ବଦଳିଲା ପାଣିପାଗ, ବଢ଼ିଲା ଦରଦାମ। ଆକାଶଛୁଆଁ ଟମାଟୋ ଦର

279

କନକ ବ୍ୟୁରୋ: ହଠାତ୍ ଟମାଟୋ ଦର ହୋଇଛି ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଂଚିଲାଣି । ମେଟ୍ରୋ ସିଟିରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ରୁ ୧୨୦ ଟଙ୍କାରେ ପହଞ୍ଚିଲାଣି । ପ୍ରବଳ ଗରମ ପରେ ଆରମ୍ଭ ହୋଇଛି ବର୍ଷା । ଗରମ ଯୋଗୁଁ ଟମାଟୋ ପଚିଯାଇ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଥିଲା ଆଉ ଏବେ ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଯୋଗୁଁ ଆବଶ୍ୟକ ମୁତାବକ ଉତ୍ପାଦନ ହୋଇପାରୁନି । ତେଣୁ ବ୍ୟବସାୟୀଠୁ ନେଇ ଖାଉଟି, ଗ୍ରାହକ ସମସ୍ତେ ଦରଦାର ବୃଦ୍ଧି ଯୋଗୁଁ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ । ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ । ଏହା ମଧ୍ୟ ବର୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ ବୋଲି କୁହାଯାଉଛି । ବିଭିନ୍ନ ରାଜ୍ୟରେ ଟମାଟୋ ଯୋଗାଣ ହ୍ରାସପାଉଛି । ଜମିରେ ଯେଉଁ ଟମାଟୋ ଗଛ ଥିଲା ତାହା ମଧ୍ୟ ବର୍ଷାରେ ନଷ୍ଟ ହୋଇଯାଇଛି ।

ଦେଶରେ ସବୁଠୁ ଅଧିକ ଟମାଟୋ ଉତ୍ପାଦନ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ହୋଇଥାଏ । କିନ୍ତୁ ମୌସୁମୀ ଆସୁ ଆସୁ ଏହି ସବୁ ରାଜ୍ୟରେ ବନ୍ୟା ସମସ୍ୟା ଦେଖାଦେଇଛି । ତେଣୁ ଏଠାରେ ଉତ୍ପାଦନ ହ୍ରାସ ପାଉଥିବା କୁହାଯାଉଛି ।