ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ: ଆକ୍ରମଣାତ୍ମକ ମୁଦ୍ରାରେ ମୋଦୀ

206

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଉପରେ ଆଜି ସମସ୍ତଙ୍କ ନଜର ଅଟକିଥିଲା । କାରଣ ଦୁଇମାସ ଭିତରେ ରାଜ୍ୟ ରାଜନୈତିକ ପାଣିପାଗରେ ଅନେକ ପରିବର୍ତନ ଆସିଛି । ବିଜେପି ଓ ବିଜେଡି ଏବେ ନିର୍ବାଚନୀ ମଇଦାନରେ ମୁହାଁମୁହିଁ ହେଉଛନ୍ତି । ତେଣୁ ମାର୍ଚ୍ଚ ୫ ଚଣ୍ଡିଖୋଲ ସଭାରେ ମୋଦୀଙ୍କ ଯେଉଁ ଆଭିମୁଖ୍ୟ ଥିଲା, ସେଥିରେ ବିରାଟ ପରିବର୍ତନ ଦେଖିବାକୁ ମିଳିଛି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି ନରେନ୍ଦ୍ର ମୋଦୀ । ଧନୀ ଓଡ଼ିଶାର ଲୋକେ ଗରିବ କାହିଁକି ବୋଲି ଶାଣୀତ ଢଙ୍ଗରେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କୁ ଦୁର୍ନୀତିଗସ୍ତ କହି ଦକ୍ଷିଣରୁ ବାଣ ମାରିଛନ୍ତି ମୋଦୀ । ବିଜେପିକୁ ସରକାର ଗଢ଼ିବା ପାଇଁ ସୁଯୋଗ ଦେଲେ, ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଗ୍ୟାରେଂଟି ଦେଇଛନ୍ତି ।

ଏପରି କହି ରାଜ୍ୟ ରାଜନୀତିର ତାତି ବଢ଼ାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଳବୈଶାଖୀ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି କମିଥିବା ବେଳେ ମୋଦୀଙ୍କ ରଣହୁଙ୍କାର ନିର୍ବାଚନୀ ପାରଦକୁ ଉପରମୁହାଁ କରିଦେଇଛି ।

ବ୍ରହ୍ମପୁରର କନିଷି ଓ ନବରଙ୍ଗପୁରର ଚିକିଲିରେ ବିଶାଳ ଜନସଭାରେ ବିଜେଡି ସରକାରକୁ ଜୋରଦାର ଟାର୍ଗେଟ କରିବା ସହ ଏଥର ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ । ଗୋଟିଏ ପାଦ ଆଗକୁ ଯାଇ ମୋଦୀ କହିଛନ୍ତି, ଜୁନ ୪ ତାରିଖ ହେଉଛି ବିଜେଡିର ଏକ୍ସପାରୀ ଡେଟ୍, ୬ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା, ୧୦ରେ ବିଜେପି ନେତୃତ୍ୱରେ ଶପଥ ଗ୍ରହଣ କରିବ ସରକାର ।

ଦକ୍ଷିଣ ଓଡ଼ିଶାର ୩ ଲୋକସଭା ଓ ୨୧ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ଅପିଲ କରିବା ସହ ୫୦ ବର୍ଷର କଂଗ୍ରେସ ସରକାର ଓ ୨୫ ବର୍ଷର ବିଜେଡି ସରକାର ଓଡ଼ିଶାକୁ ପଛରେ ପକାଇ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି,
ପ୍ରାକୃତିକ ସଂପଦରେ ଧନୀ ଓଡ଼ିଶାର ଲୋକ ଗରିବ ରହିଛନ୍ତି
ମୋଦୀ ମାଗଣା ଚାଉଳ ଦେଉଛନ୍ତି, ଲୋଗୋ ଲଗାଇ ପ୍ରଚାର କରୁଛି ବିଜେଡି
୧୦ ବର୍ଷ ମଧ୍ୟରେ ସାଢ଼େ ୩ ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଦେଇଛି କେନ୍ଦ୍ର
ହିଂଜିଳି ନିର୍ବାଚନମଣ୍ଡଳୀରେ ମଧ୍ୟ ବିକାଶ ହୋଇନି
ବିଜେପିକୁ ସୁଯୋଗ ଦେଲେ ୧ ନମ୍ବର ରାଜ୍ୟ ହେବ ଓଡ଼ିଶା

ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ନାରାକୁ ନେଇ ରାଜ୍ୟରେ ବିଜେଡି-ବିଜେପି ମୁହାଁମୁହିଁ ହେଉଥିବା ବେଳେ ଜନସଭାରେ ଜୟ ଜଗନ୍ନାଥ ସ୍ଲୋଗାନ ଦେଇ ଅଭିଭାଷଣ ଆରମ୍ଭ କରିଥିଲେ ମୋଦୀ । ଆଉ ୫୦୦ ବର୍ଷର ଅପେକ୍ଷା ପରେ ଆଯୋଧ୍ୟାରେ କିପରି ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇପାରିଲା କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନର ସଭାରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଥମ ଥର ଓଡ଼ିଶାରେ ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେଡି ଓ କଂଗ୍ରେସକୁ ଶାଣୀତ ସମାଲୋଚନା କରିବା ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି ।