କେବେ ହେବ ଶପଥ ଗ୍ରହଣ? ଜୁନ୍ ୯ ତାରିଖ ନା’ ଜୁନ୍ ୧୦ ତାରିଖ? ନୂଆ ସରକାର ଗଢ଼ିବ କିଏ?

181

କନକ ବ୍ୟୁରୋ: ମେ’ ୧୩ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ ଏବଂ ଜୁନ୍ ୪ରେ ଫଳାଫଳ ଆସିବ । ଏଥିପାଇଁ ଆଉ ଏକ ମାସ ସମୟ ବାକି ଥିବା ବେଳେ ରାଜ୍ୟରେ ସରକାର ଗଢ଼ିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ନେତା । ପ୍ରଧାନମନ୍ତ୍ରୀ କହିଛନ୍ତି ଜୁନ୍ ୪ତାରିଖରେ ବିଜେଡି ଶାସନ ସରିବ, ୬ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଚୟନ ହେବ ଏବଂ ୧୦ ତାରିଖରେ ବିଜେପିର ଶପଥ ଗ୍ରହଣ ହେବ । ଏହାକୁ ଦିବାସ୍ୱପ୍ନ ବୋଲି କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏସବୁ ଭିତରେ ଭି.କେ ପାଣ୍ଡିଆନ୍ ପୁଣିଥରେ ନବୀନଙ୍କ ଶପଥ ଗ୍ରହଣର ତାରିଖ ସହ ସମୟ ମଧ୍ୟ ଘୋଷଣା କରିଛନ୍ତି ।

ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକ ଭି.କେ ପାଣ୍ଡିଆନ୍
ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବିଜେଡି ନେତା
ନିର୍ବାଚନ ସରିନି, ଫଳାଫଳ ଆସିନି । କିଏ ସରକାର ଗଢ଼ିବ ତାହା ବି ସ୍ପଷ୍ଟ ହୋଇନି । ହେଲେ ନେତାଙ୍କ ଆତ୍ମବିଶ୍ୱାସ ଦେଖନ୍ତୁ, ଫଳାଫଳ ଆସିବାର ପ୍ରାୟ ଗୋଟିଏ ମାସ ଆଗରୁ କିଏ କେବେ ଶପଥ ଗ୍ରହଣ କରିବ ତାକୁ ନେଇ ବାଜି ଲାଗୁଛି, ବୟାନବାଜି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନୀ ସଭାରେ କହିଛନ୍ତି- ଜୁନ ୪ ତାରିଖରେ ବିଜେଡି ଶାସନ ସରିବ, ୬ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଚୟନ ହେବ ଏବଂ ୧୦ ତାରିଖରେ ଶପଥ ଗ୍ରହଣ ହେବ ।

ମୋଦୀଙ୍କ ଏହି ଦମ୍ଭୋକ୍ତିର ମାତ୍ର କିଛି ଘଂଟା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତା ଜରିଆରେ କହିଛନ୍ତି ଯେ, କିଛି ଦିନ ହେବ ଦିନରେ ସ୍ୱପ୍ନ ଦେଖୁଛି ବିଜେପି । ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଭବାନୀପାଟଣାରୁ ଖଡିଆଲ ଯିବା ରାସ୍ତାରେ ଏହି ଭିଡିଓଟି କରାଯାଇଛି ।

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗଠନ ଓ ଜୁନ୍ ୧୦ରେ ଶପଥ ଗ୍ରହଣର ଦମ୍ଭୋକ୍ତି, ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଚ୍ଛଲ୍ୟ । ଆଉ ଏହାରି ଭିତରେ ବିଜେଡି ନେତା ଭି.କେ ପାଣ୍ଡିଆନ୍ ଆଉ ଗୋଟିଏ ପାଦ ଆଗକୁ ଯାଇ ଶପଥ ଗ୍ରହଣର ତାରିଖ ସହ ସମୟ ମଧ୍ୟ ଘୋଷଣା କରିଛନ୍ତି । କହିଛନ୍ତି- ୯ ତାରିଖ, ସାଢ଼େ ୧୧ରୁ ସାଢ଼େ ଗୋଟିଏରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ରେକର୍ଡ କରିବେ ।

ଏସବୁ ଭିତରେ ଦେଖିବାର କଥା, ଜୁନ୍ ୪ ତାରିଖରେ ଯେତେବେଳେ ଫଳାଫଳ ଆସିବ, ଜଣାପଡ଼ିବ କିଏ ସରକାର ଗଢ଼ିବ? କାହା ସପକ୍ଷରେ ଯିବ ଜନାଦେଶ? ଆଉ ମୁଖ୍ୟମନ୍ତ୍ରୀ ଭାବେ କିଏ ଶପଥ ନେବେ?