ଗାଜା ହସ୍ପିଟାଲ ଆକ୍ରମଣର ଭୟଙ୍କର ଚିତ୍ର । ଆକ୍ରମଣ ପଛରେ ‘ପାଲେଷ୍ଟାଇନ୍ ଇସଲାମିକ୍ ଜିହାଦ୍’ର ହାତ

229

କନକ ବ୍ୟୁରୋ : ଗାଜା ହସ୍ପିଟାଲର ଭୟଙ୍କର ଚିତ୍ର ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗାଜାର ଅଲ ଅହଲି ଅରବ ଡାକ୍ତରଖାନା ଉପରେ ଆକ୍ରମଣରେ ୫ଶହରୁ ଅଧିକ ମୃତ୍ୟୁ ହୋଇଛି ।

ଏଭଳି ବୀଭତ୍ସକାଣ୍ଡକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି । ଆତଙ୍କୀ ସଂଗଠନ ହମାସ ଘଟଣାକୁ ନେଇ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ଇସ୍ରାଏଲ କିନ୍ତୁ ଘଟଣା ପାଇଁ ଦାୟୀ କରିଛି ପାଲେଷ୍ଟାଇନର ଇସଲାମିକ ଜିହାଦ ସଂଗଠନକୁ । ଇସ୍ରାଏଲ ସେନା ପକ୍ଷରୁ ପ୍ରମାଣ ସ୍ୱରୁପ ଏକ ଅଡିଓ ଜାରି କରାଯାଇଛି । ଏହା ସହିତ ଆତଙ୍କୀ ସଂଗଠନର ରକେଟ ଲଂଚି ବିଫଳ ହେବା ଯୋଗୁ ହସ୍ପିଟାଲରେ ବିସ୍ଫୋରଣ ଘଟିଥିବା କୁହାଯାଇଛି । ବୁଧବାର ଇସ୍ରାଏଲ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବିସ୍ଫୋରଣ ଘଟଣାରେ ଆତଙ୍କୀ ସଂଗଠନକୁ ଦାୟୀ କରି ଇସ୍ରାଏଲକୁ କ୍ଳିନଚିଟ୍ ଦେଇଛନ୍ତି ।

ଇସଲାମିକ ଜିହାଦକୁ ପାଲେଷ୍ଟାଇନ ଇସଲାମିକ ଜିହାଦ (ପିଆଇଜେ) ମଧ୍ୟ କୁହାଯାଏ । ଏହା ସୁନ୍ନି ମୁସଲମାନଙ୍କ ଏକ ଗ୍ରୁପ, ଇସ୍ରାଏଲକୁ ବିନାଶ କରି ପାଲେଷ୍ଟାଇନକୁ ଏକ ସମ୍ପୂର୍ଣ୍ଣ ସ୍ୱାଧିନ ରାଷ୍ଟ୍ର ଗଢିବା ଏହାର ଲକ୍ଷ୍ୟ । ୧୯୭୦ ଦଶକରେ ଆରମ୍ଭ ହୋଇଥିବା ପିଆଇଜେ, ପାଲେଷ୍ଟାଇନର ଆତଙ୍କୀ ସଂଗଠନ ମାନଙ୍କ ମଧ୍ୟରେ ଅନ୍ୟତମ । ହମାସ ଭଳି ପିଆଇଜେକୁ ମଧ୍ୟ ଇରାନରୁ ଆର୍ଥିକ ସହଯୋଗ ମିଳୁଥିବା ଅନେକ ସମୟରେ ଅଭିଯୋଗ କରିଛନ୍ତି ପାଶ୍ଚାତ୍ୟ ଦେଶ । ଉଭୟ ଗାଜା ଷ୍ଟ୍ରିପ୍ ଏବଂ ୱେଷ୍ଟବ୍ୟାଙ୍କରେ ସକ୍ରିୟ ରହିଥିବାବେଳେ ଅତୀତରେ ମଧ୍ୟ ଅନେକଥର ପିଆଇଜେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ।

ଇସଲାମିକ୍ ଜିହାଦ ଦ୍ୱାରା ଇସ୍ରାଏଲ ଉପରେ ପ୍ରମୁଖ ଆକ୍ରମଣ
୧୯୮୭: ଗାଜାରେ ଇସ୍ରାଏଲ ସେନା ପୁଲିସ କମାଣ୍ଡରଙ୍କୁ ହତ୍ୟା
୧୯୯୪: କାର ବୋମା ବିସ୍ଫୋରଣରେ ୯ମୃତ, ୫୦ ଆହତ
୧୯୯୫: ଇସ୍ରାଏଲ ନେତାନ୍ୟାରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୮ସୈନିକ ଓ ଜଣେ ନାଗରିକଙ୍କ ମୃତ୍ୟୁ
୧୯୯୬: ତେଲ ଅବିବର ଏକ ସପିଂ ମଲରେ ଆକ୍ରମଣ, ୧୩ମୃତ, ୭୫ ଆହତ
୨୦୦୨: ଏକ ରେଷ୍ଟୁରାଂଟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୨୨ମୃତ ୬୦ଆହତ

ହମାସ ଓ ଇସ୍ରାଏଲ ଯୁଦ୍ଧ ମଧ୍ୟରେ ବର୍ତମାନ ପର୍ଯ୍ୟନ୍ତ ହିଜବୁଲ୍ଲା ଆତଙ୍କୀ ସଂଗଠନର ନାଁ ଆସୁଥିବା ବେଳେ ଏବେ ‘ପାଲେଷ୍ଟାଇନ ଇସଲାମିକ ଜିହାଦ’ର ଏଂଟ୍ରି ଯୁଦ୍ଧର ଗତିବିଧି ବଦଳାଇଦେଇଛି । ଏକାସାଙ୍ଗରେ ତିନି ପଟୁ ଆତଙ୍କୀ ଆକ୍ରମଣକୁ ପ୍ରତିହତ କରିବା ଇସ୍ରାଏଲ ସେନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।