ୟୁଟ୍ୟୁବରୁ ଦେଖି ଶିଖିଲେ । ଦୁଇ ଭାଇ ବନିଗଲେ ସ୍କେଚ୍ ,ସ୍କ୍ରାବଲିଂ ଆର୍ଟିଷ୍ଟ

484

କନକ ବ୍ୟୁରୋ: ଆଜିକାଲି ଯୁବବର୍ଗ ହେଉ କି ଶିଶୁ ମୋବାଇଲ ଯୋଗୁଁ ବିପଥଗାମୀ ହେଉଥିବାବେଳେ ଆଉ କିଛି ଏହାକୁ ଗୁରୁ କରିନେଇଛନ୍ତି । ଏଇ ଯେମିତି ଅମ୍ଳାନ ଗୌରବ ଓ ଆୟୁଷ ଦୁଇ ଭାଇ । ୟୁଟ୍ୟୁବରୁ ଶିଖି ଶିଖି ଦୁଇ ଭାଇ ଏବେ ଚିତ୍ରକଳାରେ ଧୂରୀଣ । ୟୁଟ୍ୟୁବରୁ ପ୍ର୍ରଶିକ୍ଷଣ ପାଇ ଦୁହେଁ ସ୍କେଚ୍ ଆର୍ଟ ଓ ସ୍କ୍ରାବଲିଙ୍ଗ ଆର୍ଟରେ ସିଦ୍ଧହସ୍ତ ହୋଇପାରିଛନ୍ତି । ଏବେ ଆଖପାଖ ଅଞ୍ଚଳରେ ତାଙ୍କ ଚିତ୍ରକଳାକୁ ନେଇ ପ୍ରଶଂସା ।

ଗଞ୍ଜାମ ବେଗୁନିଆପଡା ବ୍ଲକ ଲଛିପୁର ଗାଁର ଦୁଇ ଭାଇ ଅମ୍ଳାନ ଓ ଆୟୁଷ । ଜଣେ ସାଇନ୍ସ ଗ୍ରାଜୁଏଟ୍ ହୋଇଥିବାବେଳେ ଆଉ ଜଣେ ଦ୍ୱାଦଶ ଶ୍ରେଣୀ ଶେଷ ବର୍ଷ ଛାତ୍ର । ଦୁଇ ଭାଇ ପାଠପଢାରେ ଯେତିକି ଆଗୁଆ ଚିତ୍ରକଳାରେ ସେତିକି ଆଗ୍ରହୀ । ପିଲାବେଳୁ ଚିତ୍ର ଆଙ୍କିବାରେ ସେମାନଙ୍କ ଆଗ୍ରହ ଆଜି ସେମାନଙ୍କୁ ଦେଇଛି ପରିଚୟ ।

ଚିତ୍ର ଆଙ୍କିବାକୁ କୌଣସି ଗୁରୁଙ୍କ ପାଖରୁ ବିଦ୍ଧବଦ୍ଧ ପ୍ରଶିକ୍ଷଣ ନେଇନାହାଁନ୍ତି । ବରଂ ମୋବାଇଲକୁ ନିଜ ଗୁରୁ କରିନେଇଛନ୍ତି ଅମ୍ଳାନ ଓ ଆୟୁଷ । ୟୁଟ୍ୟୁବରୁ ଶିଖି ଚିତ୍ର ଆଙ୍କିବାକୁ ଆରମ୍ଭ କରିଥିଲେ ଦୁଇ ଭାଇ ଯାହା ଏବେ ସେମାନଙ୍କୁ ଧୂରୀଣ ଚିତ୍ରକର କରିପାରିଛି । ୟୁଟ୍ୟୁବରୁ ହିଁ ଦୁହେଁ ସ୍କେଚ୍ ଆର୍ଟ ଓ ସ୍କ୍ରାବଲିଂ ଆର୍ଟ ଶିଖି ଏବେ ବିଭିନ୍ନ ଆକର୍ଷଣୀୟ ଚିତ୍ରକୁ ଜୀବନ୍ତ ରୂପ ଦେଇପାରୁଛନ୍ତି । ଅମ୍ଳାନ ଏହି ଚିତ୍ରକଳାକୁ ଏବେ ପାର୍ଟ ଟାଇମ୍ ଭାବେ ନେଉଥିବାବେଳେ ଭବିଷ୍ୟତରେ ଏହାକୁ ନିଜର ବୃତ୍ତି କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଦୁଇ ପୁଅଙ୍କ ଏଭଳି ଏକ ନିଆରା ରୁଚି ଦେଖି ଘର ଲୋକ ଭାରି ଖୁସି । ପାଠ ପଢା ସହ ଚିତ୍ରକଳା କ୍ଷେତ୍ରରେ ଆଗେଇବାକୁ ଦୁଇ ଭାଇଙ୍କୁ ଦେଉଛନ୍ତି ଯଥେଷ୍ଟ ସମର୍ଥନ ।
ମୋବାଇଲ ଯେ, ମାନବ ଜାତି ପାଇଁ ନକରାତ୍ମକ ନୁହେଁ ବରଂ ବରଦାନ ବୋଲି ନିଜ ଦକ୍ଷତାର ସହ ପ୍ରମାଣ କରିଛନ୍ତି ଅମ୍ଳାନ ଓ ଆୟୁଷ ।