ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ, ଜାଣନ୍ତୁ କିଏ କାହାସହ ମେଣ୍ଟ କରି ଲଢିବ ନିର୍ବାଚନ

565

କନକ ବ୍ୟୁରୋ : ଭାରତୀୟ ନିର୍ବାଚନ କମିଶନର ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ଚଳିତ ଥର କର୍ଣ୍ଣାଟକ ବିଧାନସଭା ପାଇଁ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ମେ’ମାସ ୧୦ ତାରିଖରେ ଭୋଟଗ୍ରହଣ ହେବ ଓ ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ରାଜ୍ୟରେ ମୋଟ ୨୨୪ ବିଧାନସଭା ଆସନ । ମୁଖ୍ୟ ନିର୍ବାଚନ ଆୟେଗ ରାଜୀବ କୁମାର କହିଛନ୍ତି ରାଜ୍ୟରେ ପ୍ରଥମଥର ୮୦ ବର୍ଷରୁ ଅଧିକ ବୟସ୍କ ଭୋଟଙ୍କ ପାଇଁ ନିଜ ଘରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଏହାସହ ଦିବ୍ୟାଙ୍ଗଙ୍କ ପାଇଁ ‘ସକ୍ଷମ’ ନାମରେ ଏକ ମୋବାଇଲ ଆପ୍ଲିକେଶନ ପ୍ରସ୍ତୁତ କରାଯାଇଛି । ଏହି ଆପ୍ଲିକେଶନ ମାଧ୍ୟମରେ ଦିବ୍ୟାଙ୍ଗ ଭୋଟରମାନେ ଅନଲାଇନରେ ଭୋଟ ଦେଇପାରିବେ ।

କହିରଖୁ କି କର୍ଣ୍ଣାଟକ ବିଧାନସଭାର ଚଳିତ କାର୍ଯ୍ୟକାଳ ମେ ୨୪ ତାରିଖରେ ସମାପ୍ତ ହେବାକୁ ଯାଉଛି । ବିଜେପି ଓ କଂଗ୍ରେସ ତରଫରୁ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପ୍ରକ୍ରିୟାରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଙ୍ଗଳବାର ଦିନ କହିଛନ୍ତି କି ବିଜେପି ତରଫରୁ ଏପ୍ରିଲ ପହିଲାରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ।

ସେପଟେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର କହିଛନ୍ତି ଦଳ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମାର୍ଚ୍ଚ ୩୦ ତାରିଖରେ ଜାରି କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ ।

ସେପଟେ ଯଦି ଚଳିତ ନିର୍ବାଚନକୁ ଦେଖିବା ତେବେ ଏଥର କର୍ଣ୍ଣାଟକରେ ସମସ୍ତ ରାଜନୈତିକ ଦଳ ଏକାକୀ ନିର୍ବାଚନ ଲଢିବାକୁ ମନସ୍ତ କରିଛନ୍ତି । ବିଜେପି ଏକା ନିର୍ବାଚନ ଲଢିବାକୁ ଯାଉଥିବା ବେଳେ କଂଗ୍ରେସ ମଧ୍ୟ ଏକାକୀ ନିର୍ବାଚନ ଲଢିବ । ସଂଯୁକ୍ତ ଜନତା ଦଳ ଓ ଭାରତ ରାଷ୍ଟ୍ରସମିତି ମିଳିତ ଭାବେ ନିର୍ବାଚନ ଲଢିବେ । ସେପଟେ ପ୍ରଥମଥର କର୍ଣ୍ଣାଟକ ବିଧାନସଭାରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହୋଇଛି ଆମ୍ ଆଦମୀ ପାର୍ଟି । ଦଳ ତରଫରୁ କାହା ସହିତ ମେଣ୍ଟ କରାଯାଇ ନାହିଁ । ସେହିଭଳି ଏଆଇଏମଆଇଏମ୍ ମଧ୍ୟ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି ।

ଅନ୍ୟପଟେ ଯଦି ଆମେ ୨୦୧୮ ନିର୍ବାଚନକୁ ନଜର ପକାଇବା ତେବେ ସେଠାରେ ବିଶେଷ ଭାବେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହୋଇଥିଲା । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପିକୁ ୩୬.୩୫ ପ୍ରତିଶତ ଭୋଟ ମିଳିଥିଲା ଓ ଦଳ ୧୦୪ଟି ଆସନରେ ବିଜୟୀ ହୋଇଥିଲା । ସେହିଭଳି କଂଗ୍ରେସକୁ ୩୮.୧୪ ପ୍ରତିଶତ ଭୋଟ ମିଳିଥିଲେ ବି ଦଳ ମାତ୍ର ୮୦ ଟି ଆସନରେ ବିଜୟୀ ହୋଇଥିଲା । ସେହିଭଳି ଜେଡିଏସ ୧୮.୩୬ ପ୍ରତିଶତ ଭୋଟ ସହ ୩୭ ଟି ଆସନରେ ବିଜୟୀ ହୋଇଥିଲା ।