ଟ୍ରେନରେ ସାମଗ୍ରୀ ଚୋରି ହେଲେ ହୁଅନ୍ତୁ ନାହିଁ ବ୍ୟସ୍ତ । ଏହି ଉପାୟରେ କରନ୍ତୁ ଆବେଦନ, ରେଳ ବିଭାଗ ଦେବ କ୍ଷତିପୂରଣ

343

କନକ ବ୍ୟୁରୋ : ରେଲୱେକୁ ଆମ ଦେଶର ଜୀବନରେଖା କୁହାଯାଏ । ପ୍ରତିଦିନ ହଜାର ହଜାର ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । କୌଣସି ଦୂର ଜାଗାକୁ ଯାତ୍ରା କଲା ବେଳେ ଆମେ ସବୁ ବେଳେ ଟ୍ରେନକୁ ହିଁ ବାଛିଥାଉ । କାରଣ ଶୀଘ୍ର ଓ ସୁବିଧାରେ ଟ୍ରେନ ଆମକୁ ଆମ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଦେଇଥାଏ । ଏହାସହ ଟ୍ରେନରେ କମଫର୍ଟ ସିଟ, ଏସି କୋଚ, ଖାଇବା ପିଇବାର ବ୍ୟବସ୍ଥା ସହ ଶୌଚାଳୟର ସୁବିଧା ମଧ୍ୟ ରହିଥାଏ । ଯାହା ଆମକୁ ଲମ୍ବା ଯାତ୍ରାରେ ସୁବିଧା ପ୍ରଦାନ କରିଥାଏ । ଅନେକ ସମୟରେ ଲମ୍ବା ଯାତ୍ରା ବେଳେ ଜିନିଷପତ୍ର ଚୋରି ହୋଇଯିବାର ଆମେ ଶୁଣିଛେ । ତେବେ ଟ୍ରେନରେ ଜିନିଷି ଚୋରି ହୋଇଗଲେ କରିବେ କଣ? କେମିତି ପାଇବେ ଆପଣଙ୍କ ଜିନିଷ । ତେବେ ଜିନିଷ ଚୋରି ହୋଇଗଲେ ଆମକୁ କଣ କରିବାକୁ ପଡିବ ଆସନ୍ତୁ ଜାଣିବା    ।  ଯଦି ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆପଣଙ୍କ ଜିନିଷ ହଜି ଯାଇଥାଏ । ତେବେ ଏହାର କ୍ଷତିପୂରଣ ଦେବ ରେଲୱେ ।

– ଟ୍ରେନରେ ଆପଣଙ୍କ ଜିନିଷ ଚୋରି ହୋଇଗଲେ ପ୍ରଥମେ ଆପଣ ରେଲୱେ ପୋଲିସ ଫୋର୍ସ ଅର୍ଥାତ ଆରପିଏଫରେ ଅଭିଯୋଗ କରିବାକୁ ହେବ ।
-ସେଠାରେ ଚୋରି ହୋଇଥିବା ଜିନିଷର ପୂରା ବିବରଣୀ ଦେବାକୁ ହେବ
-ଏହାପରେ ସେଠାରେ ଆରପିଏଫ ତରଫରୁ ଆପଣଙ୍କୁ ଏକ ଫର୍ମ ଭରିବାକୁ ଦିଆଯିବ
– ସେହି ଫର୍ମରେ ଆପଣ ନିଜର ଓ ଆପଣଙ୍କ ଜିନିଷର ପୂରା ବିବରଣୀ ଦେବାକୁ ହେବ
– ଫର୍ମ ପୂରଣ ସମୟରେ ଏଥିରେ ଲେଖାଥିବ ଯଦି ଆପଣ ୬ ମାସ ମଧ୍ୟରେ ଆପଣଙ୍କ ଜିନିଷ ଫେରି ନପାଆନ୍ତି ତେବେ ଆପଣ ଉପଭୋକ୍ତା ଫୋରମରେ ଅଭିଯୋଗ କରିପାରିବେ ।
-ଏହି ଫର୍ମ ପୂରଣ କରିବା ପରେ ଆପଣଙ୍କୁ ଆପଣଙ୍କ ଜିନିଷର କ୍ଷତିପୂରଣ ଦେବ ରେଲୱେ
-ଆପଣଙ୍କ ଜିନିଷ ଓ ପରିମାଣ ହିସାବରେ ରେଲୱେ କ୍ଷତିପୂରଣ ଦେଇଥାଏ

ଏହା ବ୍ୟତୀତ ରେଲୱେ ତରଫରୁ ଯାତ୍ରୀଙ୍କ ହଜିଯାଇଥିବା ଜିନିଷ ଫେରାଇବା ପାଇଁ ଏକ ମିଶନ ଆରମ୍ଭ କରାଯାଇଛି । ଯାହାର ନାଁ ହେଉଛି ଅପରେସନ ଅମାନତ । ଏହି ମିଶନ ଦ୍ୱାରା ଯଦି ରେଲୱେ ବିଭାଗ ଟ୍ରେନରୁ କୌଣସି ଜିନିଷ ପାଇ ଥାଏ ତେବେ ତାକୁ ନିଜ ପାଖରେ ରଖିଦେଇଥାଏ । ଆଉ ତାହାର ଫଟୋ ଉଠାଇ ରେଲୱେ ଜୋନ ଅଫିସିଆଲ ୱେବସାଇଟରେ ଅପଲୋଡ କରିଦିଅନ୍ତି । ସେଠାକୁ ଯାଇ ଆପଣ ଫଟୋ ଦେଖି ନିଜ ଜିନିଷ ଚିହ୍ନଟ କରିପାରିବେ । ଆଉ ସେହି ଷ୍ଟେସନକୁ ଯାଇ ଜିନିଷ ପାଇପାରିବେ ।

ରେଲୱେ ଯାତ୍ରୀଙ୍କୁ ହଜିଯାଇଥିବା ଜିନିଷର କ୍ଷତିପୂରଣ ଦେବାକୁ ରେଲୱେକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରେନରେ ଅନେକ ସମୟରେ ଯାତ୍ରୀଙ୍କ ଜିନିଷ ଚୋରି ହୋଇଯାଇଥାଏ କିମ୍ବା ହଜିଯାଇଥାଏ । ଏଥିପାଇଁ ରେଲୱେଠାରୁ ସିନା ଆମେ କ୍ଷତିପୂରଣ ପାଇଯିବା ହେଲେ ଆମ ମୂଲ୍ୟବାନ ଜିନିଷ ଫେରିପାଇବାରେ ସମସ୍ୟା ହୋଇଥାଏ । ତେଣୁ ଟ୍ରେନରେ ଯାତ୍ରା କଲା ବେଳେ ନିଜ ଜିନିଷକୁ ସୁରକ୍ଷିତ ରଖନ୍ତୁ ।