ପଶ୍ଚିମବଙ୍ଗରେ ନିର୍ବାଚନ ସମରରେ ଏବେ ଚାଲିଛି ଅସଲ ଖେଳ । ନିର୍ବାଚନୀ ପ୍ରଚାରରେ ମୁହାଁମୁହିଁ ମମତା ବାନାର୍ଜୀ ଓ ନରେନ୍ଦ୍ର ମୋଦି ।

128

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ସମରରେ ଏବେ ଚାଲିଛି ଅସଲ ଖେଳ । ବିଧାନସଭା ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୁଲିଆରେ ଜନସଭାକୁ ସମ୍ବୋଧିତ କରି ଦିଦିଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ପଶ୍ଚିମବଙ୍ଗରେ ଏବେ ଖେଲା ହୋବେ ବୋଲି ମମତା ବାନାର୍ଜୀ ଦେଇଥିବା ବୟାନକୁ କାଉଂଟର କରିଛନ୍ତି ମୋଦି ।

ଜନସଭାକୁ ସମ୍ବୋଧନ କରି ଦିଦିଙ୍କ ଉପରେ ବର୍ଷିଛନ୍ତି ମୋଦି । ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ମମତା ତୁଷ୍ଟିକରଣ ରାଜନୀତି କରୁଛନ୍ତି ଏବଂ ଏଥର ମମତାଙ୍କୁ ହଟାଇବା ପାଇଁ ଲୋକେ ମନ ବଳାଇ ସାରିଛନ୍ତି । ସେପଟେ ଆମଲାସୁଲିରେ ନିର୍ବାଚନୀ ପ୍ରଚାର କରି ବିଜେପିକୁ ଅତ୍ୟାଚାରୀ ଦଳ ବୋଲି କହିଛନ୍ତି ମମତା ।

ନିର୍ବାଚନ ପ୍ରଚାରରେ ଭାବପ୍ରବଣତାର ସ୍ରୋତ ବୁହାଇବାକୁ ନେତା କିଭଳି ଚେଷ୍ଟା କରନ୍ତି ହୁଏତ ଏ ହେଉଛି ତାର ଏକ ଚିତ୍ର । ପୂର୍ବରୁ ଏକାଧିକ ଥର ଚଣ୍ଡିପାଠ, ଗାୟତ୍ରୀ ମନ୍ତ୍ର, ସରସ୍ୱତୀ ବନ୍ଦନା କରିଥିବା ମମତା ବାନାର୍ଜୀଙ୍କୁ ଏଥର ମଙ୍ଗଳା ସ୍ତ୍ରୋତ ପାଠ କରୁଥିବାର ଦେଖିବାକୁ ମିଳିଛି । ହୁଏତ ହିନ୍ଦୁ ଭୋଟରଙ୍କ ଭାବପ୍ରବଣତାକୁ ଛୁଇଁବା ପାଇଁ ଏଭଳି ଏକ ପ୍ରୟାସ କରିଛନ୍ତି ମମତା ବାନାର୍ଜୀ । ସେପଟେ ପୁରୁଲିଆରେ ଜନସଭା କରିଥିବା ମୋଦି ରାମ ଓ ସୀତାଙ୍କ ଏକ କାହାଣି କହି ପୁରୁଲିଆର ଜଳସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ନେତାଙ୍କ ଆରୋପ ପ୍ରତ୍ୟାରୋପ ବଢିଥିବା ବେଳେ ରାଜନୀତି ସରଗରମ ହେବାରେ ଲାଗିଛି ।