ଦିଗପହଣ୍ଡି ଦୁର୍ଘଟଣା ପାଇଁ ଦାୟୀ କିଏ? ପ୍ରାଥମିକ ତଦନ୍ତ ପରେ ସୂଚନା ଦେଲେ ବ୍ରହ୍ମପୁର ଏସପି

1,007

କନକ ବ୍ୟୁରୋ: ଦିଗପହଣ୍ଡି ବସ ଦୁର୍ଘଟଣା ପାଇଁ ଓଏସଆରଟିସି ବସ ଡ୍ରାଇଭର ଦାୟୀ । ଦୁର୍ଘଟଣା ପରେ ସଂପୃକ୍ତ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଭୁବନେଶ୍ୱର ଚାଲି ଆସିଥିଲେ । ପରେ କମିଶନରେଟ ପୋଲିସ ସାହାଯ୍ୟରେ ଦିଗପହଣ୍ଡି ପୋଲିସ ଡ୍ରାଇଭରଙ୍କୁ ନେଇ ଘଟଣାସ୍ଥଳରେ ଦୁର୍ଘଟଣାର ଡେମୋ କରାଇଥିଲେ । ଓଏସଆରଟିସି ବସଟି ଦ୍ରୁତ ଗତିରେ ଆସୁଥିଲା ଓ ମଧ୍ୟରାତ୍ରୀ ସଂପୃକ୍ତ ରାତିରେ ଡ୍ରାଇଭରଙ୍କ ଆଖି ପଡିଯାଇଥିଲା ବୋଲି କହିଛନ୍ତି ବ୍ରହ୍ମପୁର ଏସପି । ଫଳରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ଯୋଗୁଁ ଝିଅ ବାହାଘର ସାରି ଫେରୁଥିବା କନ୍ୟା ଯାତ୍ରୀଙ୍କ ମଧ୍ୟରୁ ୧୨ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା ।

ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଓଏସଆରଟିସି ବସ୍ ଡ୍ରାଇଭରଙ୍କ ଭୁଲ ଥିବା ବ୍ରହ୍ମପୁର ଏସପି ସ୍ପଷ୍ଟ କରିଥିବା ବେଳେ କେମିତି ହୋଇଥିଲା ଦୁର୍ଘଟଣା? ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଥିଲା? ସେ ନେଇ ଘଟଣାସ୍ଥଳରେ ଛାନବିନ୍ କରିଛି ପୁଲିସ୍ ଟିମ୍ । କାଲି ରାତିରେ ଓଏସଆରଟିସି ବସ୍ ଡ୍ରାଇଭର ମାନସ ପ୍ରଧାନଙ୍କୁ ଦୁର୍ଘଟଣାସ୍ଥଳକୁ ନେଇ ଡେମୋ କରାଯାଇଛି । ଘଟଣାସ୍ଥଳରେ ଦୁର୍ଘଟଣାର ପୁରା କାହାଣୀ ସାମ୍ନାରେ ରଖିଛନ୍ତି ବସ୍ ଡ୍ରାଇଭର ।

ଯଦିଓ ଓଏସଆରଟିସି ବସ୍ ଡ୍ରାଇଭର ମିନି ବସ୍ ଧକ୍କା ଦେଇଥିଲା ବୋଲି ସଫେଇ ରହିଛନ୍ତି । ତଥାପି ପ୍ରାଥମିକ ତଦନ୍ତ ପରେ ବ୍ରହ୍ମପୁର ଏସପି, ଯେଉଁ ସୂଚନା ଦେଇଛନ୍ତି ତାହା ଚିନ୍ତାଜନକ । ସେ କହିଛନ୍ତି-
ଓଏସଆରଟିସି ବସ୍ ଡ୍ରାଇଭରଙ୍କ ତ୍ରୁଟି ଯୋଗୁଁ ଘଟିଛି ଦୁର୍ଘଟଣା । ସେପଟେ ମଦ୍ୟପାନ କରିଥିବା ସନ୍ଦେହରେ ଉଭୟ ବସ୍୍ର ଡ୍ରାଇଭରଙ୍କ ମେଡିକାଲ ପରୀକ୍ଷା କରାଯାଇଥିଲା । ଉଭୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ଓଏସଆରଟିିସି ବସ ଡ୍ରାଇଭରଙ୍କ ତ୍ରୁଟିପୂର୍ଣ୍ଣ ଚାଳନା ଯୋଗୁଁ ଦୁର୍ଘଟଣା ହୋଇଥିବା ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି ।

ଏପଟେ ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ଚେତିଛି ପରିବହନ ବିଭାଗର ଚେତା । ସେପ୍ଟେମ୍ବର ମାସରୁ ଅଟୋ ଓ ବାଇକ୍ ବ୍ୟତୀତ ସବୁ ଗାଡ଼ିରେ ଲାଗିବ ଭିଏଲ୍ଟିସି ବ୍ୟବସ୍ଥା । ପାସେଞ୍ଜରଙ୍କ ପାଇଁ ଗାଡ଼ିରେ ପାନିକ୍ ବଟନ୍ ବ୍ୟବସ୍ଥା ମଧ୍ୟ ରହିବ । ଜାତୀୟ ପରମିଟ୍ ଥିବା ମାଲବାହୀ ଗାଡ଼ିରେ ମଧ୍ୟ ଲାଗିବ ଭିଏଲଟିସି ବା ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ । ଫଳରେ ଗାଡ଼ିର ପରମିଟ୍, ସ୍ପିଡ୍, ଯାତ୍ରୀଙ୍କ ସଂଖ୍ୟା, ଗାଡ଼ିର ଫିଟନେସ୍, ଗାଡ଼ିର ଲୋକେସନ୍ ଭଳି ତଥ୍ୟ କଂଟ୍ରୋଲ୍ ରୁମରୁ ଜଣାପଡ଼ିବ ।

କୌଣସି ଦୁର୍ଘଟଣା ଘଟିଲେ ପରିବହନ ବିଭାଗ ଯେଉଁ ଭଳି ତତ୍ପରତା ଦେଖାଉଛି, ଯଦି ପୂର୍ବରୁ ଏଭଳି ତତ୍ପରତା ଦେଖାଉଥାନ୍ତା, ହୁଏତ ଦିଗପହଣ୍ଡି ଭଳି ଘଟଣା ରୋକିବାରେ ସମ୍ଭବ ହେଉଥାନ୍ତା । କାରଣ, ଏବେ ବି ପ୍ରାୟ ୩ ହାଜର ଅନ୍ଫିଟ୍ ବସ୍ ରାସ୍ତାରେ ଚାଲୁଛି ।