ପୁଣି ଦେଶରେ ବଢୁଛି କରୋନା ସଂକ୍ରମଣ । ଶହେ ଦିନ ପରେ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ । ଗତ ୨୪ ଘଂଟାରେ ୩୫,୮୭୧ ସଂକ୍ରମିତ ।

95

କନକ ବ୍ୟୁରୋ: ଦେଶରେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ମାମଲା ବଢୁଥିବାରୁ ଦେଶରେ ପୁଣି ଦ୍ୱିତୀୟ ଲହର ଆସିବା ଆଶଙ୍କା ସୃଷ୍ଟି ହୋଇଛି । ଦେଶର ୭୦ ଜିଲ୍ଲାରେ ୧୫୦ ପ୍ରତିଶତ ମାମଲା ବଢିଛି । ମହାରାଷ୍ଟ୍ର, ପଞ୍ଜାବ ଓ କେରଳରେ ସବୁଠୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ଏହାଛଡା ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ବଢୁଛି ସଂକ୍ରମଣ । ଗତ ସାତ ଦିନର ସଂକ୍ରମଣ ମାମଲା ଉପରେ ନଜର ପକାନ୍ତୁ । ୧୨ତାରିଖରେ ଯେଉଁ ସଂଖ୍ୟା ୨୩ହଜାର ଟପିଥିଲା ୧୮ତାରିଖ ବେଳକୁ ତାହା ୩୫ ହଜାର ଟପିଲାଣି ।

ଦେଶର କରୋନା ସଂକ୍ରମଣ

  • ୧୮ ମାର୍ଚ୍ଚ ୩୫ ହଜାର ୮୭୧ 
  • ୧୭ ମାର୍ଚ୍ଚ ୨୮ ହଜାର ୯୦୩
  • ୧୬ ମାର୍ଚ୍ଚ ୨୪ହଜାର ୪୯୨
  • ୧୫ ମାର୍ଚ୍ଚ ୨୬ ହଜାର ୨୯୧
  • ୧୪ ମାର୍ଚ୍ଚ ୨୫ ହଜାର ୩୨୦
  • ୧୩ ମାର୍ଚ୍ଚ ୨୪ ହଜାର ୮୮୨
  • ୧୨ ମାର୍ଚ୍ଚ  ୨୩ ହଜାର ୨୮୫

ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩୫ ହଜାର ୮୭୧ ମାମଲା ସାମ୍ନାକୁ ଆସିଛି । ଯାହା ୧୦୨ ଦିନ ପରେ ସର୍ବାଧିକ । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୪ଲକ୍ଷ ୭୪ହଜାର ୬୦୫ରେ ପହଂଚିଛି । ଏବଂ ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୫୨ହଜାର ୩୬୪ରହିଥିବା ବେଳେ ୧ଲକ୍ଷ ୫୯ହଜାର ୨୧୬ଜଣଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗଜନକ ରହିଛି । ମହାରାଷ୍ଟ୍ରରେ ଲଗାତାର ଭାବେ ୫ ଦିନ ହେଲା ୧୫ ହଜାର ଉପରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଗତ ୨୪ଘଂଟାରେ ୨୩ ହଜାର ୧୭୯ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୬୫ପ୍ରତିଶତରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନଜରରେ ରଖି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

ମହାରାଷ୍ଟ୍ର ସମେତ ଦିଲ୍ଲୀ, କେରଳ, ଗୁଜରାଟ ଓ ପଂଜାବରେ ସଂକ୍ରମଣ ବଢିବାରେ ଲାଗିଛି ।  ପଞ୍ଜାବରେ ବି ସ୍ଥିତି ସଙ୍ଗୀନ ହୋଇଛି । ଏହି ରାଜ୍ୟର ୯ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଜାରି ହୋଇଛି । ଗୁଜରାଟରେ ସୁରଟ ସମେତ ୪ ସହରରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।ଗୋଟିଏ ପଟେ ଦେଶରେ କରୋନା ଟିକାକରଣ କରାଯାଉଥିବା ବେଳେ ଅନ୍ୟପଟେ ବଢୁଥଇବା ସଂକ୍ରମଣ ପୁଣି ଚିନ୍ତା ବଢାଇ ଦେଇଛି । ଫଳରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ।