ଝାରସୁଗୁଡା ଟିକେଟ୍ ରେସରେ କିଏ କିଏ? କାହାକୁ ପ୍ରାର୍ଥୀ କରିବେ ବିଜେଡି-ବିଜେପି-କଂଗ୍ରେସ? ପଢନ୍ତୁ, ଏହି ସ୍ପେଶାଲ ଷ୍ଟୋରୀ…

728

କନକ ବ୍ୟୁରୋ: କିଏ ହେବେ ଝାରସୁଗୁଡା ଉପ-ନିର୍ବାଚନର ପ୍ରାର୍ଥୀ? କାହାକୁ କାହାକୁ ମିଳିବ ଦଳୀୟ ଟିକେଟ୍? କାହାକୁ ସେନାପତି ବାଛି ନିର୍ବାଚନ ଲଢିବେ ବିଜେଡି, ବିଜେପି ଓ କଂଗ୍ରେସ? ଝାରସୁଗୁଡା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ପୁଣି ଥରେ ଆରମ୍ଭ ହୋଇଛି ଏମିତି କିଛି ଚର୍ଚ୍ଚା ।

ନିର୍ବାଚନ କମିଶନ୍ ଆଜି ପ୍ରେସମିଟ୍ କରି ଝାରସୁଗୁଡା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ମେ ୧୦ ତାରିଖରେ ପଡିବ ଝାରସୁଗୁଡା ଉପ ନିର୍ବାଚନ୍ ଭୋଟ୍ । ଯାହାର ଫଳାଫଳ ମେ ୧୩ ତାରିଖରେ ପ୍ରକାଶ ପାଇବ । ତେବେ ଏହାରି ଭିତରେ ରାଜ୍ୟର ତିନି ପ୍ରମୁଖ ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ  କାହାକୁ ଟିକେଟ୍ ଦେବେ ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା ଆଉ ଆଲୋଚନା ।

ବିଜେଡିରୁ ଦୀପାଳିଙ୍କୁ ମିଳିପାରେ ଟିକେଟ୍

ଗୋଟିଏ ପଟେ ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆଗୁଆ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛି ବିଜେଡି । ନବ ଦାସଙ୍କ ଝିଅ ଦୀପାଳି ଦାସ ଗାଁକୁ ଗାଁ ବୁଲିବା ସହିତ ସଙ୍ଗଠନ ସଜାଡୁଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ସେ ଲୋକଙ୍କ ପାଖରେ ପହଞ୍ଚିବା ସହିତ ନାନାଦି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି  । ଖାଲି ସେତିକି ନୁହେଁ, ମନ୍ଦିର ପ୍ରତିଷ୍ଠାଠୁ ଆରମ୍ଭ କରି ନାମଯଜ୍ଞ ଭଳି କାର୍ଯ୍ୟରେ ମଧ୍ୟ ଦୀପାଳି ସାମିଲ ହେଉଛନ୍ତି । କୁହାଯାଉଛି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଉପ ନିର୍ବାଚନ ଟିକେଟ୍ ଦେବାପାଇଁ ବିଜେଡି ଏକପ୍ରକାରର ପକ୍କା କରିସାରିଛି । ଦୀପାଳିଙ୍କୁ ଟିକେଟ୍ ଦେଇ ଶାସକ ଦଳ ଅନୁକମ୍ପା ଭୋଟ୍ ହାତେଇବା ସହିତ ମହିଳା କାର୍ଡ ବି ଖେଳିପାରେ । ତେଣୁ ଏଥର ଝାରସୁଗୁଡା ଉପ ନିର୍ବାଚନରେ ବିଜେଡି ଦୀପାଳିଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ବିଜେଡି ଦୀପାଳିଙ୍କୁ ଟିକେଟ୍ ଦେବାର କାରଣ ବି ଅଛି । କାରଣ ଅଧିକାଂଶ ସମୟରେ ଦୀପାଳି ହିଁ ନବଙ୍କ ସହ ନିର୍ବାଚନ କ୍ୟାମ୍ପେନରେ ନଜର ଆସୁଥିଲେ । ପଦ୍ମପୁର ଉପ ନିର୍ବାଚନ ସମୟରେ ମଧ୍ୟ ଦୀପାଳି ବିଜେଡି ପାଇଁ କ୍ୟାମ୍ପେନିଂ କରୁଥିଲେ । ତେଣୁ ନବଙ୍କ ବିୟୋଗ ପରେ ଦୀପାଳିଙ୍କୁ  ବିଜେଡି ଟିକେଟ୍ ଦେବା ଏକପ୍ରକାର ପକ୍କା ବୋଲି ଅନ୍ଦର ମହଲରୁ ସୂଚନା ମିଳୁଛି ।

ବିଜେପିରୁ ଦୁଇ ଜଣ ଟିକେଟ୍ ରେସରେ…

ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ଝାରସୁଗୁଡା କ୍ୟାମ୍ପେନରେ ପଛରେ ନାହିଁ । ୨୦୧୯ରେ କଡା ଟକ୍କର ଦେଇଥିବା ବିଜେପି ଏଥର ଦିବଙ୍ଗତ ବିଧାୟକ ନବ ଦାସଙ୍କ ଅନୁପସ୍ଥିତିରେ, ଝାରସୁଗୁଡା ବିଜୟର ସ୍ୱପ୍ନ ଦେଖିବା ଆରମ୍ଭ କରିଛି । କୁହାଯାଉଛି ଗତଥର ନବଙ୍କୁ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କୁ ପୁଣିଥରେ ପ୍ରାର୍ଥୀ କରିପାରେ ଭାରତୀୟ ଜନତା ପାର୍ଟି । ନଚେତ୍ ଦିନେଶଙ୍କ ଜାଗାରେ ଟଙ୍କଧରଙ୍କୁ ପ୍ରାର୍ଥୀ କରି ଦଳ ଜଣେ ଯୁବ ଚେହେରାଙ୍କୁ ମଧ୍ୟ ସାମ୍ନାକୁ ଆଣିପାରେ । ଏହି ଦୁଇ ଚେହେରାଙ୍କ ଭିତରୁ ଜଣକୁ ବିଜେପି ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଯେହେତୁ ଗତ ସାଧାରଣ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ତେଣୁ ଏଥର ମଧ୍ୟ ଜଣେ ଲଢୁଆ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣି ଦଳ ଝାରସୁଗୁଡା ବିଜୟର ରୂପରେଖ ପ୍ରସ୍ତୁତ କରୁଛି । ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା । ବିଧାନସଭା ଭୋଟରେ ବିଜେପିକୁ ୫୦ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ତେଣୁ ଏଥର ସେହି ଭୋଟ୍ ପ୍ରତିଶତକୁ ବଢାଇବା ସହିତ ବିଜେଡିକୁ ଚେକ୍ ଦେଇ ଦଳ ପୁଣି ଏକ ଉପ ନିର୍ବାଚନ ବିଜୟର ଆଶା ବାନ୍ଧିଛି ।

କାହାକୁ ବାଛିବ କଂଗ୍ରେସ? 

ସେହିପରି କଂଗ୍ରେସ କଥା ଯଦି କହିବା, କଂଗ୍ରେସରେ ମଧ୍ୟ ଦୁଇ ଜଣ ପ୍ରାର୍ଥୀ ଟିକେଟ୍ ରେସରେ ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ଝାରସୁଗୁଡାରୁ କଂଗ୍ରେସ ପ୍ରାର୍ଥୀ ଥିବା ମହେନ୍ଦ୍ର ନାୟକ ଏଥର ପୁଣିଥରେ ଉପ ନିର୍ବାଚନ ଟିକେଟ୍ ହାତେଇବାକୁ ରେସରେ ଅଛନ୍ତି । ଅନ୍ୟପଟେ ଝାରସୁଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ମଧ୍ୟ କଂଗ୍ରେସ ଟିକେଟ୍ ହାତେଇବାକୁ କସରତ କରୁଥିବା ସୂଚନା ମିଳୁଛି । ତେଣୁ ତରୁଣ କିମ୍ବା ମହେନ୍ଦ୍ରଙ୍କୁ ଟିକେଟ୍ ଦେଇ କଂଗ୍ରେସ ଏଥର ଝାରସୁଗୁଡା ଉପ ନିର୍ବାଚନ ଲଢିପାରେ ବୋଲି କୁହାଯାଉଛି ।

ଗତ ନିର୍ବାଚନରେ ଝାରସୁଗୁଡାର ଭୋଟ୍ ପ୍ରତିଶତକୁ ଦେଖିଲେ ଜଣାପଡୁଛି ଯେ, ଏଥର ଉପ ନିର୍ବାଚନରେ ବିଜେଡି-ବିଜେପି ସିଧା ଟକ୍କର ହୋଇପାରେ । ଗତଥର ବିଜେପିକୁ ୫୦ ହଜାରରୁ ଅଧିକ ଭୋଟ୍ ମିଳିିଥିଲା । ନବ ଦାସ ୪୫ ହଜାର ୬୯୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ତେଣୁ ଏଥର ନବ ଦାସଙ୍କ ବିୟୋଗ ପରେ ବିଜେପି ଏଠି କଳ ବଳ କୌଶଳ ଲଗେଇ ପୁଣି ଏକ ଉପ ନିର୍ବାଚନ ଜିତିବାକୁ ଅଣ୍ଟା ଭିଡୁଛି । ଅନ୍ୟପଟେ ବିଜେଡି ନବଙ୍କ ବିୟୋଗ ପରେ ଅନୁକମ୍ପା ଭୋଟ୍ ହାତେଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ଅଙ୍କ କଷୁଛି । ତେଣୁ ଏସବୁ ଭିତରେ କେଉଁ ଦଳ କାହାକୁ ଟିକେଟ୍ ଦେଉଛନ୍ତି? ବିଜେଡି-ବିଜେପି-କଂଗ୍ରେସ କାହାକୁ ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।