ୍ୟ ବାହାରେ କାମ କରିବା ବେଳେ ଜୀବନ ଚାଲିଯାଉଛି । ଭଂଜନଗରରେ ଗତ ଏକ ମାସରେ ତିନି ଜଣଙ୍କ ଜୀବନ ଯାଇଛି । ସରକାରୀ ସ୍ତରରେ ସେମାନଙ୍କ ଶବ ଫେରାଇ ଆଣିବା ପାଇଁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି ।

ମୃତ୍ୟୁ ଖବର ଆସିଲା, କିନ୍ତୁ ଘରକୁ ଶବ ଆସିପାରିଲାନାହିଁ । ଗରିବ ଖଟିଖିଆ ହୋଇଥିବାରୁ ସ୍ୱାମୀଙ୍କ ଶେଷ ଦର୍ଶନ କରିପାରିଲେ ନାହିଁ ସ୍ତ୍ରୀ । ଚାରିଆଡେ ନିର୍ବାଚନ ପ୍ରଚାର କମ୍ପୁଥିବା ବେଳେ ଦାଦନ ଶ୍ରମିକର ଘରେ କାନ୍ଦବୋବାଳି ପଡିଛି । ଖଲ୍ଲିକୋଟ ବ୍ଲକ ବାଗଲପୁର ଗାଁର ସାଗର ପ୍ରଧାନ ବାହାରିନ୍ରେ ଏକ କମ୍ପାନୀରେ ମିସ୍ତ୍ରୀ ଭାବେ କାମ କରୁଥିଲେ ।

ତେବେ ସେ ଶନିବାର ଦିନ ଭଉଣୀଙ୍କ ସହ ଭଲରେ କଥା ହୋଇଥିବା ବେଳେ ରବିବାର ରାତିରେ ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ ।
ପରିବାର ଚଳାଇବାକୁ ଯାଇ ଦାଦନ ଶ୍ରମିକ ଜୀବନ ହାରିବା ପରେ ପରିବାର ବେସାହାରା ହୋଇଯାଇଛି । ସରକାର ଏ ଦିଗରେ ଚିନ୍ତା କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।