ଆସନ୍ତା ୨ ବର୍ଷରେ ପୂରା ଓଡ଼ିଶାରେ ମିଳିବ ୫-ଜି ସେବା, ୨୦୨୪ରୁ ବିଏସଏନଏଲ ଗ୍ରାହକ ପାଇବେ ୫-ଜି ସୁବିଧା : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

287

କନକ ବ୍ୟୁରୋ : ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡିଶାରେ ଆଜିଠୁ ଆରମ୍ଭ ହୋଇଛି ୫-ଜି ଟେଲିକମ୍ ସେବା । ଭୂବନେଶ୍ୱର ଏବଂ କଟକରେ ଏହି ସେବା ଆରମ୍ଭ ହୋଇଛି । ଘରୋଇ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ପକ୍ଷରୁ ରାଜ୍ୟରେ ଗ୍ରାହକଙ୍କୁ ୫-ଜି ସେବା ଯୋଗାଇ ଦିଆଯିବ । କେନ୍ଦ୍ର ରେଳ ଏବଂ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାର ଲୋକାର୍ପଣ କରିଛନ୍ତି । ୫-ଜି ସେବା ପାଇଁ ରିଲାଏନ୍ସ ଏବଂ ଏୟାରଟେଲ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫- ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ଆରମ୍ଭ ହେବ ପଂଚମ ଜେନେରେସେନ୍ ମୋବାଇଲ୍ ନେଟ୍ୱର୍କ । ୫- ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଂଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ ।

ଆସନ୍ତା ୨ ବର୍ଷ ଭିତରେ ସମ୍ପୂର୍ଣ୍ଣ ଓଡ଼ିଶାରେ ୫-ଜି ସେବା ମିଳିବ । ୪-ଜି ଓ ୫-ଜିର ଦର ପାଖାପାଖି ସମାନ ରହିବ । ୨୦୨୪ରେ ବିଏସଏନଏଲ ୫-ଜି ସେବା ଆରମ୍ଭ କରିବ । ଦେଶ ସାରା ୫-ଜି ପାଇଁ ୨.୫ ଲକ୍ଷରୁ ୩ ଲକ୍ଷ କୋଟି ଖର୍ଚ୍ଚ ହେବ । ୫-ଜି ଯୋଗୁଁ ଦେଶରେ ୮୦ରୁ ୯୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିରୁ ଓଡ଼ିଶା ମଧ୍ୟ ଲାଭ ପାଇବ ବୋଲି କହିଛନ୍ତି ଅଶ୍ୱିନୀ । ୧୫ ଅଗଷ୍ଟ ସୁଦ୍ଧା ପୂରା ଓଡ଼ିଶାରେ ଟାୱାର କାମ ଶେଷ ହେବ । ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, କୋରାପୁଟ, ଯାଜପୁର, ସମ୍ବଲପୁରରେ ହେବ ସଫ୍ଟୱେୟାର ଟେକନଲଜି ପାର୍କ । ୩୧ ଡିସେମ୍ବର ୨୦୨୩ ସୁଦ୍ଧା କରିବା ପାଇଁ ଟାର୍ଗେଟ ରହିଛି ।

ଅଶ୍ୱିନୀ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ୫ଜି ସେବା ଆରମ୍ଭ କରିବାର ଯୋଜନା ଥିଲା । ଓଡିଶାରେ ଆଜି ୫ଜି ସେବା ଆରମ୍ଭ ହେଲା । ୧୦୦ଟି ଟାୱାର ଓଡିଶାରେ ଉଦଘାଟନ ହେଲା । ୭ ହଜାର ଗାଁରେ ମୋବାଇଲ ଟାୱାର ନଥିଲା । ମାସକୁ ମାସ କାମ ହୋଇ ଟାୱାର ବସିବ । ଏଥିପାଇଁ ଓଡିଶାକୁ ୫ ହଜାର ୬୦୦ କୋଟି ଟଙ୍କା ପ୍ୟାକେଜ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଜୁର କରିଛନ୍ତି । ଓଡିଶା ସରକାର ଜାଗା ଦେଲେ ଶୀଘ୍ର କାମ ଆରମ୍ଭ ହେବ । ପ୍ରତି ଗାଁକୁ ଫାଇବର୍ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପ ନେଇଛନ୍ତି । ଏଥିପାଇଁ ୧୦୮୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଏଥିପାଇଁ ଜମି ଦରକାର, ରାଜ୍ୟ ସରକାରଙ୍କ ସହଯୋଗ ଦରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୬ରେ ଓଡିଶାରେ ଏକ ଇଲେକ୍ଟ୍ରୋନିକ୍ସ ମାନୁଫାକ୍ଚରିଂ କ୍ଲଷ୍ଟର କରିବା ପାଇଁ ମଞ୍ଜୁର ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ଅଭାବରୁ ତାହା ଏବେ ସୁଦ୍ଧା କାମ ଆଗକୁ ବଢ଼ିପାରୁନି । କେନ୍ଦ୍ର ସରକାର ଗୋଟିଏ ପାଦ ଆଗେଇଲେ, ରାଜ୍ୟ ସରକାରଙ୍କୁ ମଧ୍ୟ ଦୁଇ ପାଦ ଆଗକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି ଅଶ୍ୱିନୀ ।